ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ଯେଉଁ ପୁତ୍ର ପିତାଙ୍କର ଆଦେଶ ଅବମାନନା କରେ ଈଶ୍ୱର ମଧ୍ୟ ତାଙ୍କୁ ଭଲପାଆନ୍ତି ନାହିଁ। ପ୍ରଭୁଙ୍କ ହାତରେ ମୃତ୍ୟୁ ହେଲେ , ମୋଠାରୁ ଅଧିକ ଭାଗ୍ୟବାନ ବା କିଏ ହେବ! ଯୁଦ୍ଧ କରି ବୀର ପରି ମୃତ୍ୟୁ ହେଉ। ” ଏହିପରି କହି ମେଘନାଦ ରଣକ୍ଷେତ୍ରକୁ ଫେରିଗଲା।
ଭୀଷଣ ସଂଗ୍ରାମ ଚାଲିଲା ଦୁଇ ପରାକ୍ରମୀ ବୀରଙ୍କ ମଧ୍ୟରେ। ଲକ୍ଷ୍ମଣଙ୍କର ଶର ମେଘନାଦ ପର୍ଯ୍ୟନ୍ତ ପହଞ୍ଚି ପାରୁ ନ ଥାଏ। କେତେବେଳେ ଭୂମିରେ ତ କେତେବେଳେ ଅଦୃଶ୍ୟ ହୋଇ ଆକାଶରେ ରହି ସେ ଯୁଦ୍ଧ କରୁଥାଏ।
ସୁଲୋଚନାଙ୍କର ଜପର ପ୍ରଭାବରେ ମେଘନାଦର ଚତୁଃପାର୍ଶ୍ଵରେ ଏକ ସୁରକ୍ଷା ବଳୟ ସୃଷ୍ଟି ହୋଇଥିଲା, ଯାହାକୁ ଲକ୍ଷ୍ମଣଙ୍କର ବାଣ ଭେଦ କରିବାରେ ବିଫଳ ହେଉଥିଲା। ଏପରି କାହିଁକି ହେଉଥିଲା ଭାବି ଲକ୍ଷ୍ମଣ, ବିଭୀଷଣ, ସୁଗ୍ରୀବ, ହନୁମାନ ଇତ୍ୟାଦି ଆଶ୍ଚର୍ଯ୍ୟ ହେଉଥିଲେ। ମେଘନାଦର ଅଦୃଶ୍ୟ ମାୟାଯୁଦ୍ଧରେ ରାମଙ୍କ ସେନା ଭୀଷଣ ଭାବରେ କ୍ଷତିଗ୍ରସ୍ତ ହେଉଥିଲେ।
ସୁଲୋଚନାଙ୍କର ବିଷ୍ଣୁ ନାମ ଜପର ଧ୍ୱନିରେ ଲଙ୍କାନଗରୀ ବିଷ୍ଣୁମୟ ହେଉଥିଲା। ରାବଣ ଯେତେବେଳେ ଏହା ଜାଣିଲା ଅତ୍ୟନ୍ତ କ୍ରୋଧିତ ହୋଇ ସୁଲୋଚନାଙ୍କର କକ୍ଷ ଅଭିମୁଖେ ଧାଇଁ ଆସିଲା। ପରନ୍ତୁ ମହାରାଣୀ ମନ୍ଦୋଦରୀ ରାସ୍ତା ଅବରୋଧ କରି କହିଲେ, ” ସ୍ୱାମୀ ! ସୁଲୋଚନାର ବ୍ରତ ଭଙ୍ଗ କରନ୍ତୁ ନାହିଁ। ଆମ ପୁତ୍ରର ସୁରକ୍ଷା ନିମିତ୍ତ ସେ ବିଷ୍ଣୁନାମ ଜପ କରୁଛି। ”
ପ୍ରଚଣ୍ଡ କୋଧରେ ରାବଣ କହିଲା, ” ଅସୁରକୁଳର ଶତ୍ରୁ ପୁଣି କି ସୁରକ୍ଷା ଦେବ ମୋ ପୁଅର ! ”
