Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଅଟକି ରହିବାର ମୋହ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୪

ମୂଳ ଇଂରାଜୀ: ଖୁସୱନ୍ତ ସିଂହ

ପ୍ରଥମ ଥର ଲାଗି କେନେଥ୍ ଟାଇସନଙ୍କୁ ମୁଁ ଭେଟିଥିଲି ଜିମଖାନା କ୍ଲବର ଲାଉଞ୍ଜରେ । ମୋର ସ୍ପଷ୍ଟ ମନେଅଛି ସେଦିନ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ । ସେଇଦିନ ଭାରତ ସ୍ୱାଧୀନତା ହାସଲ କରିଥିଲା । ଏତେଦିନ ପର୍ଯ୍ୟନ୍ତ ଏଇ କ୍ଲବଟା କେବଳ ଗୋରା ସାହାବମାନଙ୍କର ଗୋଟିଏ ଅଭୟାରଣ୍ୟ ହୋଇ ରହିଥିଲା । କିମ୍ବା ତାଙ୍କ ସାଙ୍ଗରେ ବଛା ବଛା କେଇଜଣ ଅଣ-ଇଂରେଜ ଅଥଚ ବିଦେଶୀ ସାହାବ ବି କ୍ଲବଟାକୁ ବେଳେବେଳେ ମାଡ଼ି ଆସୁଥିଲେ । କିନ୍ତୁ ଆଜି କ୍ଲବଟାସାରା କେବଳ ଦେଶୀ ଲୋକ । ହେଲେ ଦେଶ ସ୍ୱାଧୀନ ହେବାର ଯେଉଁ ମଉଜ ମଜଲିସ ସେଠାରେ ଚାଲିଥିଲା ସେଥିରେ କୌଣସି ଦେଶୀ ଆଦବକାଇଦା ନ ଥିଲା ପରି ଜଣାପଡ଼ୁଥିଲା ।

କ୍ଲବଟା ସାରା କେବଳ ଯାହା ସ୍କଚ୍ ଓ ସୋଡା ବୋତଲ ଫିଟା କିମ୍ବା ଢଳା, ପୁଣି ପିଇବା ପୂର୍ବରୁ ବିଦେଶୀ ଆଦବକାଇଦାରେ ‘ଚୟର୍ସ’ର ଉଚ୍ଚାରଣ । ସାଙ୍ଗେ ସାଙ୍ଗେ ବୋତଲ ପରେ ବୋତଲ ନିଃଶେଷ । ତା’ଛଡ଼ା ଧୀର ସ୍ୱରରେ ବାଜୁଥିବା ଟାଙ୍ଗେ ବାଦ୍ୟର ସ୍ୱର; ସିଗାରେଟ ଧୂଆଁ ଓ ଦେଶୀ ସା’ବମାନଙ୍କ ମଦିରାପାନ ପରବର୍ତ୍ତୀ
କୋଳାହଳରେ ସାରା ହଲଟା ଯେମିତି ଅଣନିଃଶ୍ୱାସୀ ହୋଇଉଠୁଥିଲା ।

ମିଷ୍ଟର ଟାଇସନ ହଲ୍ ଭିତରେ କଶୁ ପଶୁ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କଲେ । ବେଶ୍ ଡେଙ୍ଗା ମଣିଷ । ଚନ୍ଦା ବି । ଚାଲିଲାବେଳେ ସାମାନ୍ୟ ଛୋଟାଉଥିଲେ । ସେଦିନ ସନ୍ଧ୍ୟାରେ ସାରା ହଲଟାରେ ସେ ଏକୁଟିଆ ବିଦେଶୀ ।

ଆମ ପାର୍ଟିର ଜଣେ କିଏ ତା’ର ବିଜ୍ଞପଣ ଦେଖେଇବାକୁ ଯାଇ ମନ୍ତବ୍ୟ ଦେଲା, ‘ଅନ୍ଧାରୀ ଭାରତବର୍ଷରେ ଇଏ ଧୋବ ଫରଫର ବଗଟି କେଉଁଠୁ ଆସିଲା?’
ମୁଁ ବି ପଚାରିଲି, ‘ସେ ଜଣକ କିଏ?’

‘ଆରେ, ତୁମେ କେନେଥ୍ ଟାଇସଙ୍କୁ ଜାଣିନ? ସିଏ ଜଣେ ଖାଣ୍ଟି ଗୋର ସାହେବ ବକ୍ସବାଲା । ଏବେ ଏଇ ବିହନ ଦେଶରେ ଆଉ କିଛି ବର୍ଷ ପରେ ମିଳିବନି ।’ ସେ ଉତ୍ତର ଦେଲେ । ଟାଇସନ ସା’ବ୍ ସିଧା ମୁହାଁଇଲେ କ୍ଲବ୍‌ର ବାର୍ ଆଡ଼େ । ବିଅରର ଜଣକ ସମ୍ଭ୍ରମ କୁର୍ଣ୍ଣିସ୍ ଜଣେଇ ‘ବ୍ରାଣ୍ଡି’ ଓ ସୋଡ଼ା ବଢ଼େଇଦେଲା ଗୋଟିଏ ଚାଲ୍‌ରେ ।

ଆମକୁ ଟାଇସନଙ୍କ ବିଷୟରେ ଜଣେଇଥିବା ସେଇ ଲୋକ ଜଣକ ପଚାରିଲା, ‘ଆଚ୍ଛା, ଏ ଲୋକଟାର ଭାଇବନ୍ଧୁକୁଟୁମ୍ବ ଏ ଦେଶରୁ ପେଡ଼ିପୁଟୁଳା ବାନ୍ଧି ଘରବାହୁଡ଼ା ହେଲାବେଳେ ଟାଇସନ ସାହାବ ଏଠି କରୁଛି କ’ଣ?’ ତା’ପରେ ନିଜ ପ୍ରଶ୍ନର ନିଜେ ଉତ୍ତର ଖୋଜି ପାଇଲାଭଳି ମନକୁମନ କହିଚାଲିଲା, ‘ବୁଝିଲ, ବିଚରା ଟାଇସନ ସା’ବ ଭାରତରୁ ତା’ ଚାକିରୀରୁ ଇସ୍ତଫା ଦେଇ ବିଲାତ ଯିବା ଆଗରୁ କ୍ଲବ ଆସିଚି ତା’ର ଶେଷ ପେଗ୍ ମଦ ପିଇବାକୁ! ବିଚରା ଟାଇସନ ଭଳିଆ କେଇଟା ଗୋରା ସାହାବ ଏଇ ଜିମଖାନା କ୍ଲବଟାକୁ ସେମାନଙ୍କ ପୈତୃକ ସମ୍ପତ୍ତି ବନେଇ ରଖିଥିଲେ ।’

ତା’ପରେ ସିଏ ପ୍ରବଳ ଆଗ୍ରହରେ ଏଇ କଥାଟି ଉପରେ ବନେଇ ଚୁନେଇ ଅଧିକରୁ ଅଧିକ ତଥ୍ୟ ଦେଇଚାଲିଲା । ଯେମିତି ତା’ର ଏଇ କଥାଟି ଉପରେ ବେଶ୍ ଆଗ୍ରହ! ‘ଭାରତରେ ଯଦି ଜଣେ କିଏ ପକ୍କା ମେମ୍ ସା’ବ ଅଛି ତା’ହେଲେ ସିଏ ହେଲେ ମିସେସ୍‌ ଟାଇସନ । ତାଙ୍କ ବ୍ୟତୀତ ଆଉ କେହି ସେମିତି ହୋଇପାରିବେନି । ମିସେସ୍ ଟାଇସନଙ୍କ କଥା କହିବାର ଢଙ୍ଗକୁ ନକର କରି ସେ ପୁଣି କହିଲେ, ‘ମାଇଁ ଡିଅର, କଳା ଲୋକଗୁଡ଼ାଙ୍କୁ ସେମାନଙ୍କ ଔକାତ୍ ଭିତରେ ରହିବାକୁ ଦେବା ଉଚିତ । ନହେଲେ ଆଙ୍ଗୁଳି ଦେଖାଇଲେ ସେମାନେ ବାହା ଗିଳିଯିବେ । ଓଃ, କି ଭୟଙ୍କର ଲୋକଗୁଡ଼ାକ!’

ସମସ୍ତେ ହୋ ହୋଇ ହସରେ ଫାଟିପଡ଼ିଲେ ।

ମିଷ୍ଟର ଟାଇସନଙ୍କୁ ଚିହ୍ନିଥିବା ଜଣେ କିଏ ପ୍ରତିବାଦ କଲା, ‘ଆପଣ ବୋଧେ ମିଷ୍ଟର ଟାଇସନଙ୍କୁ ଠିକ୍ ଭାବେ ବୁଝି ପାରିନାହାନ୍ତି! ସିଏ ଯେତେବେଳେ ବଙ୍ଳାରେ ଥିଲେ ମୁଁ ତାଙ୍କ ସାଙ୍ଗରେ ମିଶିଚି । ସିଏ ଆଭ ଭଳିଆ ଭାରତୀୟମାନଙ୍କ ସାଙ୍ଗରେ ଅବଶ୍ୟ ବେଶି ମିଳାମିଶ କରିବାକୁ ପସନ୍ଦ କରନ୍ତିନି । କିନ୍ତୁ କଲିକତାରେ ରହିବାକୁ ସେ ଖୁବ୍ ଭଲ ପାଉଥିଲେ । ଏମିତିକି ସିଏ କେତେ ତାଙ୍କ ଛୁଟି କଟେଇବାକୁ ବିଲାତ ସୁଦ୍ଧା ଯାଇନାହାନ୍ତି!’

