ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ଆଶାପୂର୍ଣ୍ଣ ନୟନରେ ଶ୍ରୀରାମ ହନୁମାନଙ୍କ ଉପରେ ଦୃଷ୍ଟି ପକାଇଲେ। ଯୋଜନବ୍ୟାପୀ ବିଶାଳ ସାଗରକୁ ଯେଉଁ ବୀର ହନୁମାନ ଲଙ୍ଘି ପାରିଥିଲେ, ତାଙ୍କ ପାଇଁ ସଂଜୀବନୀ ବୁଟି ଆଣିବା ସମ୍ଭବ ନିଶ୍ଚୟ।
ଏହା ମଧ୍ୟରେ ଗୁପ୍ତଚର ରାବଣକୁ ସମ୍ବାଦ ଦେଇ ସାରିଥିଲା, ହନୁମାନ ସଂଜୀବନୀ ବୁଟି ପାଇଁ ହିମାଳୟ ଉଦ୍ଦେଶ୍ୟରେ ପ୍ରସ୍ଥାନ କଲେଣି। ହନୁମାନଙ୍କର ବଧ କରିବା ପାଇଁ ମାୟାବୀ ଅସୁର କାଳନେମିର ସାହାଯ୍ୟ ଲୋଡିଲା ରାବଣ। ଏକ ତୀରରେ ଦୁଇଟି ଶିକାର। ହନୁମାନ ଓ ଲକ୍ଷ୍ମଣ ଦୁହିଁଙ୍କର ମୃତ୍ୟୁ।
ପରନ୍ତୁ …କାଳନେମି ସବୁ ଶୁଣିବା ପରେ କହିଲା, ” ଆପଣଙ୍କ ପରି ମହାବୀର ଯୋଦ୍ଧା ଲଙ୍କାରେ ରହିଥିବା ସତ୍ତ୍ୱେ ଲଙ୍କା ଦହନକୁ ଅଟକାଇ ପାରିଲେ ନାହିଁ, ବୀର ପବନପୁତ୍ରଙ୍କର ମାର୍ଗ କିଏ ବା ରୋକି ପାରିବ !! ନୀଳ କମଳ ସଦୃଶ ଶ୍ରୀରଘୁନାଥଙ୍କର ମଙ୍ଗଳମୟ ସ୍ବରୂପକୁ ଆରାଧନା କରି ନିଜର କଲ୍ୟାଣ କରନ୍ତୁ। ମୋହ,ମାୟା, ମମତା ତ୍ୟାଗ କରନ୍ତୁ । ”
ପରେ ରାବଣର କ୍ରୋଧ ଉପଲବ୍ଧି କରି କାଳନେମି ଭାବିଲା, ଏହି ଦୁଷ୍ଟ ହସ୍ତରେ ମୃତ୍ୟୁ ହେବା ଅପେକ୍ଷା ରାମଦୂତ ହସ୍ତରେ ମୃତ୍ୟୁ ଶ୍ରେୟସ୍କର।
ହନୁମାନଙ୍କର ଆଗମନ ପୂର୍ବରୁ ମାୟା ଦ୍ୱାରା କାଳନେମି ମାର୍ଗରେ ପୁଷ୍କରିଣୀ, ଉପବନ, ଦେବାଳୟ ଇତ୍ୟାଦିର ନିର୍ମାଣ କରିଲା ଏବଂ ନିଜେ ମୁନି ବେଶ ନେଇ ଉଚ୍ଚ ସ୍ୱରରେ ରାମଙ୍କ ନାମ ଜପ କରିବାରେ ଲାଗିଲା।
କ୍ରମଶଃ….
Comments are closed.