ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୪
ଅନେକ ଗ୍ରଂଥ, ବହି ପଢ଼ି
ତହିଁରୁ ପଦାବଳି କାଢ଼ି
ପୁନଶ୍ଚ ଲେଖିଲେ ସଜାଡ଼ି
ଭାଷାଟେ ପାରେନାହିଁ ବଢ଼ି
ପୂର୍ବଲିଖିତ ବାକ୍ୟାବଳି
ଏବେ ବି ଲେଖି ଯାଉଁ ଚଳି
ଏପରି ଲେଖିବା ଅଭ୍ଯାସ
କରେନି ଭାଷାର ବିକାଶ
ଅପ୍ରଚଳିତ ଶବ୍ଦ ଖୋଜି
ଏବେ ଲେଖାରେ ଦେଲେ ଖଂଜି
ଦିଶେ ଆମର ଶବ୍ଦଜ୍ଞାନ
ଘଟେନି ଭାଷାର ଉତ୍ଥାନ
ନୂତନତାର ଚିହ୍ନବର୍ଣ
ଲେଖାରେ ହେଲେ ଦୃଶ୍ୟମାନ
ପାଠକ ଲଗାଇ ତା ମନ
ନିଶ୍ଚୟ କରେ ଅଧ୍ୟୟନ
ନିତିଦିନିଆ କଥା, ଭାଷା
ଉପରେ ରଖିଲେ ଭରସା
ଭାବ, ଭାଷାର ସମନ୍ବୟ
ହଟାଏ ବିଲୁପ୍ତିର ଭୟ
ସରଳ ହେବାକୁ ତତ୍ପର
ନ ହେଲେ ସାହିତ୍ଯ ଆମର
ପାଇବନାହିଁ ଲୋକାଦର
ଘଟିବ ଭାଷାର ସଂହାର
ଅନ୍ୟ କାହାକୁ ଦୋଷ ଦେଇ
ହୁଏନି ସ୍ବଭାଷା ବଢ଼ାଇ
ଏତିକି କଥା ମନେ ରଖି
ଭାବ ଓ ଜ୍ଞାନ ଦେଉଁ ଲେଖି
ଭାଷାକୁ ଲୋଡ଼ା ସରଳତା
ବୁଝିଲେ ଲେଖକଂକ ମଥା
ସାହିତ୍ୟ ହେବ ଲୋକାଦୃତ
ଭାଷାର ଗତି ହେବ ଦ୍ରୁତ