ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’
ମାୟା ଦେଖିବାକୁ ଶ୍ୟାମଳ କିନ୍ତୁ ସୁନ୍ଦର ଚେହେରା । କିନ୍ତୁ , ବହୁତ ଦିନ ପରେ ସେ ଜାଣିବାକୁ ପାଇଲା ମାୟା ଆଉ ସମ୍ଭବ ଦୁହେଁ ପରସ୍ପରକୁ ….!! ସୌଖିନ୍ ଜିନିଷଠାରୁ ଆରମ୍ଭ କରି ସୁନା ଜିନିଷ ସବୁ ମାୟା ହିଁ ଚୋରି କରିବା କଥା ମଧ୍ୟ ନିଜେ ତା ଦୁଇ ଆଖିରେ ଦେଖିଥିଲା ! ଏତେ ବିଶ୍ୱାସ କରୁଥିବା ମଣିଷ ଟି ଯେ ! ହଠାତ୍ ସେ ନିଜ ଆଖିକୁ ବିଶ୍ୱାସ କରି ପାରିନଥିଲା ଆସ୍ଥା, ଏ ବିଷୟରେ ତା’ପୁଅ ଓ ଝିଅ ଦୁହେଁ ତାକୁ ଅବଗତ କରାଇବା ପରେ ମଧ୍ୟ !! ଆହୁରି ଆଶ୍ଚର୍ଯ୍ୟର କଥା !
ଏ କଥା ସମ୍ଭବଙ୍କୁ ଜଣେଇବା ପରେ ମାୟାକୁ ପଚରାଉଚୁରା କରିବା ବଦଳରେ ବରଂ ଆସ୍ଥା ଉପରେ ସମ୍ଭବଙ୍କ ରାଗ ଆହୁରି ଅଧିକ ବଢ଼ି ଯାଇଥିଲା !! କଥା କଥାରେ ଜୁଲୁମ ବଢିଯାଇଥିଲା ! ବଡ଼ ଘର ବୋହୂ, ଜଣାଶୁଣା ଓକିଲ ବାବୁଙ୍କ ସ୍ତ୍ରୀ , ବାଟିଏ ସମ୍ପତ୍ତି ,ବଙ୍ଗଳା, ଗାଡି-ଘୋଡ଼ା , ବ୍ୟାଙ୍କ ବାଲାନ୍ସ , ଦାମି ଦାମି ଶାଢ଼ୀ, ଚୁଡ଼ି ,ଗହଣା କୋଉଥିରେ ଅଭାବ ନାହିଁ ! ଅଭାବ ଥିଲା ଖାଲି ମନର , ଜଣକୁ ଆଉ ଜଣେ ବୁଝିବାର ! କଥାରେ ଅଛି, “ଅଜାଗା ଘାଆ ଦେଖି ହୁଏନି କି ଦେଖେଇ ହୁଏନି ।” ତେଣୁ ଲୁଚି ଲୁଚି ନିଜ ଲୁହ ନିଜେ ପୋଛେ ଆସ୍ଥା !
ଆଜି ସେ କାହାକୁ ମନ କଥା ଖୋଲି କହି କହିବାର ସୁଯୋଗ ପାଇଛି ! ମନ ଖୋଲି ନିଗାଡି ପକାଇବ ସବୁ ଦୁଃଖ, କଷ୍ଟ, ଯନ୍ତ୍ରଣାକୁ ! ଟିଫିନ ,ପାଣି ବୋତଲ ଦେଇ ପିଲାମାନଙ୍କୁ ସ୍କୁଲ ପାଇଁ ରେଡ଼ି କଲା ,ସମ୍ଭବଙ୍କୁ ଟିଫିନ ପାଣି ବୋତଲ ଦେଇ ସେମାନଙ୍କୁ ବିଦା କଲା ପରେ ହାଲକା ନିଶ୍ୱାସ ମାରିଲା ଆସ୍ଥା । ଛିନ୍ ଛତ୍ର ହୋଇ ପଡ଼ିଥିବା ଘରକୁ ସଜାଡ଼ି ସାରି ଟିକେ ଥକ୍କା ମାରି ବସି ଭାବିଲା ଆଜି ସ୍ୱପ୍ନିଲ ଫୋନ୍ କଲେ ଆରାମରେ ବସି ଢ଼େର ସାରା କଥା ଗପିବ ଭାବି ହାଲ୍କା ଟିଫିନ ଟିକେ କରି କଫି କପଟିକୁ ଓଠ ପାଖକୁ ନେଇଚି କି ନାଇଁ ସେତିକିବେଳକୁ , ଡୋରର କଲିଂ ବେଲ ଗର୍ଜି ଉଠିଲା , ପ୍ଲିଜ ଓପନ ଦ ଡୋର…….!!!