ମିଷ୍ଟର ଟାଇସନଙ୍କୁ ନିନ୍ଦା କରୁଥିବା ଲୋକଜଣକ ଏଥର ହଠାତ୍‌ କହିଉଠିଲେ, ‘ନିନ୍ଦୁକ କୋଉଠିକାର! ଦି’ଜଣଙ୍କ ଯୋଡ଼ି ଭଲ ଯୁଟିଥିବ । ଜଣେ ଅଧା ନିନ୍ଦୁକ ସାଙ୍ଗକୁ ଜଣେ ପୂରା ନିନ୍ଦୁକ ।

ଜେନିଫର ଟାଇସନ୍ କେଡ଼େ ସ୍ପଷ୍ଟ ଭାବେ କଥାପୁଡ଼ାକ କହେ? ମାଇଁ ଡିଅର, ମୁଁ ବରଂ ନିଜ ଦେଶରେ ମୋ ବେଡସିଟ୍‌ରେ ଚଟାଣ ସଫା କରିବି, ଏଇ ମାଙ୍କଡ଼ପଲଙ୍କ ଭିତରେ ମୁଁ କିନ୍ତୁ ଦଣ୍ଡେ ସୁଦ୍ଧା ବଞ୍ଚି ପାରିବିନି । ମୋର ଏଇ ପ୍ରାଚ୍ୟ ପ୍ରାଚୁର୍ଯ୍ୟ, ବିଳାସବ୍ୟସନ, ରାଜମହଲ କିଛି ଲୋଡ଼ା ନାହିଁ ।’

‘ବିଚରା, କଲିକତାରେ ଥିଲାବେଳେ ତ ତା’ ପରିବାରର ଜଣେ କେହି ହେଲେ ସବୁବେଳେ ଝାଡ଼ାବାନ୍ତି ଭୋଗୁଥିବେ । ଭାରି କଷ୍ଟରେ ସେ ସେଠି ଚଳୁଥିଲା ।’ କଲକତି ବାବୁ ଜଣେ କହିଉଠିଲେ ।

‘ଭାରତୀୟମାନଙ୍କୁ ଘୃଣା କରୁଥିବା ଏଇ ଗୋରାମାଙ୍କଡ଼ମାନଙ୍କଠାରେ ଏଇଟା ଗୋଟେ ସାଧାରଣ ରୋଗ । ଭାରତୀୟମାନଙ୍କୁ ଭଲ ପାଉଥିବା କୌଣସି ଲୋକଠାରେ ଏ ରୋଗ କେହି କେବେ ଦେଖିଚ? ଆଦୌ ପାଇବନି! କେବଳ ଭାରତୀୟଙ୍କୁ ଦେଖି ନାକ ଟେକୁଥିବା ଧୋବଧାଉଳିଆ ବିଲାତି ଲୋକଙ୍କ ଠାରେ ୟେ ରୋଗର ମାତ୍ରା ପ୍ରବଳ । ସେମାନେ ତାଙ୍କ ପିଇବା ପାଣିକୁ ଯେତେ ଫୁଟେଇ ପିଅନ୍ତୁ । ପନିପରିବା ଯେତେ ଇଚ୍ଛା ସେତେ ଧୁଅନ୍ତୁ, ତାଙ୍କ ପେଟକୁ ‘ଏମିବା’ ଜୀବାଣୁ ନିଶ୍ଚୟ ପଶିବେ ।

ସେମାନେ ଦିଲ୍ଲୀରେ ରୁହନ୍ତୁ ଅବା ବମ୍ବେରେ ରୁହନ୍ତୁ କିମ୍ବା ଅନ୍ୟ କେଉଁଠି । ସେମାନଙ୍କ ଅଧା ସମୟ ବିତେ ବେଡରୁମ୍‌ରେ ଆଉ ବାକି ଅଧା ସମୟ ପାଇଖାନାରେ । ଯେମିତି ଏଇ ଗୋରା ଲୋକଙ୍କ ପେଡ଼ିପୁଟୁଳାରେ ଭାରତୀୟମାନଙ୍କ ପାଇଁ ଘୃଣା ଭରି ରହିଚି!’ ଟାଇସନ ସାହାବ ବୋଧେ ଅନୁମାନ କରିନେଲେ ତାଙ୍କର ବିଷୟରେ ଆଲୋଚନା ଚାଲିଚି । ତେଣୁ ସେ ସେଇଆଡ଼େ ଆସିଲେ ।

କଲିକତି ବାବୁ ଜଣକ ତାଙ୍କୁ ହାତ ହଲେଇ ସ୍ୱାଗତ ଜଣେଇଲେ । ହାତରେ ଡ୍ରିଙ୍କସ୍ ଗ୍ଲାସଟି ଧରି ସେ ଆମ ଟେବୁଲ ଉପରେ ଝୁଙ୍କିପଡ଼ି ଭଦ୍ରତା ଖାତିରରେ ପଚାରିଲେ, ‘ମୁଁ ଆପଣମାନଙ୍କ ସାଙ୍ଗରେ ଯୋଗ ଦେଇପାରେ କି?’ ଏତିକି କହି ସେ ଆଉ ଗୋଟିଏ ଟେବୁଲ ପାଖରେ ଖାଲି ଥିବା ଚେୟାରଟିଏ ଟାଣି ଆଣିଲେ ।

‘ହଁ, ହଁ, ଆପଣ ଖୁସିରେ ଏଠି ଆମ ସାଙ୍ଗରେ ଯୋଗ ଦେଇପାରନ୍ତି । ପହିଲେ ମୁଁ ମୋ ସାଙ୍ଗମାନଙ୍କ ସହ ଆପଣଙ୍କର ପରିଚୟ କରାଇଦିଏ… ।”

ତା’ପରେ ଆମେ ଜଣଜଣ କରି ଟାଇସନ ସାହାବଙ୍କ ସାଙ୍ଗରେ କରମର୍ଦ୍ଦନ  କଲୁ ଓ ତାଭ୍‌କ ପାଖକୁ କିଛି ସୁରା ବଢ଼େଇଦେଲୁ । ବେଶ୍ କିଛି ଅନାବଶ୍ୟକ ଭଦ୍ରତା ନଦେଖାଇ ସେ ତାହା ଗ୍ରହଣ କରି କହିଲେ, ‘ଠିକ୍ ଅଛି । ମୁଁ ଆପଣମାନଙ୍କ ସାଙ୍ଗରେ  ଆଉ ଗୋଟିଏ ପେଗ୍ ମାରିପାରେ । ରାସ୍ତାରେ ଘରକୁ ଫେରିବା ବେଳେ କାମ ଦେବ । ବିଅରର୍‌, ଦୟାକରି ମୋ ପାଇଁ ସେଇ ଏକା ପେଗ୍ ପ୍ରସ୍ତୁତ କରି ଆଣ ।’ ଏତିକି କହିଲେ ସିନା ସେଦିନ ସେ ଆମ ଟେବୁଲ ପାଖରୁ ଉଠିଲା ବେଳକୁ ତିନିଟା ଡବଲ ପେଗ୍ ବ୍ରାଣ୍ଡି ପିଇ ସାରିଥିଲେ । ସେଇଠୁ ଉଠି କହିଲେ, ‘ବନ୍ଧୁମାନେ, ମୋତେ କ୍ଷମା କରନ୍ତୁ । ମୁଁ ଏବେ ବିଦାୟ ନେଉଛି । ମୋ ଗାର୍ଲଫ୍ରେଣ୍ଡ୍ ତେଣେ କ୍ଲବ୍ ବାହାରେ କାର୍‌ରେ ବସି ମୋତେ ଅପେକ୍ଷା କରିଛି । ମୁଁ ତାକୁ ତା’ଘରେ ପହଞ୍ଚାଇବାକୁ ପଡ଼ିବ ।’

ମିଷ୍ଟର ଟାଇସନ ଚାଲିଯିବା ପରେ ଆମ ଭିତରୁ ତାଙ୍କୁ ଆଗରୁ ଚିହ୍ନିଥିବା ଦି’ଜଣ ଭଦ୍ରବ୍ୟକ୍ତି ପରସ୍ପର ଭିତରେ ତାଙ୍କୁ ନେଇ ଟିପ୍ପଣୀମାନ ଦେବା ଆରମ୍ଭ କରିଦେେଲେ । ଆମମାନଙ୍କ ସହ ଯେଉଁ ବ୍ୟକ୍ତି ଟାଇସନ ସାହାବଙ୍କର ପରିଚୟ କରାଇ ଦେଇଥିଲେ, ସେ କହିଲେ, ‘ସତ କହିଲେ ମିଷ୍ଟର ଟାଇସନ ଲୋକ ହସିାବରେ ମନ୍ଦ ନୁହନ୍ତି । ସବୁ ଗୋରା ସାହାବଙ୍କୁ ଏକା ତରାଜୁରେ ତଉଲିବା ଠିକ୍ ନୁହେଁ । ଆମମାନଙ୍କ ସାଙ୍ଗରେ ମିଶିବାକୁ ଲୋକଟିର ପ୍ରବଳ ଆଗ୍ରହ ଅଛି ।’

ଏକଥା ଶୁଣି ଆର ଜଣକ କହିଲେ, ‘ହଁ, ଏବେ ବୋଧେ ମିଶାମିଶି କଲେଣି । ତା’ପରେ ପୁଣି ଆମେ ତାକୁ ଦାମୀ ମଦ ପିଇବାକୁ ଯାଚୁଚେ । ହେଲେ ସିଏ ତ କାହିଁ କେବେ ଆମକୁ ଗୋଟାଏ ପେଗ୍ ଯାଚିନାହାନ୍ତି!’

