ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ମେଘନଦାଙ୍କୁ ବିଜୟର ଟୀକା ପିନ୍ଧାଇ ଦେଇ ତାଙ୍କୁ ସମରଭୂମିକୁ ମେଲାଣି ଦେଇଛନ୍ତି ସୁଲୋଚନା। ସ୍ୱାମୀଙ୍କର ସୁରକ୍ଷା ନିମିତ୍ତ ନିର୍ଜଳ ବ୍ରତ ପୂଜା ରଖିଛନ୍ତି। ନିରନ୍ତର ଵିଷ୍ଣୁଙ୍କର ନାମ ଜପ କରୁଛନ୍ତି। କେବଳ ମନ୍ଦୋଦରୀ ଜାଣନ୍ତି ସେ ବିଷ୍ଣୁଭକ୍ତା ବୋଲି। ରାବଣ ରାଜ୍ୟରେ ରାବଣର ପୂଜା ଭିନ୍ନ ଅନ୍ୟ କାହାର ପୂଜା ଅକ୍ଷମଣୀୟ ଅପରାଧ।
ମନ୍ଦୋଦରୀଙ୍କୁ ଅନୁରୋଧ କରି ସୁଲୋଚନା କହିଛନ୍ତି ଯେ, ତାଙ୍କର ବ୍ରତ ଉତ୍ ଯାପନ ନ ହେବା ପର୍ଯ୍ୟନ୍ତ ଯେପରି ତାଙ୍କ ବ୍ରତରେ କୌଣସି ବିଘ୍ନ ନ ଆସେ। ସେଥିପ୍ରତି ସେ କୃପାପୂର୍ବକ ବ୍ୟବସ୍ଥା କରିବେ।
ନାନାପ୍ରକାରର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ମେଘନାଦ ମାୟା ରଥରେ ବସି ଅଦୃଶ୍ୟ ହୋଇ ଯୁଦ୍ଧ କରୁଛି। ଅଚାନକ ଆକାଶ ମାର୍ଗରୁ ଶସ୍ତ୍ର ବର୍ଷା ହେବାରେ ଲାଗିଲା। ତା’ର ବିକଟାଳ ଅଟ୍ଟହାସ୍ୟ ବାନରସେନା ମନରେ ଭୟ ସୃଷ୍ଟି କରୁଥାଏ। ପୂର୍ବ ଯୁଦ୍ଧର ବିଭୀଷିକା ଏବେ ବି ସେମାନଙ୍କ ମନରେ ଜୀବନ୍ତ।
ହନୁମାନ, ଅଙ୍ଗଦ,ନଳ, ନୀଳ,ଜାମ୍ବବାନାଦି ସମସ୍ତ ଯୋଦ୍ଧାଙ୍କୁ ଇନ୍ଦ୍ରଜିତର ଅଦୃଶ୍ୟ ମାୟାଯୁଦ୍ଧ ବ୍ୟସ୍ତ ବିବ୍ରତ କରି ସାରିଥାଏ। ତା’ର ତୀବ୍ର ଶାରାଘାତରେ ସମସ୍ତେ କ୍ଷତାକ୍ତ ହୋଇ ସାରିଥାନ୍ତି। ନାଗଫାଶ ଅସ୍ତ୍ରରେ ମେଘନାଦ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ବନ୍ଧନ କରିଦେଲା। ସେମାନେ ମୂର୍ଚ୍ଛିତ ହୋଇ ଭୂମିରେ ପଡ଼ିଗଲେ।
ଦେବତାମାନେ ଉପରୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥାନ୍ତି। ଭଗବାନ ଶିବ ଦେବୀ ପାର୍ବତୀଙ୍କୁ କହିଲେ, “ଦେଖ ଦେଖ ଉମା ! ପ୍ରଭୁଙ୍କର ଲୀଳା। ଯାହାଙ୍କର ନାମ ଜପ ଦ୍ୱାରା ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତି ମିଳିଥାଏ ,ସ୍ୱୟଂ ଯିଏ ଅନନ୍ତ, ସର୍ବବ୍ୟାପୀ ତାଙ୍କୁ ପୁଣି କେହି ବାନ୍ଧିପାରେ ! ” ସତୀ ସୁଲୋଚନାଙ୍କର ସାଧନାର ଫଳ ସ୍ୱରୂପ ଇନ୍ଦ୍ରଜିତ ସୁରକ୍ଷିତ ରହିଛି।
Comments are closed.