Latest Odisha News

ଅନୁବାଦ କବିତା : ସବ୍ୟସାଚୀ

ମୂଳ ବଙ୍ଗଳା: ସୁକାନ୍ତ ଭଟ୍ଟାଚାର୍ଯ୍ୟ

ଅଦ୍ଭୁତ ଶ୍ୱାପଦ ଆଖି
ଅହରହ ଜଳୁଅଛି ଅଚଳ ଅନ୍ଧାରେ।
ହେ ବନ୍ଧୁ, ପଛରେ ରଖି
ଅନ୍ଧ ହିମଗିରି
ଅନନ୍ତ ବାର୍ଦ୍ଧକ୍ୟ ତୁମ
ନେଉ ଏକ ନୂଆ ଜୀବନ୍ୟାସ
ରକ୍ତେ ଭିଜା ଯୌବନର
ଅନ୍ତିମ ପିପାସା
ନିଷ୍ଠୁର ଗର୍ଜନେ ଆଜି
ଅରଣ୍ୟ ଧୁଆଁରେ
ହେଉ ପ୍ରଜ୍ଵଳିିତ।

ସପ୍ତରଥି ଶୁଣୁ ନାହିଁ
ପୃଥିବୀର ଶୈଶବ କାନ୍ଦଣା
ଦେଖୁନାହିଁ ନିର୍ବାକ ର
ଅଶ୍ରୁହୀନ ଜ୍ଵାଳା
ଦ୍ୱିଧାହୀନ ଚଣ୍ଡାଳର ନିର୍ଲିପ୍ତ ଆଦେଶେ
ଆଦିମ କୁକୁର ଚାହେଁ
କାଢିନେବ ବସ୍ତ୍ର ଧରଣୀର।

ଲୋଭାତୁର ହେଟା ବାଘ
ପୁଲକ ରେ ଜିହ୍ୱା ଲେଲିହୀନ
ଆଜି ତେଣୁ କିମ୍ପା ତୁମେ
ଇସ୍ପାତ୍ କଠିନ?

ଜରାଗ୍ରସ୍ତ ସଭ୍ୟତାର ଜର୍ଜର ହୃଦୟ
ଆଖି ଖୋଲେ ଭୋକ, ଶୋଷ,
ମରଣର ଉପସର୍ଗ ଭଳି
ସ୍ବପ୍ନ ଲବ୍ଧ ଉଦ୍ୟମର ଅଦୃଶ୍ୟ ଜୁଆରରେ
ସଙ୍ଗବଦ୍ଧ ପିପୀଲିକା ଦଳ।

ହେ ଫାଲ୍ ଗୁନୀ, ଆସ ହେ ଓହ୍ଲାଇ
ବୈଶାଖର ତାତିଲା ତେଜରେ
ତୁମ କ୍ଳାନ୍ତ ଦୁଇବାହୁ
ଲୁହାପରି ଶକ୍ତହେଉ
ବହିଯାଉ ଲୋହିତର ମନ୍ଦାକିନୀ ସ୍ରୋତ
ତାତିଉଠୁ ମୁମୂର୍ଷୁ ପୃଥିବୀ, ନିତ୍ୟ ତୃଷାତୁରା,
ନିର୍ବାପିତ ଆଗ୍ନେୟ ପର୍ବତ
ଫେରି ଦେଖୁ ଅନର୍ଗଳ ବିଲୁପ୍ତ ଉତ୍ତାପ।
ତୁମ ରିକ୍ତ ବଜ୍ରହସ୍ତ
ଆଜି କିମ୍ପା ବନ୍ଧା କେଉଁ
ସୁବର୍ଣ୍ଣ ଶୃଙ୍ଖଳେ ?
ସୁପ୍ତ ଅବସନ୍ନ ମନ
ଢ଼ଙ୍କା ତୁଷାରରେ?

ତୁମେ ଖାଲି ନୁହଁ ସବ୍ୟସାଚୀ
ବିସ୍ମୃତିର ଅନ୍ଧାର ସେପାରେ
ଧ୍ଵଂସର ଗୌରିକ ନିତ୍ୟ
ପ୍ରାନ୍ତହୀନ ବେଳାଭୂମି ପରେ
ଆତ୍ମ ଭୋଳା,ତୁମେ ଧନଞ୍ଜୟ!

ଅନୁବାଦ: ମନୋରଞ୍ଜନ ହୋତା

Leave A Reply

Your email address will not be published.