” ସେହି ରାମ ଯିଏ ଅନାୟାସରେ ସମୁଦ୍ରରେ ସେତୁ ବାନ୍ଧିଦେଲେ, ଯାହାଙ୍କର ଦୂତ ଲଙ୍କା ଦହନ କରି ଫେରିଗଲା, ଅଙ୍ଗଦର ଗୋଡ଼ ଭୂମି ଉପରୁ ଆପଣମାନେ ଉଠାଇ ପାରି ନ ଥିଲେ, ଭାବନ୍ତୁ ତ ଥରେ .. ପାଳନକର୍ତ୍ତା ଶ୍ରୀବିଷ୍ଣୁ ଆଜି ରାମାବତାରରେ…”
” ଚୁପ୍ କର ମନ୍ଦୋଦରୀ ! ”
ଏପରି କହି ରାବଣ ସୁଲୋଚନାର ଜପ ଭଙ୍ଗ କରିବା ନିମିତ୍ତ ତାକୁ ପୂଜା ସ୍ଥାନରୁ ଟାଣି ଆଣି ଫୋପାଡ଼ି ଦେଲେ। ସୁଲୋଚନାଙ୍କର ବ୍ରତ ଭଙ୍ଗ ହେଲା ଏବଂ ମେଘନାଦର ସୁରକ୍ଷା ବଳୟ ଖଣ୍ଡିତ ହେଲା।
ଲକ୍ଷ୍ମଣଙ୍କର ଶର ମେଘନାଦର ଦକ୍ଷିଣ ହସ୍ତ କାଟି ଉଡ଼େଇଦେଲା, ତାହା ଉଡ଼ି ଆସି ସୁଲୋଚନାଙ୍କର ନିକଟରେ ପଡିଲା। ଲକ୍ଷ୍ମଣ ତାହାର ମସ୍ତକ ଛେଦନ କଲେ ଏବଂ ତାହା ରାମଙ୍କ ଚରଣ ତଳେ ଆସି ପଡିଲା।
ସ୍ୱାମୀଙ୍କର ହସ୍ତ ଦେଖି ସୁଲୋଚନା ରୋଦନ କରିବାକୁ ଲାଗିଲେ। ରାବଣ କହିଲା, “ଇନ୍ଦ୍ରକୁ ପରାଜିତ କରିଥିବା ମୋର ପୁତ୍ର ଅମର। ତା’ର ମୃତ୍ୟୁ ଅସମ୍ଭବ। ଏହି ହସ୍ତ କୌଣସି ମାୟାବୀ ଦ୍ୱାରା ପ୍ରେରିତ। ”
ଏହା ଶୁଣି ସୁଲୋଚନା କହିଲେ , ” ରେ ଭୁଜ ! ସତରେ ଯଦି ଏହା ମୋର ସ୍ୱାମୀଙ୍କର , ମୋର ପତିବ୍ରତା ଧର୍ମର ପୂଣ୍ୟ ସ୍ବରୂପ ପ୍ରକୃତ ଘଟଣା ଲେଖିଦିଅ ! ”
ଆଶ୍ଚର୍ଯ୍ୟ.. ହାତଟି ଲେଖିବାକୁ ଆରମ୍ଭ କଲା…
“ଘୋର ସଂଗ୍ରାମରେ ଲକ୍ଷ୍ମଣଙ୍କ ଦ୍ୱାରା ମୋର ବଧ ହୋଇଛି। ସେ ହିଁ ବୀର ଓ ପରମ ତପସ୍ୱୀ ଯିଏ ବିବାହିତ ହୋଇ ମଧ୍ୟ ବାରବର୍ଷ ବ୍ରହ୍ମଚର୍ଯ୍ୟ ପାଳନ କରିଛନ୍ତି ଏବଂ ବାରବର୍ଷ ଖାଦ୍ୟ ଗ୍ରହଣ କରିନାହାଁନ୍ତି କିମ୍ବା ନିଦ୍ରା ଯାଇ ନାହାଁନ୍ତି। ମୋର ମସ୍ତକ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ନିକଟରେ ଅଛି। ଏହି ଭୁଜ ମୋ’ର ଅର୍ଥାତ ତୁମ ସ୍ୱାମୀ ଇନ୍ଦ୍ରଜିତର। ”
ସୁଲୋଚନା ସଙ୍ଗେ ସଙ୍ଗେ ରାମଙ୍କ ନିକଟକୁ ଗଲେ ମେଘନାଦର ମସ୍ତକ ଆଣିବା ନିମିତ୍ତ। ରାମଙ୍କ ଚରଣ ତଳେ ