Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ନ୍ୟୁୟର୍କର ମୁଖ୍ୟସ୍ଥାନ ମନହଟ୍ଟନରେ ଏକଦମ୍ ସାଧାରଣ ଦିନଟିଏ । ଏଗାର ଆଭେନ୍ୟୁ, ବୟାଳିଶ ଷ୍ଟ୍ରୀଟ୍ ରେ ଥିବା ଘରମାନଙ୍କରେ ନିସ୍ତବ୍‌ଧତା ରାଜୁତି କରୁଥିଲା ସତ କିନ୍ତୁ କାମଦାମ ଚାଲିଥିବାର ହାଲ୍‌କା କୋଳାହଳ ବି ଥିଲା । ଆଉଟିକେ ପାଖକୁ ଗଲେ – ଗୋଟିଏ ଆପର୍ଟମେଣ୍ଟ ଆମ ନଜରକୁ ଆସେ – ସେଠି ତିନିଜଣ – ତାଙ୍କ ବୈଠକ ଗୃହରେ । ଆଉଟିକେ ନିରିଖେଇ ଦେଖିଲେ, ଆମେ ଦେଖିପାରିବା ପ୍ରାୟ ପନ୍ଦରବର୍ଷ ବୟସ୍କା ତରୁଣୀଟିଏ, ମାଗାଜିନ୍‌ର ପୃଷ୍ଠା ଉପରେ ନଜର ପକଉଥିବାର । ସଂକ୍ଷିପ୍ତରେ କହିବାକୁ ଗଲେ, ବୀରା ମାହେଶ୍ୱରୀ ହିଁ ମାଗାଜିନ୍‌ଟିକୁ ଦେଖୁଥିଲା । ତା’ ମା’ ଘରର ସବୁ କାମ ସାରି ସେଠି ବସି ଆରାମ କରୁଥିଲେ ।

ତାଙ୍କ ବଡ଼ଝିଅ, ବୀରାର ବଡ଼ଭଉଣୀ ସମୀରା, ଜିଂଜର୍ (ତାଙ୍କ ପୋଷା ବିଲେଇ)କୁ କୋଳରେ ଧରି ବସିଥିଲା ଓ ପଛପଟୁ ତା’ କାନକୁ ଧରି ଭିଡ଼ୁଥିଲା । କଳା କେଶଯୁକ୍ତ, ସୌମ୍ୟକାନ୍ତ, ଡେଙ୍ଗା ମିଃ ଅନନ୍ତ ମାହେଶ୍ୱରୀ – ମିସେସ୍‌ ମାହେଶ୍ୱରୀଙ୍କ ସ୍ୱାମୀ, ବୀରା ଓ ସମୀରାଙ୍କ ବାପା – ଘରକୁ ନ ଆସିବା ଯାଏଁ, ଘରଟି ସମ୍ପୂର୍ଣ୍ଣ ଭାବରେ ନିସ୍ତବ୍‌ଧ ହିଁ ଥିଲା ।

“ବାବା, ଏତେ ଜଲଦି ତମେ କେମିତି ଚାଲିଆସିଲ ଆଜି ଅଫିସ୍‌ରୁ?” ବୀରା ପଚାରିଲା ବେଳକୁ ସମୀରା ଜିଂଜର୍‌କୁ କୋଳରୁ କାଢ଼ି ଚଟାଣ ଉପରେ ଛାଡ଼ି ତା’ ବାବାଙ୍କୁ କୁଣ୍ଢେଇ ଧରି ଗେହ୍ଲା ହେବା ପାଇଁ ପାଖକୁ ଚାଲିଆସିଲା ।

ମିଃ. ମାହେଶ୍ୱରୀ କିଛି ଉତ୍ତର ନ ଫେରାଇ ଗୋଟେ ନିଃଶ୍ୱାସରେ କହିଗଲେ, “ମୋର ଭାରତକୁ ବଦଳି ହୋଇଯାଇଚି ।”

“କ’ଣ?” ମିସେସ୍ ମାହେଶ୍ୱରୀ ଆଶ୍ଚର୍ଯ୍ୟରେ ଚିଲ୍ଲେଇ ଉଠିଲେ ।

“ଆରେ, ମୋ’ର ଭାରତକୁ ବଦଳି ହୋଇଯାଇଚି” – କହି ଅନନ୍ତ ସମସ୍ତଙ୍କୁ ଡରେଇଦେଲେ ।

“କ’ଣ କହିଲ?” ପୁଣିଥରେ ମିସେସ୍ ମାହେଶ୍ୱରୀ ଏତେ ଜୋରରେ ଚିତ୍କାର କରି କହିଲେ ଯେ ଭୟରେ ବିଚରା ଜିଂଜର୍‌, ବୀରା ଗୋଡ଼ ତଳ ଦେଇ ଘୋଷାରି ହୋଇଯାଇ ସୋଫା ତଳେ ଲୁଚିବସିଲା । “ଆମେ ଏମିତି ଭାବରେ ଯାଇ ପାରିବୁନି! ଆମ ଘର, ବୀରା, ସମୀରାର ପାଠପଢ଼ା ଆଉ ତମ ଅଫିସ୍ – ସବୁକିଛି ଏଇଠି । ଆମେ ଏଠି ଖୁସିରେ ରହିଆସିଲେଣି । ନା ଅନନ୍ତ! ଏସବୁ ପାଇଁ ଆମେ ଆଦୌ ପ୍ରସ୍ତୁତ ନୁହେଁ ।”

କ୍ରମଶଃ

Leave A Reply

Your email address will not be published.