ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ମାଆ ଆଜି ଓପାସ କାଲି ବ୍ରତ , ବାର ମାସରେ ତେର ପର୍ବ , ଶ୍ରାଦ୍ଧ ମଉଳା ବିଧି ବିଧାନ, ଯେଉଁ ପର୍ବରେ ସେଇ ପିଠା ଆଜି ଯାଏ ଯେତେ ଅସୁବିଧା ହେଉ ପଛକେ ସବୁ କରି ଆସିଛନ୍ତି । ନିଜେ ଓପାସ ରହି ଅନ୍ୟକୁ ଖୁଏଇବାରେ ତାଙ୍କର ଯେଉଁ ଅଦ୍ଭୁତ ଖୁସି ଦେଖିବାର କଥା ! କେତେ ଆଉ କହିବି ଯେତେ କହିଲେ ବି ତାଙ୍କ ମହାନତା କମ ହିଁ ହେବ ! ମୁଁ ଥକି ଯିବି ପଛେ ତାଙ୍କ କଥା ବ୍ୟଥା କହୁଥିଲେ ସରିବନି ! ସବୁ କରି ଧରି ସମସ୍ତଙ୍କୁ ସାଥିରେ ନେଇ ଚାଲିଛନ୍ତି । ଆଜି ଯଦି ମୁଁ ଏତେ ବଡ଼ ମଞ୍ଚରେ ,ଆପଣଙ୍କ ପରି ଜ୍ଞାନୀ ଗୁଣୀ ବ୍ୟକ୍ତିଙ୍କ ସାମ୍ନାରେ ,ଗୋଲ୍ଡ଼ମେଡ଼ାଲ୍ ପରିଏତେ ବଡ଼ ସଫଳତା ହାସଲ କରି ପାରିଚି କେଵଳ ଆଉ କେବଳ ମାଆଙ୍କ ପାଇଁ ଆଉ ଏ ମେଡାଲ୍ ର ପ୍ରକୃତ ହକ୍ଦାର୍ ବି ମୋ ମାଆ ! ତେଣୁ ଆପଣ ମାନେ ତଥା ମଞ୍ଚାସୀନ ସଭାପତି ଏବଂ ଅତିଥି ବୃନ୍ଦ ଯଦି ଅନୁମତି ଦିଅନ୍ତେ ତେବେ ମୁଁ ମୋ ମାଆଙ୍କୁ ଏ ମେଡାଲଟି ପିନ୍ଧେଇ ତାଙ୍କଠାରୁ ଆଶୀର୍ବାଦ ନେବାକୁ ଚାହୁଁଚି ।
କରତାଳିର ଗୁଞ୍ଜରଣରେ ଆସ୍ଥା ଜନ ସମୁଦ୍ରର ଲହରୀ ଭାଙ୍ଗି ଆସି ପହଞ୍ଚିଲା ମଞ୍ଚ ଉପରେ ! ଦୁଇ ଆଖିରୁ ବୋହି ଯାଉଥାଏ ଲୁହ ,ଓଠରେ ଖୁସିର ଅଦ୍ଭୁତ ଝଲକ ! ଜନ ସମୁଦ୍ର ଭିତରେ ସମ୍ଭବ, ସ୍ୱୟଂ, ସ୍ୱାହା, ସାଗର, ନିମିଅପା ,ନିମିଅପା ଙ୍କର ସ୍ୱାମୀ ଙ୍କର ଉପସ୍ଥିତି ପରିବେଶକୁ ଆହୁରି ମନୋଜ୍ଞ କରିଦେଉଥିଲା ! ମାୟା ତଥା ତା ହାତରେ ଗଢ଼ି ଥିବା ବିଭିନ୍ନ ସଂସ୍ଥା ଏବଂ ତାକୁ ଭଲ ପାଉଥିବା ତା ପାଖ ମଣିଷ ମାନଙ୍କ ଖୁସି ତା (ଆସ୍ଥା)ଦେହରେ ଅଦ୍ଭୁତ ଶିହରଣ ସୃଷ୍ଟି କରୁ ଥିଲା !