‘ହଁ, ଏବେ ତ ସେଇଆ ଦେଖିଲି । ହେଲେ…’ ‘ଓଃ, ସଟ୍ ଅପ୍‌! ତୁମ ଭଳିଆ ଲୋକଙ୍କୁ ଦେଖିଲେ ମୋ ହାଡ଼ ଜଳେ । କ’ଣ ନା ଟାଇସନ୍ ମନ୍ଦ ଲୋକ ନୁହେଁ! ଦେଶୀ କଳା ଲୋକଙ୍କଠୁ ମଦ ପିଉଚି!’

ଲୋକଟିର ମନ୍ତବ୍ୟକୁ ପ୍ରତିବାଦ କରିବାକୁ କେହି ବୋଧହୁଏ ସାହସ କଲେନି ଓ ସେ ତାଙ୍କର ବକ୍ତବ୍ୟ ଜାରି ରଖବଲେ । ତା’ ସ୍ତ୍ରୀଠାରୁ ଅଧିକ ଛୋଟଲୋକ । ତା’ର ଯେତେସବୁ ଭାରତୀୟ ଚିହ୍ନାଜଣା ଲୋକ ଅଛନ୍ତି ସମସ୍ତଙ୍କଠୁ ଉପହାର ସବୁ ନିଏ । କାଇଁକିନା ସେଇସବୁ ଲୋକମାନେ ମିସେସ୍ ଟାଇସନ୍ ସାଙ୍ଗରେ ଚିହ୍ନା ପରିଚୟ ହେବାକୁ ସବୁବେଳେ ନାଳେଇ ପାଳେଇ ହେଉଥାନ୍ତି । ହେଲେ ମିିସେସ୍‌ ଟାଇସନ କେବେ ତା’ର ପିଲାମାନଙ୍କୁ ଆମମାନଙ୍କ ପିଲାଙ୍କ ସାଙ୍ଗରେ ମିଳାମିଶା ହେବାକୁ ଛାଡ଼ିଥିବାର କେହି କେବେ ଦେଖିଚନ୍ତି? କହିବ କ’ଣ ନା ‘ମାଇଁ ଡିଅର୍‌, ଏଇ ଦେଶୀ ଲୋକନାଙ୍କର ଚମଡ଼ାର କଳାରଙ୍ଗ ପ୍ରତି ମୋର ଯେତିକି ଘୃଣା ନାହିଁ, ସେମାନଙ୍କର ସେଇ ‘ଚି …ଚି…’ କଥାବାର୍ତ୍ତା ଆଉ ଗୀତ ଶୁଣିଲେ ମୁଁ ଆଦୌ ବରଦାସ୍ତ କରିପାରିବିନି । ମୁଁ କ’ଣ ଏତେ ନ୍ୟାରୋ ମାଇଣ୍ଡେଡ୍‌?’

‘ମୁଁ ଭାବୁଛି ଏଇ କଳା- ଗୋରା ଭେଦଭାବ ବିଷୟରେ ତୋଛାତିରେ ଗୋଟିଏ କିଛି ଚିପ୍ ଅଛି । ଆଚ୍ଛା ମୋତେ ବତେଇଲୁ ଦି ସେ ଭାରତକୁ ଭଲ ପାଉନି, ତା’ହେଲେ ଏଠି କାଇଁକି ପଡ଼ିରହିଛି?’ କଲିକତି ବାବୁ ସାମାନ୍ୟ ହସି ପଚାରିଲେ ।

ଆର ବନ୍ଧୁଜଣକ ହଠାତ୍ କହିଉଠିଲା, ‘ଏଥିରେ ଭାବିବାରକ’ଣ ଅଛି? ବିଲାତରେ ଭଲ ଚାକିରିଟିଏ ମିଳିନଥିବ । ମେମ୍‌ ସାହେବ ତ ଆଗରୁ ପ୍ଲେନ୍‌ରେ ତାଙ୍କ ଟିକଟ କାଟି ସାରିଛନ୍ତି । ଆଚ୍ଛା ମୁଁ ମାନିଲି ଟାଇସନଙ୍କ ହ୍ୟଦୟରେ ଭାରତୀମାନଙ୍କ ପ୍ରତି ଅଜସ୍ର ଦରଦ । କିନ୍ତୁ କହିଲ ଦେଖି, ତାଙ୍କୁ କେବେ ଭାରତୀୟ ସାହିତ୍ୟ, ସ୍ଥାପତ୍ୟ, କଳା କିମ୍ବା ଅନ୍ୟ କିଛି ବିଷୟରେ ଆଲୋଚନା କରିବାର କେହି କେବେ ଦେଖିଚ?’

‘ଓଃ! ତୁମର ସେଇ ଅଷ୍ଟଭୁଜା ଦୈତ୍ୟ କଥା । ସେ କଥା ବି ତାଙ୍କ ମୁହଁରୁ ଶୁଣି ପାରିବ । ତା’ ସାଙ୍ଗରେ ମୋ କମ୍ପ୍ଲିମେଣ୍ଟ ବି ଶୁଣିଥାଅ ।’ ଭାରତୀୟ ସାହିତ୍ୟ ବିଷୟରେ କିଛି କହିଲାବେଳେ କଥା କଥାକେ ଲର୍ଡ ମାକାଉଲେଙ୍କ ଉକ୍ତି ଉଦ୍ଧାର କରି କହନ୍ତି । ଆଉ ସତ କହିଲେ ସବୁ ପ୍ରାଚ୍ୟ ଜ୍ଞାନଯାକ ୟୁରୋପର ଗୋଟିଏ ଲାଇବ୍ରେରୀରେ କେବଳ ଗୋଟିଏ ଥାକରେ ରହିପାରିବ ।’

ଭାରତୀୟ ସଙ୍ଗୀତ ତାଙ୍କୁ ବଡ଼ ବୋର୍ ଲାଗେ । ସତେ ଯେମିତି ଭୁଆ ବିଲେଇ ବୋବାଇଲା ପରି ସ୍ୱର ।’ ତା’ହେଲେ ଭାରତୀ କି ମୋହ ଏମିମତି ମିଷ୍ଟର ଟାଇସନଙ୍କୁ ଟାଣିଧରିଲା! ତାଙ୍କ ଭାଇବନ୍ଧୁକୁଟୁମ୍ବ ଓ ଜାତିଗୋତ୍ରର ଲୋକମାନେ ଯେତେବେଳେ ପେଡ଼ିପୁଟୁଳା ବାନ୍ଧି ବିଲାତ ଲେଉଟିଲେ, ଇଏ ପଛରେ ପଡ଼ିଗଲେ କାହିଁକି? ସିଏ ତ ପୋଲୋ ସୁଦ୍ଧା ଖେଳନ୍ତିନି କି ଶିକାର କରି ଯାଆନ୍ତିନି । ଏତେବର୍ଷ ଭିତରେ ଥରେ ସୁଦ୍ଧା ସେ ଛୁଟି କଟେଇବା ଲାଗି ବିଲାତ ଆଡ଼କୁ ମୁହଁ ସୁଦ୍ଧା କରିନାହାନ୍ତି । ଆଉ କ’ଣ କେଉଁଠି ଲୋକଟା ଲୁଚାଚୋରାରେ ବାହା ହୋଇପଡ଼ିଚି ନା କ’ଣ? ଯେଉଁଥିପାଇଁ ନିଜ ରକ୍ଷିତାଙ୍କୁ ଛାଡ଼ି ନିଜ ଦେଶକୁ ଲେଉଟି ପାରୁନି?’

