ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
କିଛିକ୍ଷଣର ନୀରବତା ପରେ ସରମା କହିଲେ, ” ପିତାଙ୍କ ଆଶ୍ରମରେ ରହି ବିଦୁଷୀ ବେଦବତୀ ଶ୍ରୀବିଷ୍ଣୁଙ୍କୁ ପତି ରୂପରେ ପାଇବା ପାଇଁ ତପସ୍ୟାରେ ମଗ୍ନା ରହିଲେ। ତପସ୍ୟାର ଶକ୍ତି ବଳରେ ତାଙ୍କ ଶରୀରରେ ଏକ ଅଦ୍ଭୁତ ତେଜ ସୃଷ୍ଟି ହେଲା। ମୁଖର ଆଭା , ସୌନ୍ଦର୍ଯ୍ୟକୁ ତାଙ୍କର ଶତଗୁଣରେ ବୃଦ୍ଧି କଲା। ”
ସୁଲୋଚନା ପଚାରିଲେ, ” ତାଙ୍କୁ ତେବେ ଶ୍ରୀବିଷ୍ଣୁ ପ୍ରାପ୍ତ ହେଲେ କି ? ”
” କହୁଛି ଶୁଣ ! ଦଶାନନ ଥରେ ବେଦବତୀଙ୍କ ଆଶ୍ରମ ଦେଇ ଯାଉଥିଲେ। ଘୋର ଅରଣ୍ୟ ମଧ୍ୟରେ ନାରୀ କଣ୍ଠର ଓଁକାର ନାଦ ତାଙ୍କୁ ବିସ୍ମିତ କରେଇଲା। କୁଟୀର ମଧ୍ୟରେ ସୁନ୍ଦରୀ ବେଦବତୀଙ୍କୁ ଏକୁଟିଆ ତପସ୍ୟା କରୁଥିବାର ଦେଖି ତାଙ୍କ ମନରେ କାମ ଭାବନା ଜାଗ୍ରତ ହେଲା।
ବେଦମତୀଙ୍କର ଐଶ୍ୱରୀୟ ସୌନ୍ଦର୍ଯ୍ୟରେ ମୋହିତ ଲଙ୍କେଶ୍ୱର ତାଙ୍କର ଧ୍ୟାନଭଗ୍ନ କରି କହିଲେ, ” ସୁନ୍ଦରୀ ! ତୁମେ କିଏ ? ଏପରି ଘୋର ନିକାଞ୍ଚନ ଅରଣ୍ୟ ମଧ୍ୟରେ ଏକାକିନୀ କ’ଣ କରୁଛ ? ”
” ମୁଁ ମହାନ ତେଜସ୍ୱୀ ବ୍ରହ୍ମର୍ଷି କୁଶଧ୍ୱଜଙ୍କ କନ୍ୟା ବେଦବତୀ । ମୋର ପିତା ବେଦାଭ୍ୟାସ କରୁଥିବା ସମୟରେ ମୋର ନିର୍ମାଣ କରିଛନ୍ତି। ନାରାୟଣଙ୍କୁ ସ୍ୱାମୀ ରୂପେ ଲାଭ କରିବା ପାଇଁ ତପସ୍ୟା କରୁଛି। ”
ଅଟ୍ଟାହାସ୍ୟ କରି ରାବଣ କହିଲେ, ” ତୁମର ଏ ସୁନ୍ଦର କୋମଳ କାୟା, କଠୋର ତପସ୍ୟା ନିମିତ୍ତ ନୁହେଁ, ବରଂ ତ୍ରିକାଳ ବିଜୟୀ ସୌନ୍ଦର୍ଯ୍ୟର ପୂଜାରୀ ରାବଣର ଅଂକଶାୟିନୀ ହେବା ପାଇଁ ବିଧାତା ସୃଷ୍ଟି କରିଛନ୍ତି। କାହିଁକି ଏ ଯୌବନକୁ ବ୍ୟର୍ଥ କରିବାର ଜିଦ୍ ରେ ଅଛ ? ”
” ରେ ଦୁଷ୍ଟ ! ଶ୍ରୀବିଷ୍ଣୁଙ୍କୁ ଜମାତା ରୂପରେ ପାଇବା , ମୋର ପୂଜ୍ୟ ପିତାଙ୍କର ଏକାନ୍ତ ଅଭିଳାଷ ଥିଲା । ଶ୍ରୀହରିଙ୍କୁ ପାଇବା ମୋ ଜୀବନର ବର୍ତ୍ତମାନ ଏକମାତ୍ର ଲକ୍ଷ୍ୟ। ”
3″ ପରନ୍ତୁ ଯେଉଁ ବିଷ୍ଣୁ ତୁମ ସୌନ୍ଦର୍ଯ୍ୟର ମୂଲ୍ୟ ବୁଝେନାହିଁ ତା’ ପାଇଁ ବ୍ୟର୍ଥ କ୍ଳେଶ କାହିଁକି ? ବଳ, ସାମର୍ଥ୍ୟ, ସୌନ୍ଦର୍ଯ୍ୟ, ପରାକ୍ରମ ଏସବୁରେ ମୋ ସହ କୌଣସି ଦେବତା, ଗନ୍ଧର୍ବ , ଦୈତ୍ୟ ତୁଳନୀୟ ନୁହଁନ୍ତି। ତୁମ ବିଷ୍ଣୁ ମଧ୍ୟ ନୁହଁନ୍ତି। ମୋର ପତ୍ନୀ ହୋଇ ସମସ୍ତ ସୁଖ, ଐଶ୍ୱର୍ଯ୍ୟ ଭୋଗ କର। “
Comments are closed.