ଦେଖୁ ଦେଖୁ ତାକୁ ମିଡ଼ିଆ ପ୍ରେସ ସବୁ ଘେରି ଗଲେଣି ! ପ୍ରଶ୍ନ ଉପରେ ପ୍ରଶ୍ନ ଆପଣ ଆପଣ ଜଣେ ଗୃହିଣୀ ହୋଇ ବି ଏତେ ବଡ ସଫଳତା କେମିତି ହାସଲ କଲେ ? ଏ ସଫଳତାର ରହସ୍ୟ କଣ କୁହନ୍ତୁ ? ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇ ଥିଲା ଆସ୍ଥା କିଛି ବୁଝି ପାରୁନଥିଲା !
ପୁଣି ଥରେ ମଞ୍ଚରେ ବସିଥିବା ମଞ୍ଚ ପରିଚାଳକ ଘୋଷଣା କରିବାକୁ ଲାଗିଲେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କେବଳ ଏ ମହିୟସୀ ମହିଳା ସୁରେଖା ଦେବୀଙ୍କର ସଫଳତାର ଚାବିକାଠି ନୁହଁନ୍ତି ବରଂ ସେ ନିଜସ୍ୱ ଏକ ସାରଣୀ ସୃଷ୍ଟି କରିଛନ୍ତି ଜଣେ ଲେଖିକା ବା ଜଣେ ଔପନ୍ୟାସିକା ଭାବରେ !ତାପରେ କିଛି କ୍ଷଣ ପାଇଁ ସେ ମହାଶୟ ଜଣକ ବି ନିରବୀ ଯାଇଛନ୍ତି ଏବଂ ମଞ୍ଚରୁ ହଠାତ୍ ଆଲୋକ ଲିଭି ଯାଇଥିଲା ,କିଛି ସମୟ ଭିତରେ ମଧ୍ୟ ଏକ ସୁନ୍ଦର ମସ୍ତବଡ ବ୍ୟାନର୍ ମଞ୍ଚର ବେଗ୍ରାଉଣ୍ଡରେ ଶୋଭା ପାଉଛି ଏବଂ ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଛି , “ଦଗ୍ଧ ଉପବନ”ର ଜନ୍ମଦାତ୍ରୀ ଶ୍ରୀମତୀ ଆସ୍ଥା ରଥ !
ଆସ୍ଥା ସ୍ତବ୍ଧ ହୋଇ ସେମିତି ଠିଆ ହୋଇ ରହିଛି ! କଣ କହିବ କିଛି ଜାଣି ପାରୁନି ! ଗହଳି ଭିତରୁ ନିମିଅପା ଉଠି ଆସିଥିଲେ ମଞ୍ଚ ଉପରକୁ ଖୁସିରେ ତାକୁ କୁଣ୍ଢେଇ ଜାବୁଡ଼ି ଧରିଥିଲେ ! ନିମିଅପା ଙ୍କୁ ଧରି ଖୁସି ରେ କାନ୍ଦି ପକେଇଲା ଆସ୍ଥା ଏବଂ ଆସ୍ତେ ଆସ୍ତେ ପ୍ରକୃତିସ୍ଥ ହେବାକୁ ଲାଗିଲା !
