Latest Odisha News

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ସିଡ଼୍‌କୁ ଦେଖିବା ମାତ୍ରେ ରାଗିକି କହିଲା “ତୋର ଏମିତି ଛୁଆଳିଆ ଓ ଅପରିପକ୍ୱ ବ୍ୟବହାର କ’ଣ ପାଇଁ ଶୁଣେ!” ।

“ପ୍ଲିଜ୍‌, ମୋ’ କଥା ଟିକେ ଆଗ ଶୁଣ ବ୍ରୋ! ତମେ ଜାଣ ଗୋଟେ ରକ୍‌ଷ୍ଟାର ହେବା ପାଇଁ ମୋ’ ଭିତରେ କେତେ ଆଗ୍ରହ । ଅନ୍ୟ କାହାଠାରୁ ବି ତମେ ହିଁ ଅଧିକ ଭଲ ଭାବରେ ଜାଣ । ଆଉ ଏବର୍ଷ ମୁଁ ପଢ଼ିବାକୁ ଚାହୁଁନାହିଁ ଏଇଥିପାଇଁ ଯେ ଗୋଟେ ବ୍ୟାଣ୍ଡ୍ ଦଳରେ ଭର୍ତ୍ତି ହୋଇ ଜଣେ ପ୍ରଫେସନାଲ୍ ପରି ମୁଁ ମୋ’ କ୍ୟାରିୟର୍ ଆରମ୍ଭ କରିବାକୁ ଚାହୁଁଛି । ଯଦି ଏ ବର୍ଷ ସ୍କୁଲ୍ ଯାଏ, ତେବେ ସେଇଟା ମୋ’ ଉପରେ ବୋଝ ପାଲଟିଯିବ । ତା’ଛଡ଼ା ତମେ ବି ତ କହୁଥିଲ ଯେ ଜଣେ ପ୍ରସିଦ୍ଧ ରକ୍‌ଷ୍ଟାର୍ ହେବା ପାଇଁ ମୋ’ ଭିତରେ ଦକ୍ଷତା ରହିଛି । ଭାଇ, ମୁଁ ତମକୁ ଅନୁରୋଧ କରୁଛି, ବୀରା ଆଉ ତମେ ଯଦି ସମର୍ଥନ ନ କର, ତା’ହେଲେ ମୁଁ ଏଥିରେ ଆଗେଇ ପାରିବିନି ।” ସିଧାସଳଖ ବୀରା ଆଡ଼କୁ ଚାହିଁ ସିଡ଼୍ ତା’ କଥା ଶେଷ କଲା ।

ସିଡ଼୍‌ର ଅନୁନୟ ଭରା ଚାହାଣୀ ଠାରୁ ବୀରା ନିଜ ଧ୍ୟାନ ହଟାଇ ପାରୁ ନଥିଲା । ୟା’ପୂର୍ବରୁ ସେ ଏତେ ଦୁର୍ବଳ ଜଣାପଡ଼ିବା, ବୀରା କେବେ ଦେଖିନି ।

ଅନ୍ୟପକ୍ଷରେ ଥାଏ ରୋହାନ୍ ଯିଏ ତା’ ସ୍ନେହର ସାନଭାଇ ସହ କିଛି ଖରାପ ଘଟୁ ବୋଲି କେବେ ବି ଇଚ୍ଛା କରିବନି । ଏବେ ସେ କାହାକୁ ସମର୍ଥନ କରିବ ବୋଲି ଦ୍ୱନ୍ଦ୍ୱରେ ପଡ଼ିଗଲା ।

କିଛିସମୟ ପରେ କହିଲା, “ସିଡ଼୍‌, ମୁଁ ତମର ସ୍ୱପ୍ନ ଓ ଭାବନାକୁ ଭଲ ଭାବରେ ବୁଝୁଛି । ଏକଥା ବି ବିଶ୍ୱାସ କର ଯେ ତମ ପ୍ରତି ମୋ’ର ସମ୍ପୂର୍ଣ୍ଣ ସମର୍ଥନ ରହିଛି । କିନ୍ତୁ… ।”

ଥରେ ସିଡ଼୍‌କୁ ଓ ନୀରବରେ ପ୍ରତିବାଦ ଜାରି ରଖିଥିବା ରୋହାନ୍‌କୁ ଚାହିଁଲା ବୀରା । “କିନ୍ତୁ ମୁଁ ଭାବୁଛି ଯେ ଖାସ୍ ଏଇ କାରଣରୁ ତମେ ତମ ପାଠପଢ଼ା ଛାଡ଼ି ଦେବାଟା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ତମର ଏତେ ବୟସ ବି ହେଇଯାଇ ନାହିଁ । କେବଳ ଏତିକି କହିବି ତମ ଜୀବନର ଏଇଟା ଏକ ନିର୍ଣ୍ଣାୟକ ସମୟ ଯେଉଁଠି ଦୁଇଟା ରାସ୍ତା ଭିତରୁ ତମକୁ ଗୋଟିକକୁ ବାଛିବାକୁ ପଡ଼ିବ । ଏଇଟା ଅବଶ୍ୟ ସମ୍ପୂର୍ଣ୍ଣ ଭାବରେ ତୁମ ନିଜସ୍ୱ ବ୍ୟାପାର । ତଥାପି ବି ମୁଁ କହିବି ଯେ ବିଜ୍ଞତାର ସହ ନିଷ୍ପତି ନିଅ ।”

କ୍ରମଶଃ

Leave A Reply

Your email address will not be published.