Latest Odisha News

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ପୁଅକୁ ଲୁଚେଇ ଲୁଚେଇ ମହିଳାଜଣକ ନିଜ ଲୁହ ପୋଛି ଦେଉଥାଆନ୍ତି । ଉଦାସ ରୋହାନ୍ ଭାବୁଥାଏ, ଏ ସବୁ ଭାଗ୍ୟର ବିଡ଼ମ୍ବନା, ଯାହା ଫଳରେ ଏ ପରିବାର ସବୁ ବିଚ୍ଛିନ୍ନ, ଆଉ ଏମାନଙ୍କ ଜୀବନ ଧ୍ୱଂସ୍ତବିଧ୍ୱଂସ୍ତ ।
ଏତିକିବେଳେ ରୋହାନ୍ ଦେଖିଲା ଜଣେ ମଧ୍ୟବୟସ୍କ ବ୍ୟକ୍ତି, ମାଇକ୍ ଧରି ବାର ନମ୍ବର ଲାଇଫ୍ ବୋଟ୍‌ରେ କ୍ଷତାକ୍ତ ଯାତ୍ରୀମାନେ ଆସି ପହଞ୍ଚିଯିବାର ସୂଚନା ଦେଉଥା’ନ୍ତି ।

ସେମାନେ ବର୍ତ୍ତମାନ ପ୍ଲାଟ୍‌ଫର୍ମର ନିକଟତର ହେଇ ଆସୁଥିବାରୁ ରୋହାନ୍ ସେ ଲୋକଟିର କଥା ସ୍ପଷ୍ଟ ଭାବରେ ଶୁଣିପାରୁଥାଏ । ସେମାନଙ୍କ ଲାଇଫ୍‌ବୋଟ୍‌ଟି ନିରାପଦରେ ପହଞ୍ଚିଯିବା ପରେ, ଜଣେ କର୍ମଚାରୀ ସୂଚନା ଦେଲେ ଯେ ଯାତ୍ରୀମାନେ ଏବେ ଏସ୍‌.ଏସ୍‌. ମରିନା ଜାହାଜରେ ସମସ୍ତ ସୁବିଧା ସହ ଯାତ୍ରା କରିବା ପାଇଁ କ୍ୟାପ୍‌ଟେନ୍ ପ୍ୟାଟ୍ରିକ୍ ସମର୍‌ସ୍‌ ଜୁନିୟର୍ ସହମତି ପ୍ରକାଶ କରିଛନ୍ତି । ସେମାନେ ନିର୍ଦ୍ଦିଷ୍ଟ ସମୟରେ କେପ୍‌ଟାଉନ୍ ବନ୍ଦରରେ ପହଞ୍ଚିବେ । ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରହିବା ବ୍ୟବସ୍ଥା ବିଷୟରେ ସୂଚନା ଦେଇ ପ୍ରଥମେ ଭଲରେ ଶୋଇନେବା ପାଇଁ କର୍ମଚାରୀ ଜଣକ ପରାମର୍ଶ ଦେଲେ ।

ଦୁଇଦିନ ପରେ ବଞ୍ଚି ଯାଇଥିବା ଯାତ୍ରୀମାନଙ୍କ ତାଲିକା ଆସିବା ପର୍ଯ୍ୟନ୍ତ, କେହି ନିଜ ସମ୍ପର୍କୀୟମାନଙ୍କୁ ହତାଶ ହୋଇ ୟାଡ଼େସିଆଡ଼େ ନ ଖୋଜିବା ପାଇଁ ସେ ଅନୁରୋଧ କରୁଥିଲେ । କାରଣ ଏହାଦ୍ୱାରା
କେବଳ ଭୟ ଏବଂ ବିଶୃଙ୍ଖଳାର ବାତାବରଣ ସୃଷ୍ଟିହେବ ବୋଲି ସିଏ ମନେ କରୁଥିଲେ ।

ଉଭୟ ଜାହାଜର କର୍ମଚାରୀମାନେ ସମାଧାନର ବାଟ ବାହାର କରିବାକୁ ଅନେକ ଚେଷ୍ଟା କରୁଥିଲେ ହେଁ, ଏହା ସମୟ ସାପେକ୍ଷ; ତେଣୁ ଅସୁବିଧା ପାଇଁ କ୍ଷମା ମାଗି ସମସ୍ତଙ୍କଠାରୁ ସହଯୋଗ କାମନା କରି ବ୍ୟକ୍ତିଜଣକ ପ୍ଲାଟ୍‌ଫର୍ମକୁ ଓହ୍ଲାଇ ହାତହଲାଇ ଚାଲିଗଲେ । ତାଙ୍କ ପଛେ ପଛେ ଗୋଟେ ଡଜନ୍ ପାଖାପାଖି ୱେଟର୍ ପ୍ଲେଟ୍‌ରେ ବିଭିନ୍ନ ପ୍ରକାରର ଜଳଖିଆ ସହ କମ୍ବଳ ଧରି ରୋହାନ୍‌, ସିଡ଼୍ ଓ ବୀରାମାନଙ୍କ ପାଖକୁ ଆସିଲେ । ଲାଇଫ୍‌ବୋଟ୍‌ର ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ୱେଟର୍‌ମାନେ ସେମାନଙ୍କ ଖାଦ୍ୟପେୟ ଏବଂ କମ୍ବଳ ପ୍ରଦାନ କରୁଥା’ନ୍ତି । ରୋହାନ୍ ତିନୋଟି କମ୍ବଳ ଆଣି ଗୋଟିଏ ସିଡ଼୍‌କୁ ଦେଲା ଏବଂ ଆଉ ଗୋଟିଏ
ବୀରା ଦେହରେ ଘୋଡ଼େଇ ଦେଲା । ସିଡ଼୍ ଏହାପରେ ତିନିକପ୍ “ହଟ୍ କୋକାଆ” ଆଣି ବୀରା, ରୋହାନ୍‌କୁ ଦେଇ ନିଜେ ପିଇବା ଆରମ୍ଭ କଲା ।

କ୍ରମଶଃ

Leave A Reply

Your email address will not be published.