ମାଇକ୍ରୋଫୋନ ଧରି ସୁରେଖା କହିବାକୁ ଆରମ୍ଭ କଲା , ସବୁବେଳେ ଭାବେ ମାଆ ରାତି ରାତି ସମସ୍ତେ ଶୋଇଗଲା ପରେ କଣ ସବୁ ଲେଖନ୍ତି …।ଦିନେ ଡାଏରୀର ପୃଷ୍ଠା ଓଲଟାଇ ଦେଖେତ ଉପନ୍ୟାସର ଧାରାରେ ଧାରାବାହିକ ଗଡି ଚାଲିଛି ମାଆଙ୍କର ଲେଖା ! ପ୍ରଥମେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ମାଆ ଏମିତି ଲେଖି ପାରନ୍ତି ! ତାପରେ ତାଙ୍କର ଖୁବ ପ୍ରିୟ ମଣିଷ ନିମିଅପା ଙ୍କ ସହିତ ଫୋନରେ ଆଲୋଚନା କରି ଛାପିବା ଉଦ୍ଦେଶ୍ୟରେ ପ୍ରେସରେ କଥା ହେଲି । ସେମାନେ କାହାଣୀଟିକୁ ପଢ଼ି ଖୁସି ହୋଇଗଲେ ଏବଂ ଛାପିବା ପାଇଁ ସାଙ୍ଗେ ସାଙ୍ଗ ରାଜି ହୋଇଗଲେ ଏବଂ ନିଜେ ପ୍ରକାଶିତ କରିବାକୁ ଚାହିଁଲେ ! ବହୁତ ଶୀଘ୍ର ଛାପା କାର୍ଯ୍ୟ ସମ୍ପାଦନ ହୋଇ ଯାଇଥିଲା ମାଆଙ୍କ ଅଗୋଚରରେ ।ତାପରେ ମୋତେ ଏ ମେଡାଲ ପୁରସ୍କାର ଦେବାର ତାରିଖ ସ୍ଥିର ହେବାପରେ ଆମେ ନିମିଅପାଙ୍କ ସହିତ ଘର ଲୋକଙ୍କ ଆପସ କଥାବାର୍ତ୍ତା ରେ ମାଆଙ୍କର ଏହି ଉପନ୍ୟାସଟିକୁ ଆଜି ଏହି ମଞ୍ଚରେ ଉନ୍ମୋଚନ କରି ମାଆଙ୍କୁ ସରପ୍ରାଇଜ ଦେବା କଥା ସ୍ଥିର କଲୁ ଏବଂ ଆଜି ମାଆଙ୍କର ପ୍ରଥମ ମାନସୀ କନ୍ୟା ରୂପରେ “ଦଗ୍ଧ ଉପବନ”ଆପଣଙ୍କ ସାମ୍ନାରେ !
ଖୁସିରେ ବିଭୋର ହୋଇ ପଡୁଥିଲା ଆସ୍ଥା ! ଆସ୍ଥା ବର୍ତ୍ତମାନ କହିବାକୁ ଆରମ୍ଭ କଲା ମିଡ଼ିଆ ଆଉ ପ୍ରେସ ସାମ୍ନାରେ , ସୁରେଖା ଯାହା ଯାହା ସବୁ ମୋ ବିଷୟରେ କହିଲା ଏସବୁ ତାର ମହାନତା ! ସେ ନିଜେ ବହୁ ସୁଗୁଣ ଆଉ ବହୁ ପ୍ରତିଭାର ଅଧିକାରୀ ତେଣୁ ଏସବୁ କରିବା ଆଉ କହିବା ,ସେ ଉଦାର ହୃଦୟର ପରିଚୟ ପରିଚୟ ଦେଇଛି !
ସୁରେଖା ମୋତେ ପାଇ ଧନ୍ୟା ହୋଇଛି ତା ନୁହେଁ ବରଂ ମୁଁ ତାକୁ ଝିଅ ରୂପେ ପାଇ ଧନ୍ୟା ହୋଇଛି ଗୌରାବାନ୍ୱିତା ହୋଇଛି !!ଏହଭଳି ଝିଅ ସମସ୍ତଙ୍କର ଗର୍ଭରୁ ଜନ୍ମ ନେବା ଉଚିତ । ଏହିଭଳି ପିଲାମାନଙ୍କୁ ଆମେ ଆମ ଅଙ୍ଗରୁ ,ଅନ୍ତରରୁ ,ପରିବାରରୁ ଏପରିକି ସମାଜରୁ ବାଛନ୍ଦ କରି ଦେଉଚେ ବିନା ଦୋଷରେ ସେମାନଙ୍କୁ ଦଣ୍ଡିତ କରୁଛେ ! ଯୁଗ ହୁଏତ ଆଗକୁ ବଢ଼ିବାରେ ଲାଗିଛି କିନ୍ତୁ ଆମ ମାନଙ୍କର ମାନସିକତା …?? ଆମେ ନିଜକୁ ନିଜେ ପ୍ରଶ୍ନ କରିବା ସମୟ ଆସି ଯାଇଚି । ସେମାନଙ୍କୁ ଆମେ ଏମିତି ହଇରାଣ କରି ପାଉଚେ କଣ ? ବେରୋଜଗାରି , ଅସାମାଜିକ ଚିନ୍ତା ଆଉ ଚେତନା ? ଆଚ୍ଛା ଚିନ୍ତା କଲେ ସମାଜର ଦ୍ୱାହି ଦେଇ ଏମାନଙ୍କୁ ଆମେ ବାପା ମାଆ ଆମଠାରୁ ଅଲଗା କରି ଖୁସିରେ ରହି ପାରୁଚେ ତ ନିଶ୍ଚିନ୍ତ ରେ ରହି ପାରୁଚେ ତ ? ତେବେ କୋଉଥି ପାଇଁ ଏସବୁ ??