ହଁ । ଏଇସବୁ ପ୍ରଶ୍ନର ଉତ୍ତର ମୋତେ ମିଳିଥିଲା ଅନେକ ବର୍ଷ ପରେ । ସେତେବେଳେକୁ ମିଷ୍ଟର ଟାଇସନଙ୍କ ସାଙ୍ଗରେ ମୋର ଆତ୍ମୀୟତା ସମ୍ପୂର୍ଣ୍ଣ ଘନିଷ୍ଠ ସ୍ତରକୁ ଚାଲିଯାଇଥିଲା । ଆଉ ତାଙ୍କ ଭାରତ ରହଣିର ମୋ ପଛରେ ଥିବା କାରଣ ଏଠି ବଖାଣିବା ଠିକ୍ ହେବା ବୋଲି ମୁଁ ଭାବୁଛି ।

ମୋ ପୋଷା କୁକୁରଟିକୁ ମୁଁ ସବୁଦିନ ସନ୍ଧ୍ୟାରେ ବାହାରକୁ ବୁେଇ ନେଉଥିଲି । ଘର ପାଖରେ ଗୋଟିଏ ପବ୍ଲିକ୍ ପାର୍କ ହିଁ ମୋର ଓ ମୋ ପୋଷା କୁକୁରଟିର ସାନ୍ଧ୍ୟଭ୍ରମଣର ସ୍ଥାନ ।

ପାର୍କର ଏତେତେଣେ ଐତିହାସିକ ଲୋଧି ଯୁଗର କେଇଟା କବର । ଦିନେ ସନ୍ଧ୍ୟାରେ ମୁଁ ସାମାନ୍ୟ ବିଳମ୍ବରେ ମୋ କୁକୁରଟିକୁ ବୁଲେଇ ନେଇଥିଲି । ସେତେବେଳକୁ ମୁହଁ ଅନ୍ଧାର ସାରା ପାର୍କଟି ଉପରେ କମ୍ବଳଟିଏ ଭଳି ଘୋଡ଼େଇ ହୋଇ ସାରିଥିଲା କିନ୍ତୁ ଗୋଧୂଳିର ସେଇ  ଦିଗବଳୟ ସୀମାତଳୁ ଦିଶୁଥିବା ଫିକା ଆଲୁଅରେ କବରଗୁଡ଼ିକ ଆକାଶ ଦେହରେ ଅଙ୍କିତ ଗୋଟିଏ ଗୋଟିଏ କଳାକୃତି ଭଳି ଦିଶୁଥିଲା । ମୁଁ ମୋର ପାଳିତ ଶ୍ୱାନଟିକୁ ଧରି ପାର୍କର କୋମଳ ଘାସଗାଲିଚା ଦେହରେ ବୁଲୁ ବୁଲୁ ମୋ ନାକରେ ବାଜିଲା ଗୋଟିଏ ଭଲ ଟବାକୋର ବାସ୍ନା । ଚାରିଆଡ଼କୁ ଚାହିଁ ଦେଖିଲି ଅନତି ଦୂରରେ ଜଣେ ଡେଙ୍ଗା ଲୋକ ସ୍ଥିରଭାବେ ଠିଆ ହୋଇ ପାଇପରେ ନିଆଁ ଧରାଇ ଟାଣି ଚାଲିଛନ୍ତି । ଗୋଟିଏ ହାତରେ ତାଙ୍କର କୁକୁର ବନ୍ଧା ଚେନ୍‌ଟିଏ ଧରିଛନ୍ତି ।

ମୁହଁ ସଞ୍ଜର ଫିକା ଅନ୍ଧାରରେ ସୁଦ୍ଧା ତାଙ୍କ ମୁହଁଟି  ମତେ ସ୍ପଷ୍ଟ ଦିଲୁନଥିଲା ଏତେ ଦୂରରୁ । ମୁଁ ଧୀରେ ଧୀରେ ଅଚିହ୍ନା ଭଦ୍ରବ୍ୟକ୍ତିଙ୍କ ଆଗକୁ ଗଲି । ପାଖରେ ପହଞ୍ଚି ଦେଖିଲି ତାଙ୍କ ଗୋଡ଼ ପାଖରେ ଗୋଟିଏ କୁକୁର । କୁକୁରଟି ତାଙ୍କ ପାଳିତ ଶ୍ୱାନ, ଡାଚସହାଉଣ୍ଡ ବ୍ରିଡ୍‌ର । ଜୀବଟିର ଶରୀରର ସାମ୍ନା ଅଧ ଅଂଶ ଗୋଟିଏ ଗାତ ଭିତରେ । ଲକ୍ଷ୍ୟକଲି ମାହାରକୁ ଦିଲୁଥିବା ପଛ ଅଂଶରେ ତା’ର ପୁଚ୍ଛଟି ବେଶ୍ ଜୋରରେ ହଲୁଛି । ମୋର ପାଦଶବ୍ଦ ଶୁଣି ବୋଧେ ଏଇ ବିଦେଶୀ ଶ୍ୱାନଟି କୌଣସି ଜଣେ ଆଗନ୍ତୁକର ଆଗମନ ଠଉରାଇପାରିଲା ଓ ସାଙ୍ଗେ ସାଙ୍ଗେ ଗାତ ଭିତରୁ ନିଜର ମୁହଁ କାଢ଼ିଆଣିଲା । ବାହାରକୁ ଆସିଲାପରେ ନିଜ ଶରୀରରୁ ସବୁ ଧୂଳିବାଲି ଝାଡ଼ି ପକାଇଲା ଓ ନାକଭିତରେ ପଶିଥିବା ମାଟିକୁ ଝାଡ଼ିବାକୁ ଖୁବ୍ ଜୋର୍‌ରେ ନିଃଶ୍ୱାସ ଛାଡ଼ିଲା । ଏତିକିବେଳେ ମୋର ଉପସ୍ଥିତି ଲକ୍ଷ୍ୟକରି ଭୁକିଉଠିଲା ।

‘ଷ୍ଟପ୍ ଇଟ୍ ମାର୍ଥା, ଷ୍ଟପ୍ ଇଟ୍ ।’ କୁତ୍ତୀଟି ସାଙ୍ଗେ ସାଙ୍ଗେ ନିଜର ପ୍ରଭୁଭକ୍ତି ଓ ଆନୁଗତ୍ୟ ପ୍ରକଟ କଲାଭଳି ଚୁପ୍‌ ପଡ଼ିଗଲା ।

‘ଗୁଡ୍ ଇଭିନିଂ ମିଷ୍ଟର ଟାଇସନ!’

‘ଓଃ, ହ୍ୟାଲୋ! ମିଷ୍ଟର ଟାଇସନ ମୋ ସ୍ୱାଗତର ପ୍ରତ୍ୟୁତ୍ତର ଦେଇ ସୁଦ୍ଧା ମତେ ଚିହ୍ନିପାରିନଥିଲେ । କିନ୍ତୁ ମୋ ମୁଣ୍ଡର ପଗଡ଼ି ଦେଖି ସେ ଅନୁମାନ କରିନେଇଥିଲେ ଯେ ମୁଁ ନିଶ୍ଚୟ କୌଣସି ‘ସିଂ’ ହୋଇଥିବି । ତେଣୁ ସେ ଖୁବ୍ ଚତୁରତାର ସହ ମୋତେ ସ୍ୱାଗତ କଲେ, ‘ଗୁଡ୍ ଇଭିନିଂ ମିଷ୍ଟର ସିଂ । ମୁଁ ଟିକେ ପାର୍କଆଡ଼େ ବୁଲି ଆସିଥିଲି । ସନ୍ଧ୍ୟାରେ ଏଇ ଜାଗାଟି ମତେ ଖୁବ୍ ଭଲ ଲାଗେ । ଓଃ ଷ୍ଟପ୍ ଇଟ୍ ମାର୍ଥା!’

ପାଠକେ ଏବେସୁଦ୍ଧା ଅନୁମାନ କରିସାରିବେଣି ଏଇ ‘ମାର୍ଥା’ଟି କିଏ । ମିଷ୍ଟର ଯାଇସନଙ୍କ ପାଳିତ ଶ୍ୱାନ । ଏବେ ମାର୍ଥା କିଛି ସମୟ ଡିଆଁଡ଼େଇଁ କରି ପୁଣି ଥରେ ସେଇ ମୂଷାଗାତଟି ଭିତରେ ମୁହଁ ଗଳାଇ ସାରିଥିଲା । ମୁଁ କୁକୁରଟାର ସ୍ୱଭାବରେ ପୂରା ଆବାକାବା । ଏଇ ପାର୍କକୁ ଆସିଲା ମାତ୍ରେ ତୁରନ୍ତ ଗୋଟିଏ କିଛି ଗାତ ଖୋଳିମୁହଁଟା ନପୂରାଇବାଯୋଏ ତା’ମନ ଶାନ୍ତ ହୁଏନି ।’ ଟାଇସନ ନିଜ କୁତ୍ତିଟି ସମ୍ପର୍କରେ ଏଇ ଟିପ୍ପଣୀ ଦେଇ ବେଶ୍ ଆତ୍ମତୃପ୍ତିରେ ତା’ ଆଡ଼କୁ ଚାହିଁଲେ
ଓ ପୁରି ଆରମ୍ଭ କଲେ, ‘କୁକୁର ଜାତିଟା ସେଇଆ । ସବୁ କୁକୁରଙ୍କର ଏକାଭଳିଆ ସ୍ୱାଭବ । ୟା’ଆଗରୁ ମୁଁ ଯେଉଁ
କୁକୁରଟି ରଖିଥିଲି ତା’ର ବି ଠିକ୍ ମାର୍ଥାଭଳି ସ୍ୱଭାବ । ଗଲା ଦି’ମାସ ତଳେ ସିଏ ମରିଗଲା ।’

‘କିନ୍ତୁ ମୋ କୁକୁରଟି ଆଜ୍ଞା ଟିକିଏ ବେଶୀ ଗେଲବସରିଆ । ଏଇ ଧରନ୍ତୁ, ସନ୍ଧ୍ୟାବେଳେ ବୁଲି ଆସିବାକୁ ପୂରା ଦାବି କରିବସିବ । ଏତେ ବଡ଼ କୁକୁରଟାକୁ ରଖିବାକୁ
କିନ୍ତୁ ମୋ ଘରଟା ଖୁବ୍ ଛୋଟ ।’ ମୁଁ କହିଲି ।

