ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଫୋନ ରିସିଭ୍ କଲା ଆସ୍ଥା । ନିମିଅପା ! ଗୁଡାଏ ଦିନ ପରେ ! ଖୁସିରେ ଗଦ୍ ଗଦ୍ ହୋଇଗଲା । ଖୁସିର ଲୁହ ଟଳମଳ ହେଉଥିଲା ତା ଆଖିରେ ! ” କେମିତି କହିବି ନିମିଅପା ଏକା ସାଙ୍ଗରେ ଏତେ ଗୁଡ଼ିଏ ଖୁସି ! ସମ୍ଭବଙ୍କ ଅନିଚ୍ଛା ସତ୍ତ୍ୱେ ମୋକ୍ଷତା ମ୍ୟାମଙ୍କ ସହିତ ସୁରେଖାର ଆଡ୍ମିସନ କଥା ,କଥା ହୋଇଯାଇଛି ଅପା । ଏଥିପାଇଁ ସମ୍ଭବଙ୍କ ସହିତ ଯୁକ୍ତି ତର୍କ ପାଟିତୁଣ୍ଡ ବି ହେଇଛି କିନ୍ତୁ ମୁଁ ମୋର ଦୃଢ଼ତା ବଜାୟ ରଖିଛି। ପିଲାମାନଙ୍କର ପଢ଼ାପଢ଼ି ଦେଖୁଚି ,ସେମାନଙ୍କ ଅଧିକରୁ ଅଧିକ ଯତ୍ନ ନେଉଚି । ଜୀବନକୁ ସହଜ କରି ଜିଇଁବା ଆରମ୍ଭ କରିଚି । ପିଲାଙ୍କ ଉପରେ କୌଣସି ପ୍ରକାର କୁପ୍ରଭାବ ବା କଳା ଛାଇ ପଡ଼ିବାକୁ ଦେଉନି । ମୋ ହାତ ତିଆରି କୁନି ବଗିଚାଟି ଆଦର ସେବା ଯତ୍ନ ପାଇ ବର୍ତ୍ତମାନ ନର୍ସରୀରେ ପରିଣତ ହୋଇ ସାରିଲାଣି !! ଆଉ ଗୋଟେ ଖୁସିର କଥା ଅପା ,ମୋ ହାତର କୁନି ଲେଖାଟେ ବର୍ତ୍ତମାନ ଉପନ୍ୟାସର ରୂପରେଖ ନେବାକୁ ବସିଲାଣି !! ”
ନିମିଅପା : “ଓଃହ ତୁ ଜାଣିପାରିବୁନି ତୋର ଏଇ କଥାରେ ମୁଁ କେତେ ଖୁସି ! ତୋ ଠାରୁ ଠିକ ଏୟା ହିଁ ଚାହୁଁଥିଲି ଆସ୍ଥା ।ଏହା ହିଁ ତ ଜୀବନ କୁ ଜିଇଁବାର କଳା ! ଏହାକୁ ଖାଲି ଯାହା ଅମଳ କରିବାର ଅଛି ,କରି ଚାଲ୍ …।ଏହା ତୋର ଆରମ୍ଭ ମାତ୍ର ଆଗକୁ ଆହୁରି ଲମ୍ବା ଅଛି ରାସ୍ତା …ଈଶ୍ୱରଙ୍କ ଉପରେ ଆସ୍ଥା ରଖି ଆଗକୁ ବଢି ଚାଲ୍ । ମୁଁ ତୋ ସାଙ୍ଗରେ ଅଛି କେବେ ନିଜକୁ ଏକା ଭାବିବୁନି । ଏଇ କଥାଟିକୁ ମୋର ସବୁବେଳେ ମନେ ରଖିଥିବୁ ।”
Comments are closed.