ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ନବ ପ୍ରଭାତର ନଵ କିରଣ ରାମସେନାଙ୍କ ମନରେ ନଵ ଉନ୍ମାଦନା ଭରି ଦେଇଥିଲା। ଦ୍ଵିଗୁଣ ଉତ୍ସାହରେ ସେମାନେ ଯୁଦ୍ଧଭୁମିକୁ ଲମ୍ଫ ଦେଲେ।
କୁମ୍ଭକର୍ଣ୍ଣଙ୍କୁ ରଣଭୂମିରେ ଦେଖି ବିଭୀଷଣ ତାଙ୍କ ଚରଣ ସ୍ପର୍ଶ କରି କହିଲେ, “ହେ ଜ୍ୟେଷ୍ଠ ଭ୍ରାତା ! ଲଙ୍କା ଓ ଅସୁରକୁଳର ହିତ ନିମିତ୍ତ ମୋ ଦ୍ୱାରା ପ୍ରଦତ୍ତ ପରାମର୍ଶକୁ ଲଙ୍କେଶ୍ୱର ଗ୍ରହଣ କଲେ ନାହିଁ। ସମସ୍ତଙ୍କ ସମ୍ମୁଖରେ ଅପମାନିତ କଲେ ଏବଂ ପଦାଘାତ କରି ଲଙ୍କାରୁ ବହିଷ୍କାର କଲେ। ତେଣୁ ରଘୁନାଥଙ୍କ ଶ୍ରୀଚରଣରେ ଆଶ୍ରୟ ନେଲି। ”
ବିଭୀଷଣର ବଚନ ଶୁଣି କୁମ୍ଭକର୍ଣ୍ଣ ତାଙ୍କୁ ଆଲିଙ୍ଗନ କରି କହିଲା, ” ହେ ରାକ୍ଷସକୂଳଭୂଷଣ ଅନୁଜ ବିଭୀଷଣ ! ତୁମେ ଧନ୍ୟ ! ତୁମର ଜୀବନ ଧନ୍ୟ ! ଲଙ୍କା ବର୍ତ୍ତମାନ ବିନାଶ ମୁଖରେ । ମୁଁ ମଧ୍ୟ କାଳର ଅଧୀନରେ। ତୁମେ ଏଠାରୁ ଫେରିଯାଅ।”
ପର୍ବତ ସଦୃଶ ବିଶାଳ ବପୁଧାରୀ କୁମ୍ଭକର୍ଣ୍ଣ ଅନେକ ବାନର ଓ ଭଲ୍ଲୁକଙ୍କୁ ପାଦ ତଳେ ଦଳିଦେଲା, ଅନେକଙ୍କୁ ମାରି ଖାଇଗଲା। ହନୁମାନ, ସୁଗ୍ରୀବ,ଅଙ୍ଗଦ ଆଦି ବୀର ବାନର ଯୋଦ୍ଧାମାନେ ମଧ୍ୟ ତା’ର କୌଣସି କ୍ଷତି କରି ପାରିଲେ ନାହିଁ। ମହାକାଳ ସଦୃଶ ବିନାଶ ଲୀଳା କରି ଚାଲିଲା ସେ।
ଶେଷରେ ଶ୍ରୀରାମ ଓ କୁମ୍ଭକର୍ଣ୍ଣ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା। ଶ୍ରୀରାମ ତା’ର ହସ୍ତ କାଟିଦେବା ପରେ ପାଦତଳେ ବାନରମାନଙ୍କୁ ଦଳି ମାରି ଦେଉଥିଲା। ଗୋଡ଼ ଦୁଇଟି ମଧ୍ୟ କାଟିଦେଲେ ରାମ। ତା’ର ବିଶାଳ ଶରୀର ତଳେ ଅନେକ ସେନା ଚିପି ହୋଇ ମରିଗଲେ।
ପ୍ରଭୁ ଶେଷରେ ଶର ଦ୍ୱାରା କୁମ୍ଭକର୍ଣ୍ଣର ମସ୍ତକ କାଟି ଉଡେଇ ଦେଲେ ଏବଂ ତାହା ଯାଇ ରାବଣ ସମ୍ମୁଖରେ ପଡ଼ିଲା। ରାବଣ ଅସହାୟ ହୋଇ ବିଳାପ କରିବାକୁ ଲାଗିଲା। ମେଘନାଦ ଆସି ତାକୁ ସାହସ ଦେଇ କହିଲା, ” ଆଗାମୀ କାଲିର ଯୁଦ୍ଧରେ ସେ ବନବାସୀଙ୍କର ବିନାଶ ମୁଁ ନିଶ୍ଚୟ କରିବି। ” ।
କ୍ରମଶଃ..
Comments are closed.