ମୋ ପାଟିରୁ ଏଇ କଥା ପଦକ ସିରିଚି କି ନାଇଁ ମୋ ଜର୍ମାନ୍‌ ସେଫର୍ଡ ବ୍ରିଡ୍‌ର ଶ୍ୱାନଟା ଅନ୍ଧାର ଭିତରୁ ବାହାରିଆସି ଆମ ପାଖରେ ହାଜର ହୋଇଗଲା । ମାର୍ଥାର ଉପସ୍ଥିତିକୁ ସେ ବେଶ୍ ସହଜ ଭାବେ ଗ୍ରହଣ କରିନେଲା ବୋଧହୁଏ । ତା’ପରେ ସେ ମାର୍ଥାର ଲାଞ୍ଜହଲା ସହ ନିଜେ ତା’ସହ ଲାଞ୍ଜ ହଲେଇ କେମିତି ଏକ ଅଚିହ୍ନା ବାସ୍ନାରେ ନାକ ଟେକିଲା । ମାର୍ଥା ପ୍ରଥମେ କେଇପାଦ ପଛକୁ ଘୁଞ୍ଚିଗଲା ଅପରିଚିତ ଆଲସିସିଆନଟିର ଏଇ ହାବଭାବରେ । କିନ୍ତୁ ମାଦ୍ର କେଇଟି ମୁହୂର୍ତ୍ତ ଭିତରେ ଦୁହେଁ ବେଶ୍ ମିଶିଗଲେ ଏବଂ ମିଷ୍ଟର ଟାଇସନ ଓ ମୋ ଚାରିପଟେ ଘୂରିଚାଲିଲେ । ମୋତେ ଲାଗିଲା ଏଇ ଦୁଇ କିଷମର ଓ ବିପରୀତ ଲିଙ୍ଗୀ କୁକୁର ଦୁଇଟିଙ୍କର ପ୍ରଥମ ଦେଖାରେ ସତେ ଯେମିତି ମନରେ ପ୍ରେମଭାବ ଉଦ୍ରେକ ହୋଇଛି!

ସେତେବେଳକୁ ଅନ୍ଧାରେ ବେଶ୍ ଗାଢ଼ ହୋଇସାରିଥିଲା । ଟାଇସନ୍ ମୋ ସାଙ୍ଗରେ କଥାବାର୍ତ୍ତା କରିସାରି କହିଲେ, ‘ମାର୍ଥ, ଆରେ ସିଏ ତୋ’ଠୁ ବହୁତ୍ ବଡ଼ । ଚାଲ୍ ଘରକୁ ଯିବା ।

ଆଜି ଡେରୀ ହୋଇଗଲାଣି ।’ ତା’ପରେ ମୋ ଆଡ଼କୁ ଚାହିଁ ମାର୍ଥା ଉପରେ ମନ୍ତବ୍ୟ ଦେଲେ, ‘ଅଜି ଅଲିଅଳୀଟିଏ ତ ।’

‘ହଁ, ବେଶ୍ ସୁନ୍ଦର ବି ।’ ମୁଁ ତାଙ୍କ କଥା ସହ ମୋ ମତ ମିଳେଇଲି ।

ମୁଁ ଅନୁମାନ କରିନେଲି, ମିଷ୍ଟର ଟାଇସନ ଆଉ ଅଧିକ ସମୟ ମୋ ସାଙ୍ଗରେ ଗପିବାକୁ ସମ୍ଭବତଃ ଚାହୁଁନାହାନ୍ତି । ତେଣୁ ମୁଁ ତାଙ୍କୁ କହିଲି, ‘ଗୁଡ ନାଇଟ୍ ମିଷ୍ଟର ଟାଇସନ୍ ।’ ତା’ପରେ ମୋ କୁକୁର (ସିମ୍ବା)କୁ ଧରି ମୁଁ ଘରକୁ ଲେଉଟି ଆସିଲି ।’

ସେ ଯିବା ପୂର୍ବରୁ ‘ଗୁଡନାଇଟ୍‌’ କହି ମାର୍ଥା ଉଦ୍ଦେଶ୍ୟରେ କହିଲେ, ‘ତୁ ସିମ୍ବାକୁ ଗୁଡ୍‌ନାଇଟ୍ କହିଦେ’ ।’

ତା’ପରେ ପ୍ରାୟ ପ୍ରତିଦିନ ସନ୍ଧ୍ୟାରେ ମୋର ଟାଇସନଙ୍କ ସାଙ୍ଗରେ ଭେଟ ହେଲା । ମୁଁ ଯେତେବେଳେ ପାର୍କସାରା ଚାଲବୁଲ କରୁଥିବି ସେ ପାର୍କର ଗୋଟିଏ ପଟେ ସ୍ଥାଣୁ ମୂର୍ତ୍ତିଟିଏ ଭଳି ଠିଆ ହୋଇଥିବେ । ସେଇପଟେ ପ୍ରାୟ ଅଧିକାଂଶ ଜାଗାରେ ମୂଷାଗାତମାନ ଥିଲା । ମାର୍ଥା ସେଇସବୁ ଗାତ ଭିତରେ ମୁହଁ ପୂରାଇ ମୂଷା ଧରିବାକୁ ଚେଷ୍ଟ କରି ଚାଲିଥିବ । ମିଷ୍ଟର ଟାଇସନ ସେଇ ଗୋଟିଏ ଜାଗାରେ ଠିଆ ହୋଇ କେତେବେଳେ ପାଇପ୍‌ ଟାଣୁଥିବେ ତ ଆଉ କେତେବେଳେ କୁକୁର ବନ୍ଧା ଚେନ୍‌ଟିକୁ ଗୋଟିଏ ହାଜରେ ଘୂରାଇ ଚାଲିଥିବେ । ସୂର୍ଯ୍ୟ ଅସ୍ତ ହେବାର ଢେର୍ ସମୟଯାଏ ସେ ପାର୍କରେ ରହୁଥିଲେ । ଗୋଧୂଳିର ମୁହଁ ଅନ୍ଧାର ଭିତରେ କେତେବେଳେ ତାଙ୍କ ଡେଙ୍ଗା ଚେହେରାକୁ ଦେଖି ତାଙ୍କ ଉପସ୍ଥିତିକୁ ମୁଁ ଠଉରାଉଥିଲି ତ ଆଉ କେତେବେଳେ ତାଙ୍କ ପାଇପ୍‌ର ଟବାକୋର ବାସ୍ନା ମୋତେ ସୂଚାଇ ଦେଉଥିଲା ଯେ ସେ ଏଇ ଆଖପାଖରେ କେଉଁଠି ଅଛନ୍ତି । କିନ୍ତୁ ସବୁଦିନ ପାର୍କରୁ ଫେରିବାବେଳେ ତାଙ୍କ ମୁହଁରୁ ସେଇ ଏକା କଥା ମୁଁ ଶୁଣେ, ‘ଆଜି ପାଇଁ ବହୁତ ହୋଇଗଲା ମାର୍ଥା । ଚାଲ୍‌, ଘରକୁ ଯିବା । ଡେରି ହୋଇଗଲାଣି ।’

ମୁନିବ ମୁହଁର ଏଇ କଥା ପଦକର ଅର୍ଥ ଯେମିତି ଏଇ ପ୍ରଭୁଭକ୍ତ ଶ୍ୱାନଟି ପୂରାପୂରିବୁଝିପାରୁଥିଲା! ତା’ପରେ ସେ ମୁନିବଙ୍କ ଗୋଡ ପାଖରେ ମୁହଁ ଲଗାଇ ଆଣି ଲାଞ୍ଜ ଓ ମୁଣ୍ଡ ହଲାଉଥିଲା । ଯେମିତି ସେ ନିଜ ସ୍ନେହଶୀଳ ମାଲିକକୁ ଅନୁନୟ କରି କହିବାକୁ ଚାହୁଁଥିଲା, ‘ଆଉ ଗୋଟିଏ ମୂଷା ମୁଁ ଖାଇସାରେ’ ଓ ସାଙ୍ଗେ ସାଙ୍ଗେ ସେ ଆଖପାଖର ଗୋଯିଏ ଗାତ ଭିତରେ ମୁର୍ଡ ଗୁଞ୍ଜି ଖୁବ୍‌ ଜୋର୍‌ରେ ଭୁକି ଉଠୁଥିଲା ଓ ମୂଷାଟିଏ ପାଟିରେ ପୂରାଇ ବାହାରି ଆସୁଥିଲା ଗାତ ଭିତରୁ । ତା’ପରେ ତୁରନ୍ତ ମୁନିବଙ୍କ ଗୋଡ ପାଖରେ ଆତ୍ମତୃପ୍ତିରେ ଠିଆ ହୋଇ ସେ ଜଣାଉଥିଲା ଯେ ଏବେ ଘରକୁ ଫେରିବାକୁ ସେ ପ୍ରସ୍ତୁତ ।

ଏମିତି ବର୍ଷ ପରେ ବର୍ଷ ଗଡ଼ିଚାଲିଥିଲା । କିନ୍ତୁ ମିଷ୍ଟର ଟାଇସନ କେବେ ଛୁଟିରେ ନିଜ ଦେଶକୁ ଯିବାର ମୁଁ ଅନ୍ତତଃ ପକ୍ଷେ ଜାଣିନଥିଲି । ତାଙ୍କ ସାଙ୍ଗମାନେ ଯଦି କେବେ କେବିତି ତାଙ୍କୁ ବିଲାତ ଯିବା କଥା ପଚାରୁଥିଲେ, ସେ କହୁଥିଲେ, ‘ଯେବେ ଚାହିଁବି  ଯାଇ ପାରିବି । ଏଇଟା ଗୋଟି କି ବଡ଼ କଥା? ମୋର ତ ଛୁଟି ଜମା ହୋଇ ରହିଛି । ଆଉ କେଇବର୍ଷ ପରେ ମୋର ପୂରା ବର୍ଷେଖଣ୍ଡେ ଛୁଟି ହୋଇସାରିଥିବ । ଏକା ଥରକେ ସେଇ ଛୁଟି ନେଲେ କେଡ଼େ ମଜା ହେବ?’

