Latest Odisha News

ମାଳତୀ ଚୌଧୁରୀ

ପ୍ରିୟ କୁନି ପିଲାମାନେ

ଆଗରୁ ଆମେ ଅନେକ ମହାପୁରୁଷଙ୍କ ବିଷୟରେ ଜାଣିଛେ । ଆଜି ଜାଣିବା ଆମ ପ୍ରିୟ ‘ନୂମା’ଙ୍କ ବିଷୟରେ ।

ନୂମା ହେଉଛନ୍ତି ମାଳତୀ ଚୌଧୁରୀ । ୧୯୦୪ ମସିହା ଜୁଲାଇ ୨୬ରେ ଅର୍ଥାତ ଠିକ ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାଁ କୁମୁଦ ନାଥ ସେନ ଓ ମାଆଙ୍କ ନାଁ ସ୍ନେହଲତା ସେନ ଥିଲା । ମାଳତୀଙ୍କୁ ଦୁଇ ବର୍ଷ ପାଞ୍ଚ ମାସ ହୋଇଥିବା ବେଳେ ତାଙ୍କର ପିତୃ ବିୟୋଗ ଘଟିଥିଲା । ବାଲ୍ୟ କାଳରୁ ମାଳତୀ ଅତ୍ୟନ୍ତ ସାହସୀ ତଥା ପରୋପକାରୀ ଗୁଣର ଅଧିକାରିଣୀ ଥିଲେ । ଏହା ସହ ସେ ଜଣେ ମେଧାବୀ ଛାତ୍ରୀ ଭାବରେ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରିଥିଲେ । ମାଟ୍ରିକରେ ଉତ୍ତୀର୍ଣ୍ଣ ହେଲା ପରେ ସେ ସରକାରୀ କଲେଜରେ ପାଠ ନପଢ଼ି ଶିକ୍ଷା ଗ୍ରହଣ ପାଇଁ ଶାନ୍ତି ନିକେତନର ପ୍ରଥମ ଛାତ୍ରୀ ଭାବରେ ଯୋଗ ଦେଇଥିଲେ ।

ଶାନ୍ତି ନିକେତନରେ ପାଠ ପଢ଼ିବା ବେଳେ ମାଳତୀ କବିଗୁରୁ ରବିନ୍ଦ୍ରନାଥ ଠାକୁର ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ନିଜର ଆଦର୍ଶ ଭାବରେ ଗ୍ରହଣ କରିଥିଲେ । ବିଶ୍ୱକବି ତାଙ୍କୁ ସ୍ନେହରେ ମିନୁ ବୋଲି ଡାକୁଥିଲେ ଏବଂ ଗାନ୍ଧୀଜୀ ତାଙ୍କୁ ତୁଫାନୀ ବୋଲି ସମ୍ବୋଧନ କରୁଥିଲେ ।