ଛାଡ଼ନ୍ତୁ ……ଏସବୁ ଆପଣ ମାନଙ୍କୁ କହିବା ଯାହା ଅନ୍ଧ ଆଖିରେ ଆଙ୍ଗୁଠି ଗେଞ୍ଜିବା ତାହା ! ତେବେ ମୁଁ ଆଜି କହୁଚି ମୋର ସ୍ୱୟଂ ସ୍ୱାହା ପରି ସୁରେଖା ମୋର ଗର୍ବ ।
ଭିଡ଼ ଭିତରୁ ସୁରେଖାର ବାପା ମାଆ କୋହ ସମ୍ଭାଳା ପଡିନଥିଲା ,ଭୋ ଭୋ କାନ୍ଦି କାନ୍ଦି ମଞ୍ଚ ଉପରକୁ ଉଠି ଆସିଥିଲେ ! ମାଆ ଆମର ଭୁଲ ହୋଇ ଯାଇଛି କ୍ଷମା କରି ଦିଅନ୍ତୁ ଆମେ ସୁରକ୍ଷାର ବାପା ମାଆ ।ଭଦ୍ରାମିର ସହିତ ଆସ୍ଥା କହିଲା, ମୋତେ ନୁହେଁ ଆଜ୍ଞା ସୁରେଖାକୁ ….।
ମାଆରେ ଗୋଲ୍ଡ଼ମେଡାଲ ପାଇବା କଥା ପେପର,ଟିଭି ,ସୋସିଆଲ ମିଡ଼ିଆ ସବୁଆଡ଼େ ପ୍ରଚାର ଦେଖି ଆମ ଛାତି କୁଣ୍ଢେମୋଟ ହୋଇ ଯାଉଛି ।ଶୁଣି ଆଉ ରହି ପାରିଲୁନି ତୋତେ ଦେଖା କରିବାକୁ ଚାଲିଆସିଲୁ । ସମସ୍ତଙ୍କ ଆଗରେ ଆମ ଦୁହେଁ ତୋତେ ଭୁଲ ମାଗୁଛୁ ମାଆ ଆମକୁ କ୍ଷମା କରିଦେ । ଚାଲ୍ ଘରକୁ ଯିବା ।
ତୁମେ ମୋ ବାପା ମାଆ ।ଜଣେ ଆକାଶ ହେଲେ ଜଣେ ଧରିତ୍ରୀ ମାଆ ଆପଣମାନେ ମୋତେ କ୍ଷମା ମାଗନ୍ତୁନି ! ତାପରେ ମୁଁ ଆପଣଙ୍କୁ କେବେ ଭୁଲ ବୁଝିନି ।ମଣିଷ ସମୟ ଆଉ ପରିସ୍ଥିତିର ଦାସ ଏଥିରେ ଆପଣଙ୍କ ବା ଭୁଲ କଣ ? ସବୁ ମୋ ଭାଗ୍ୟ ! ଛାଡ଼ନ୍ତୁ ବୋଧେ ଘର ଛାଡି ଆସି ନ ଥିଲେ ମୁଁ ଆଜି ଏଠି ଏଡ଼େ ବଡ଼ ମଞ୍ଚ ରେ ଗୋଲ୍ଡ଼ମେଡାଲ ପାଇଁ ଠି ଆ ହୋଇ ପାରି ନ ଥାନ୍ତି ।ତେଣୁ “ଈଶ୍ୱର ଯାହା କରନ୍ତି ପ୍ରାଣୀ ର୍ ମଙ୍ଗଳ ପାଇଁ ।”ଆପଣ ମାନେ ବ୍ୟସ୍ତ ହୁଅନ୍ତୁନି ମୁଁ ଏବେ ନିର୍ଦ୍ୱନ୍ଦରେ ଆପଣ ଙ୍କ ପାଖକୁ ଯାଇ ଆସି ପାରିବି କିନ୍ତୁ ଆସ୍ଥା ମାଆ ଙ୍କ ପାଖରେ ରହିବି ।