ମୁଁ ଥରେ ଏଇ ଉତ୍ତର ତାଙ୍କଠାରୁ ଶୁଣି ପଚାରିଥିଲି, ‘ହେଲେ ଆପଣ କ’ଣ ଆପଣଙ୍କ ଦେଶକୁ ଛୁଟି କଟାଇବାକୁ ଯିବା ଓ ଆସିବା ଟଙ୍କା ଛୁଟିଭଳି ସଞ୍ଚି ରଖିପାରିବେ?’
‘ଆରେ କେଇଟା ଟଙ୍କା ପଡ଼ିବ ବିଲାତ ଯିବାକୁ ଯେ ସେଥିପାଇଁ ଟଙ୍କା ଜମା ରଖିବି?’

ଏହାର କିଛି ବର୍ଷ ପରେ ଟାଇସନଙ୍କୁ ଆଉ କେହି ପ୍ରାୟ ତାଙ୍କ ଦେଶକୁ ଛୁଟିରେ ବୁଲିଯିବା କଥା ପଚାରୁ ନ ଥିଲେ । ଫି’ବର୍ଷ ଶୀତଦିନେ ତାଙ୍କ ପତ୍ନୀ ବିଲାତରୁ ଭାରତ ଆସନ୍ତି ଓ ସେମାନେ ସେହି କେଇଦିନ ମଜାରେ ଏକାଠି କଟାନ୍ତି । ଖରାଦିନ ଆସିଲେ ମିସେସ୍‌ ଟାଇସନ ଫେରିଯାଆନ୍ତି ବିଲାତ ଓ ମିଷ୍ଟର ଟାଇସନ ପୁଣି ଏକୁଟିଆ ହୋଇଯାଆନ୍ତି । ମିଷ୍ଟର ଟାଇସନଙ୍କ ଏଇ ନିଃସଙ୍ଗ ଜୀବନଯାପନ ଦେଖି ତାଙ୍କ ତାଙ୍କ ବନ୍ଧୁମାନେ ଅଧିକାଂଶ ସମୟରେ ନିଜ ଘରକୁ ନିମନ୍ତ୍ରଣ କରିଥାନ୍ତି ସମ୍ଭବତଃ ନିଃସଙ୍ଗ ଜୀବନରୁ କିଛି ସମୟ ତାଙ୍କୁ ନିଷ୍କୃତି ମିଳିଯାଇପାରେ ଭାବି । ସେ ଯେତେବେଳେ ବି ବନ୍ଧୁମାନଙ୍କ ଘରକୁ ବୁଲି ଯାଆନ୍ତି ତାଙ୍କ ସାଙ୍ଗରେ ମାର୍ଥା ନିଶ୍ଚୟ ଥିବ । କିନ୍ତୁ ବନ୍ଧୁମାନଙ୍କ ଘରକୁ ନ ନେଇ ସେ ତାକୁ ନିଜ କାର୍ ଭିତରେ ହିଁ ଛାଡ଼ି ଯାଇଥାନ୍ତି । କିନ୍ତୁ ମାର୍ଥା ବେକରେ ବନ୍ଧା ଯାଇଥିବା ଚେନ୍‌ଟି ସଦାବେଳେ ନିଶ୍ଚୟ ଥିବ ମିଷ୍ଟର ଟାଇସନଙ୍କ ହାତରେ ।

ୟା’ଭିତରେ ଦଶବର୍ଷ ବିତି ସାରିଥିଲା । ମାର୍ଥାର ସେଇ ସୁନ୍ଦର ଚେହେରାରେ ମେଦ ଲାଗି କୁକୁରଟା କେମିତି ଗୋଟିଏ ବେଢ଼ଙ୍ଗ ଦେଖାଯାଉଥିଲା । ଚିରକୁମାରୀ ମାର୍ଥା ତା’ ଜୀବନରେ କେବେ ଯୌନ ଲାଳସା ଚରିତାର୍ଥ କରିବାର ସୌଭାଗ୍ୟ ପାଇ ନ ଥିଲା ସତ । ହେଲେ ଏବେ ତା’ର ପେଟଟା କେମିତି ଗୋଟିଏ ଗର୍ଭିଣୀ କୁତ୍ତିଟିଏ ଭଳି ଦିଶୁଥିଲା । ଅୟାସୀ ଜୀବନ ଭିତରେ ତା’ର ଏଇ ଜୈବ ପ୍ରବୃତ୍ତିଟି କିନ୍ତୁ ଯେପରି ଅତୃପ୍ତ ରହିଯାଇଥିଲା ସାରା ଜୀବନ । ଅବଶ୍ୟ ପ୍ରାୟ ସବୁ ପାଳିତ
ବିଦେଶୀ ଶ୍ୱାନଙ୍କ ଭାଗ୍ୟରେ ଏଇଆ ହିଁ ଘଟିଥାଏ ।

କୁକୁରଟିର ମେଦବହୁଳ ପେଟଟା ଯେମିତି ତଳେ ଲୋଟୁଥିଲା । ମାର୍ଥାର ବୟସ ବୃଦ୍ଧି ସହ ମିଷ୍ଟର ଟାଇସନଙ୍କର ତା’ପ୍ରତି ଦିନକୁ ଦିନ ସ୍ନେହ ମଧ୍ୟ ବଢ଼ି ଚାଲିଥିଲା ମାତ୍ରାଧିକ ଭାବେ । ସେ ନିଜ ବନ୍ଧୁମାନଙ୍କୁ ମାର୍ଥା ବିଷୟରେ କୁହନ୍ତି, ‘ମାର୍ଥା ବୁଢ଼ୀ ହୋଇ ଆସିଲାଣି । ଜାଣନ୍ତି, ତାକୁ ଢେର୍ ବର୍ଷ ହେଲାଣି ।

ମଣିଷଟିଏ ହୋଇଥିଲେ ଏତେ ବେଳକୁ ଆସି ଅଶୀ ବର୍ଷ ଧକ୍କା ଖାଉଥାନ୍ତା । ଏବେ ତା’ର ବଳ ବୟସ ହଟିବାକୁ ବସିଲାଣି । ହାଲିଆ ବି ହୋଇ ପଡ଼ିଲାଣି ବିଚାରୀ ।’

ଏତିକି କହି ମିଷ୍ଟର ଟାଇସନ ମାର୍ଥାକୁ କୋଳକୁ ଟେକି ନେବେ ଓ ତା’ପରେ କାର୍ ଭିତରେ ସିଟ୍‌ରେ ଥୋଇଦେବେ । ମାର୍ଥା ଯେମିତି ବଢ଼ିଲା ଝିଅଟିଏ ଭଳି ନିଜ ମୁନିବର କୋଳରେ ଲାଜେଇଯାଏ ।

ଥରେ ଖରାଦିନେ ସନ୍ଧ୍ୟାବେଳେ ମୁଁ ମୋର ଜଣେ ସାହେବ ବନ୍ଧୁଙ୍କ ଘରକୁ ବୁଲି ଯାଇଥିଲି ଓ ସେଠାରେ ଅକସ୍ମାତ୍ ଯାଇ ପହଞ୍ଚିଲେ ମିଷ୍ଟର ଟାଇସନ । ସେ କାର୍‌ରୁ ଓହ୍ଲାଉ ଓହ୍ଲାଇ ମାର୍ଥାକୁ ବି କାର୍‌ରୁ ବାହାରକୁ ଛାଡ଼ିଦେଲେ । ମୋ ବନ୍ଧୁଙ୍କର ମଧ୍ୟ ବେଶ୍‌ ପୁରୁଣା ପୋଷା କୁକୁରଟିଏ ଥିଲା । ଆମେ ବନ୍ଧୁଙ୍କ ବଗିଚାର ଗୋଟିଏ ସ୍ଥାନରେ ବସି ସ୍କଚ୍ ପିଇ ସନ୍ଧ୍ୟାକୁ ଉପଭୋଗ କଲାବେଳେ ଦୁଇଟିଯାକ କୁକୁର ବହଳ ଘାସରେ ଲନ୍‌ ଉପରେ ଏଣେତେଣେ ଦୌଡ଼ାଦୌଡ଼ି ଆରମ୍ଭ କରିଦେଇଥିଲେ ।
ବନ୍ଧୁ ପ୍ରଥମେ କହିଲେ, ‘ମୁଁ ବେଟ୍ ମାରି କହୁଛି ଯେ ଆପଣ ଏବେ ଛୁଟିରେ ଯାଇ ଇଂଲଣ୍ଡ୍ ବୁଲି ଆସିବାକୁ ଚାହୁଁଥିବେ । ଦେଖୁଛନ୍ତି ତ ଏଠି କି ଗରମ । ଚିନ୍ତା କଲେ, ଏ ଗରମରେ ଏଠି ସିଝିବା ଅପେକ୍ଷା ଯଦି ଆପଣ ଏବେ ଟେମସ୍‌ ନଦୀକୂଳର ରିଚମଣ୍ଡ୍ ନିକଟରେ ବୁଲୁଥାଆନ୍ତେ? ଆପଣ ଯଦି ଛୁଟି କଟେଇବାକୁ ବିଲାତ ଯିବେ ମୁଁ ବି ଆପଣଙ୍କ ପଛେ ପଛେ ଯିବି । ଗଲା ସପ୍ତାହେ ହେଲା ସତକୁ ସତ ଅସହ୍ୟ ଗରମ ପଡ଼ିଥିଲା । ଉତ୍ତାପ ମପା ଯନ୍ତ୍ରରେ ସବୁଦିନ ପ୍ରାୟ ମାତ୍ରାଧିକ ଦେଖାଉଥିଲା ।