୧୯୨୭ରେ ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ସହ ତାଙ୍କର ବିବାହ ହେଲା ଏବଂ ସେ କଟକ ଚାଲି ଆସିଲେ । ମାଳତୀ ଦେବୀଙ୍କର ବିପ୍ଳବୀ ଚିନ୍ତାଧାରାକୁ ଅଧିକ ପ୍ରେରିତ କରିଥିଲେ ତାଙ୍କ ସ୍ୱାମୀ ନବକୃଷ୍ଣ ଚୌଧୁରୀ। ବିବାହ ପରେ ସେ ଓ ତାଙ୍କ ସ୍ୱାମୀ ଜୀବିକା ନର୍ବାହ କରିବା ପାଇଁ ସେ କୃଷି ଓ ଗୋ ପାଳନ କରୁଥିଲେ। ଗ୍ରାମରେ ରହିବା ସମୟରେ  ସେ ଘର ଘର ବୁଲି ମହିଳାମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଇବା ସହ ତାଙ୍କୁ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ପାଇଁ ଅନୁରୋଧ କରୁଥିଲେ। ଓଡ଼ିଶା ତାଙ୍କର କର୍ମଭୂମି ପାଲଟିଥିଲା। ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ସେ ୧୯୩୦, ୧୯୩୨ ଓ ୧୯୪୨ରେ ଜେଲ ଯାଇଥିଲେ । ନିଜ ପ୍ରୟାସରେ ସେ ଇଞ୍ଚୁଡ଼ି ଓ କୁଜଙ୍ଗରୁ ପ୍ରଥମେ ଶହେରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଆଣି ୧୯୩୦ ମସିହା ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ। ନାରୀମାନଙ୍କ ନିରକ୍ଷରତା ହିଁ ତାଙ୍କୁ ଦୁର୍ବିସହ ଜୀବନ ବିତାଇବାକୁ ବାଧ୍ୟ କରୁଥିବା କଥା ସେ ଜାଣିଥିଲେ। ତେଣୁ ସେ ନିଜ ଗ୍ରାମରେ ଥିବାବେଳେ ରାତ୍ରି ପାଠଶାଳା ଆରମ୍ଭ କରିଥିଲେ। ୧୯୪୨ରେ ଭାରତଛାଡ ଆନ୍ଦୋଳନ ପ୍ରସ୍ତାବ ଗ୍ରହଣ କରାଯାଇଥିବା କଂଗ୍ରେସର ବମ୍ବେ ଅଧିବେଶନରେ ସେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ । ଏହା ଛଡ଼ା ବିନୋବା ଭାବେଙ୍କ ଭୁଦାନ ଆନ୍ଦୋଳନର ସେ ଜଣେ ସକ୍ରିୟ କର୍ମୀ ଥିଲେ ।

ସବୁବେଳେ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ମାଳତୀ ଅନୁଗୋଳର ବାଜିରାଉତ ଛାତ୍ରାବାସ, ଉତ୍କଳ ନବଜୀବନ ମଣ୍ଡଳ ଓ ଚମ୍ପତିମୁଣ୍ଡାର ଜୀବନ ବିଦ୍ୟାଳୟ ଆଦି ପ୍ରତିଷ୍ଠା କରିଥିଲେ । ତାଙ୍କର ସେବା ମନୋଭାବ ପାଇଁ ଲୋକେ ଅତି ଆଦରରରେ ତାଙ୍କୁ ନୂଆ ମା ଅର୍ଥାତ ନୂମା ବୋଲି ଡାକୁଥିଲେ । ଓଡ଼ିଶାରେ ନାରୀ ଜାଗରଣ ତଥା ନାରୀ ସଶକ୍ତିକରଣ ପାଇଁ ସେ ପ୍ରଥମେ ଆଗ୍ରହୀ ହୋଇଥଲେ ଏବଂ ନାରୀ ଶିକ୍ଷା ପାଇଁ ଅନେକ କାମ କରିଥିଲେ । ତାଙ୍କର ସେବା ଧର୍ମକୁ ସମ୍ମାନ ଜଣାଇ ତାଙ୍କୁ “ଜମୁନାଲାଲ ବଜାଜ୍ ପୁରସ୍କାର” ପ୍ରଦାନ କରାଯାଇଥିଲା ।

୧୯୯୮ ମସିହା ମାର୍ଚ୍ଚ ୧୫ରେ ତାଙ୍କର ଜୀବନ ଦୀପ ଲିଭିଯାଇଥିଲା । ଜୀବନ କାଳ ମଧ୍ୟରେ ଲବଣ ସତ୍ୟାଗ୍ରହଠୁ ଆରମ୍ଭ କରି ନାଗରିକ ସୁରକ୍ଷା, ଭୂଦାନ ଆନ୍ଦୋଳନ ଏବଂ ବିଶେଷ ଭାବରେ ନାରୀମାନଙ୍କ ଶିକ୍ଷା ଏବଂ ଅଧିକାରକୁ ଗୁରୁତ୍ଵ ଦେଇ ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ।

ଆଜି ପାଇଁ ଏତିକି। ଆରଥରକୁ ପୁଣି ଜାଣିବା ଆଉ ଜଣେ ମହାପୁରୁଷଙ୍କ ବିଷୟରେ।

Leave A Reply

Your email address will not be published.