ଆପଣମାନେ ମୋତେ ଏମିତି ଆଶୀର୍ବାଦ କରୁଥାନ୍ତୁ । ସତରେ ଆଜି ଆପଣ ମାନଙ୍କୁ ଦେଖି ମୋ ଖୁସିକୁ ଶବ୍ଦରେ ବ୍ୟକ୍ତ କରି ପାରୁନି ! ଦୀର୍ଘ ବର୍ଷ ପରେ ବାପା ମାଆ ଆଉ ଝିଅର ମିଳନରେ କେବଳ ଛଅଟି ଆଖି ଯେ ଓଦା ହୋଇ ଯାଇଥିଲା ତା ନୁହେଁ କେତେ କେତେ ଆଖି ଏ ଦୃଶ୍ୟ ଦେଖି ଓଦା ହୋଇ ଯାଇଥିଲା ! କାରତାଳିରେ ଫାଟି ପଡୁଥିଲା ଖଣ୍ଡ ମଣ୍ଡଳ ! ସୁରେଖାର ବାପା ମାଆ ମଧ୍ୟ ମଞ୍ଚ ତଳକୁ ଓହ୍ଲେଇ ଆସୁଥିଲେ ଆଖିରେ ଆଖିଏ ଲୁହ ଓଠରେ ଓଠ ଭର୍ତ୍ତି ହସ ନେଇ …..!
ଆସ୍ଥା: ମାଆ ସୁରେଖା ମୋତେ ଦୁନିଆ କଣ କହିବ ? ନିଜ ବାପା ମାଆ ଙ୍କ ସହିତ ନଯାଇ …..!
ସୁରେଖା: ଆପଣ ତେବେ ପର ମାଆ ମୋର ?
ଆସ୍ଥା: ଆରେ ନାଇଁ ରେ ମାଆ ଏମିତି କଣ କହୁଚୁ ?
ସୁରେଖା : ତେବେ ଆପଣ ମୋତେ ଆଉ ଏମିତି କଥା କେବେ କହିବେନି ଆଜି ସମସ୍ତଙ୍କ ଆଗରେ କଥା ଦିଅନ୍ତୁ ।
ଆସ୍ଥା: ହଉ ହେଲାରେ ମାଆ ।
ପରିବେଶ ବେଶ୍ ଆବେଗମୟ ଓ ଗମ୍ଭୀର ହୋଇ ପଡୁଥିଲା !
ପ୍ରେସ ଆଉ ମିଡ଼ିଆ ଘେରି ଯାଇଥିଲେ ମାଡାମ୍ ଆପଣଙ୍କ ବିଷୟରେ ଆଉ ଆପଣଙ୍କ “ଦଗ୍ଧ ଉପବନ” ବିଷୟରେ କିଛି କୁହନ୍ତୁ ?
ଆସ୍ଥା : ମୋ ବିଷୟରେ ଆଉ ମୋ ” ଦଗ୍ଧ ଉପବନ” ବିଷୟରେ ଆପଣ ” ଦଗ୍ଧ ଉପବନ” ପଢିଲେ ଜାଣି ପାରିବେ । ଏହାର କେନ୍ଦ୍ରବିନ୍ଦୁ ମୁଁ ! ମୋତେ ଆପଣମାନେ ଏଠି ଦେଖୁଛନ୍ତି କେବଳ ନିମିଅପା ଏବଂ ମୋ ପରିବାରର ପ୍ରତ୍ୟେକ ସଦସ୍ୟ ମାନଙ୍କ ପାଇଁ ।
କିନ୍ତୁ ମୁଁ ଆଉ ମୋ “ଦଗ୍ଧ ଉପବନ” କେବଳ ଆପଣମାନଙ୍କ ପାଇଁ …….।
ସମାପ୍ତ
Comments are closed.