ଟାଇସନ ଏହି ସହରରେ ଅନେକ ବର୍ଷର ବୈଶାଖୀ ହାୱାୟରେ ବିତେଇଥିଲେ । ପୁଣି ଆଗାମୀ ବର୍ଷରେ ବି ସେଇ ଖରା ସହିବାକୁ ମନେମନେ ସ୍ଥିର କରିଛନ୍ତି । ବନ୍ଧୁଙ୍କ ପ୍ରସ୍ତାବରେ ସେ କହିଲେ, ‘ ମତେ ଏ ଗରମ ଅସୁବିଧା ଲାଗୁନି । ସବୁ ମୋର ଦେହସୁହା ହୋଇଗଲାଣି । ପୁଣି ମୋର ଅବଶିଷ୍ଟ ଜୀବନ ତ ଏଇ ଗରମରେ
ବିତେଇବାକୁ ପଡ଼ିବ ।’

ବନ୍ଧୁ ଆଉ କିଛି ପ୍ରତିବାଦ ନ କରି କହିଲେ, ‘ତୁମର ଯେତେ ଛୁଟି ଅଛି ଯଦି ସେସବୁ ମୋତେ ମିଳି ଯାଆନ୍ତା, ମୁଁ ସାଙ୍ଗେ ସାଙ୍ଗେ ଏଇଠୁ ଉଠି ଲଣ୍ଡନ ଯାଆନ୍ତି । ମୁଁ ଚିନ୍ତା କରିପାରୁନାହିଁ ଏ ସହରରେ ଏମିତି କି ଜାଦୁକରୀ ଶକ୍ତି ବନ୍ଧି ରଖିଛି ।ଏମିତି କି ଧୂ ଧୂ ଖରାଦିନେ ବି?

ମିଃ ଟାଇସନ କିଛି ନ କହି ଚୁପ୍ ରହିଲେ । କିଛି ସମୟଚୁପ୍‌ ରହିଲେ । କିଛି ସମୟ ଲାଗି ଆମ କଥାବାର୍ତ୍ତାରେ ଭଟ୍ଟା ପଡ଼ିଗଲା । କେବଳ ଯାହା ପାଖ ପାତ୍ରରେ ଥୁଆ ହୋଇଥିବା ବରଫ ଆଣି ଗ୍ଲାସରେ ପକାଇବାର ଶବ୍ଦ ଓ ତା’ ସାଙ୍ଗକୁ ସନ୍ଧ୍ୟାରେ ବଗିଚା ଭିତରୁ ଶୁଭୁଥିବା ଝିଙ୍କାରୀମାନଙ୍କ ଶବ୍ଦ । ଟାଇସନ ନିରବରେ ତାଙ୍କ ପାଇପ୍‌ରେ ନିଆଁ ଧରେଇଲେ ।

ବନ୍ଧୁଙ୍କ ବୁଲୁ ଟେରିଆର୍ ଏବଂ ମାର୍ଥାର ଭୁକିଲା ଶବ୍ଦ ଆମମାନଙ୍କ କାନରେ ବାଜୁଥିଲା । ତା’ ସାଙ୍ଗକୁ ଦୁହିଙ୍କ ଦୌଡ଼ାଦୌଡ଼ର ଦୃଶ୍ୟ । ପୁଣି କେତେବେଳେ ଦୁହେଁ ଭୁକୁଥିଲେ ଏକା ସାଙ୍ଗରେ । ହଠାତ୍ କ’ଣ ହେଲା କେଜାଣି ଦୁଇଟାଯାକ କୁକୁର ଫଁ ଫଁ ହୋଇ ଖୁବ୍ ରୋଜରେ ନିଃଶ୍ୱାସ ପ୍ରଶ୍ୱାସ ନେଇ ଠିଆ ହୋଇଗଲେ ।

ବନ୍ଧୁ କହିଲେ, ‘ଏଇ ଚୁଚୁନ୍ଦ୍ରାଟିଏ ହେବ ବୋଧେ । ସେଇଥିଲାଗି କୁକୁର ଦି’ଟାଯାକ ବୋଧେ ଫଁ ଫଁ ହେଉଛନ୍ତି । ୟେ ଚୁଚୁନ୍ଦ୍ରାଗୁଡ଼ାକ ଆଜିକାଲି ଏତେ ହେଲେଣି ଯେ
କେତେବେଳେ ଲୁଚିଛପି ଘର ଭିତରକୁ ପଶି ଆସୁଛନ୍ତି ଆଉ ଘରସାରା ଝାଡ଼ା ଫେରି ବେଶ୍ ଅଳିଆ ଅସନା କରି ପକାଉଛନ୍ତି । ଧର, ଧର, ତାକୁ ଫ୍ଲସି ।’ ବନ୍ଧୁ ନିଜ ପାଳିତ ଶ୍ୱାନକୁ ଆଦେଶ ଦେଲା ଭଙ୍ଗିରେ ବଡ଼ ପାଟିଟାଏ କଲେ ।

କୁକୁର ଦି’ଟା ଏଥର ଆହୁରି ଆଗ୍ରହରେ କୁଦି ପଡ଼ିଲେ ଚୁଚୁନ୍ଦ୍ରାଟା ଉପରକୁ । ହେଲେ ବାରମ୍ବାର ଡେଇଁ ସୁଦ୍ଧା ସେମାନେ ତାକୁ ଧରିପାରୁ ନ ଥିଲେ । ପୁରି ବେଳେବେଳେ ସେମାନେ ତାଙ୍କର ମୁନିବଙ୍କ ଆଡ଼କୁ ଚାହିଁ ଦେଉଥାନ୍ତି ଅଧିକ ଉତ୍ସାହ ପାଇଁ ।

‘ଟିକ୍ ଟିକ୍‌’ ଶବ୍ଦ କରି ଚୁଚୁନ୍ଦ୍ରାଟା ତା’ ଗାତରୁ ବାହାରି ଦୌଡ଼ିବାରେ ଲାଗିଲା । ଆମରି ସାମ୍ନା ଲନ୍ ଦେଇ ସେ ପଳେଇବାକୁ ଚେଷ୍ଟା କରୁଥିଲା । କୁକୁର ଦି’ଟାଯାକ ବି ତା’ ପଛରେ ଜୋର୍‌ରେ ଦୌଡ଼ିଥାଆନ୍ତି କୁଦା ମାରି । ଆମେ ଆମ ଗୋଡ଼ସବୁ ଟେବୁଲ ଉପରେ ଲଦିଦେଇ ଚିତ୍କାର କଲୁ, ‘ମାର୍ଥା, ହେଇଟି ଏଇଆଡ଼େ ଗଲା’, ‘ଫ୍ଲସି, ଏଇଠି, ଏଇଠି ।’

ଚୁଚୁନ୍ଦ୍ରାଟା ୟା’ଭିତରେ ଖସି ପଳାଇଥିଲା ରାସ୍ତା ଉପରକୁ । ତା’ର ସେଇ ‘ଟିକ୍ ଟିକ୍‌’ ଶବ୍ଦ ଯେପରି ତା’ର ପଥ ବତେଇ ଦେଉଥିଲା । ଦୁଇଟିଯାକ କୁକୁର ବି ଦୌଡ଼ିଗଲେ ତା’ ପଛେ ପଛେ । ବୁୁଲ୍ ଟେରିଅରଟି ଆଗେ ଆଗେ ଦୌଡ଼ୁଥିଲା ଲିଡର ଭଳି । ତା’ ପଛକୁ ବ୍ୟଣ୍ଡିକୁଟ୍‌ଟି । ରାସ୍ତା ପାରହୋଇ ସେ ସିଧା ଡେଇଁପଡ଼ିଲା ଆର ପଟ ନର୍ଦ୍ଦମା ଭିତରକୁ ।

ଭାଗ୍ୟକୁ ନଳାଟା ଶୁଖିଲାଧିଲା । ମାର୍ଥା ଠିକ୍ ରାସ୍ତା ମଝିରେ ହେଇଚି କି ନାହିଁ ହଠାତ୍ ତା’ଆଖିରେ କାର୍‌ ହେଡଲାଇଟ୍‌ର ଆଲୁଅ ପଡ଼ିଲା । ସେ ତା’ର ସେଇ ପୃଥୁଳ
ଶରୀରଟିକୁ ବୁଲାଇ ତେର୍ଚ୍ଛୀ ଅନେଇଲା କାର୍‌ର ଲାଇଟ୍‌ ଆଡ଼େ । ମାତ୍ର କେଇଟି ମୁହୂର୍ତ୍ତ ଭିତରେ କାର୍‌ଟା ମାଡ଼ିଗଲା ତା’ ଉପରେ ।

ଟାଇସନ୍ ଲନ୍‌ର ଚେୟାର ଉପରେ ବସି ସୁଦ୍ଧା ଚାହିଁଥାନ୍ତି ମାର୍ଥା ଆଡ଼େ । ସେ ହଠାତ୍ ଚେୟାରଟି ଉପରୁ ଡେଇଁପଡ଼ି ଧାଇଁଗଲେ ରାସ୍ତା ଉପରକୁ । ମାର୍ଥାର ମେରୁଦଣ୍ଡ ପୂରା ଭାଙ୍ଗି ଚୂରମାର ହୋଇଯାଇଥିଲା । ସେ କେବଳ ଗୋଟି ଦରଛିଣ୍ଡି ଜିଆ ଭଳି ତଳେ ଯନ୍ତ୍ରଣାରେ ଛଟପଟ ହେଉଥିଲା । ଟାଇସନ୍ ସାଙ୍ଗେ ସାଙ୍ଗେ ତାକୁ ଟେକି ନେଇଆସିଲେ ଭିତରକୁ । ତାଙ୍କ ଆଖି ସେତେବେଳକୁ ସମ୍ପୂର୍ଣ୍ଣ ଛଳଛଳ ।

ତୁରନ୍ତ ଆମର ବନ୍ଧୁ ଫୋନ୍ କଲେ ଜଣେ ପଶୁ ଚିକିତ୍ସକଙ୍କୁ । ମାତ୍ର କେଇ ମିନିଟ୍ ଭିତରେ ଡାକ୍ତର ଆସି ପହଞ୍ଚି ଗଲେ । ସେ ମାର୍ଥାକୁ ଭଲକରି ପରୀକ୍ଷା ନିରୀକ୍ଷା କରି ଦେଖିଲେ । ତା’ପରେ ନିଜ ହ୍ୟାଣ୍ଡ୍‌ବ୍ୟାଗ୍ ଭିତରୁ ଗୋଟିଏ ସିରିଞ୍ଜ ବାହାର କରି ସେଥିରେ ଔଷଧ ଭରିଲେ ଓ ମାର୍ଥାକୁ ସେଇ ଇଞ୍ଜେକସନଟି ଦେଇଦେଲେ ।
ଇଞ୍ଜେକସନଟି ଦେଇ ସାରିଲାପରେ ସେ ଟାଇସନକୁ କହିଲେ, ‘ଏଇ ଔଷଧଟି ର୍ମାାର ସବୁ ଯନ୍ତ୍ରଣା ଦୂର କରିଦେବ ।’

କେଇ ନିମିଟ୍ ପରେ ମାର୍ଥା ଶେଷ ନିଃଶ୍ୱାସ ଛାଡ଼ିଲା । ତା’ର ଢେମାଢ଼େମା ଆଖି ଦି’ଟା ଯେମିତି ଲାଖିରହିଥିଲା ତା’ର ମୁନିବ ମୁହଁ ଆଡ଼େ । ଟାଇସନ୍ ଛୋଟ ପିଲାଟି ଭଳି କାନ୍ଦିଉଠିଲେ ଏସବୁ ଦେଖି ।

ଏଇ ଘଟଣା ପରଠାରୁ ମୋର ଟାଇସନ ସାହାବଙ୍କ ସାଙ୍ଗରେ ଆଉ କେବେ ପାର୍କରେ ଭେଟ ହୋଇ ନ ଥିଲା । ତା’ କିଛି ଦିନପରେ ସ୍ଥାନୀୟ କ୍ଲବମାନଙ୍କର ନୋଟିସ ବୋର୍ଡରେ ଗୋଟିଏ ନୋଟସ ଦେଖିବାକୁ ମିଳିଲା । ସେଥବରେ ଟାଇସନଙ୍କ ଘରର ଯାବତୀୟ ଘରକରଣା ଉପକରଣଗୁଡ଼ିକର ବିକ୍ରି ପାଇଁ ସୂଚନା ଦିଆଯାଇଥିଲା । ସୌଖିନ ଖଟପଲଙ୍କଠାରୁ ଡେକଚି, କରଚୁଲି ପର୍ଯ୍ୟନ୍ତ । ସିଏ କାଳେ ଖୁବ୍ ଶୀଘ୍ର ବିଲାତ ଫେରିଯିବେ, ଛୁଟିରେ ନୁହେଁ, ପୂରାପୂରି ଭାରତ ଛାଡ଼ି । ୟା’ଭିତରେ ସେ
ତାଙ୍କ ଚାକିରିରୁ ଇସ୍ତଫା ମଧ୍ୟ ଦେଇ ସାରିଥିଲେ ।

ମିଷ୍ଟର ଟାଇସନ ଯେଉଁଦିନ ଭାରତ ଛାଡ଼ି ବିଲାତ ଗଲେ ସେ ଦିନ ମୁଁ ବି ଅନ୍ୟ ବନ୍ଧୁମାନଙ୍କ ଭଳି ଏୟାରପୋର୍ଟ ପର୍ଯ୍ୟନ୍ତ ଯାଇଥିଲି ତାଙ୍କୁ ବଳେଇ ଦେଇ ଆସିବାକୁ । ଏୟାରପୋର୍ଟ ସାରା ତାଙ୍କର ଚିହ୍ନା ପରିଚିତ ଦେଶୀ ବିଦେଶୀ ବନ୍ଧୁଙ୍କ ଗହଣରେ ଭରପୂର! ତାଙ୍କ ନିଜ ଅଫିସର କର୍ମଚାରୀମାନେ ବି ଆସିଥାନ୍ତି ଟାଇସନଙ୍କୁ ବିଦାୟ ଦେବାକୁ । ଏଇ ବିଦାୟ ମୁହୂର୍ତ୍ତରେ ସୁଦ୍ଧା ସେ ବେଶ୍ ସହଜଭାବେ କଥାବାର୍ତ୍ତା କରୁଥାନ୍ତି । ଲାଉଡସ୍ପିକରରୁ ଶୁଣିଲି ବିମାନ ଛାଡ଼ିବା ପୂର୍ବରୁ ଯାତ୍ରୀମାନଙ୍କୁ ବିମାନ
ଧରିବା ପାଇଁ ଚେତାବନୀ । ସେ ବିନା ବାକ୍ୟରେ ସମସ୍ତଙ୍କ ସାଙ୍ଗରେ ହାତ ମିଳାଇନେଲେ । ଜଣେ ବ୍ରିଟିଶ୍ ବନ୍ଧୁ ହାତ ମିଳାଉ ମିଳାଉ ମନ୍ତବ୍ୟ ଦେଲେ, ‘ତା’ହେଲେ ଶେଷରେ ଆପଣ ଭାରତ ଛାଡ଼ିଲେ ମିଷ୍ଟର ଟାଇସନ । ଆମେମାନେ ତ ଭାବିଥିଲୁ ଆପଣ ଏଇଠି ଭାରତର ନାଗରିକତ୍ୱ ଗ୍ରହଣକରି ଘରଦ୍ୱାର ତୋଳି ରହିଯିବେ ବୋଲି ।’

‘ସେ ଆଶଙ୍କା ତୁମର ଭୁଲ୍ ଥିଲା ବନ୍ଧୁ! ବାସ୍ତବପକ୍ଷେ ପଶୁପକ୍ଷୀମାନଙ୍କୁ ବ୍ରିଟେନ୍ ନେବାଲାଗି ବ୍ରିଟିଶ୍ ସରକାରଙ୍କର କି ଅନ୍ଧ ଆଇନ! ଗୋଟିଏ ପ୍ରିୟ ପୋଷା ଜୀବଟିକୁ ଛଅମାସଯାଏ ଛାଡ଼ି ତୁମେ କେମିତି ବିଲାତ ଯାଇପାରିବ! ତୁମେ ନିଜେ କହୁନ, ତୁମେ ହେଇଥିଲେ କ’ଣ ଯାଇପାରିଥାନ୍ତ?’ ଟାଇସନ ନିଜ ବିମାନଟି ଧରିବାକୁ ଯିବା ପୂର୍ବରୁ ବନ୍ଧୁଙ୍କ ଉଦ୍ଦେଶ୍ୟରେ ହାତ ହଲାଉ ହଲାଉ ପଚାରିଲେ ଓ ଉତ୍ତର ପାଇବା ପୂର୍ବରୁ ସେ ବେଶ୍ ଦୂରକୁ ଚାଲି ଯାଇଥିଲେ ।

 

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

 

Leave A Reply

Your email address will not be published.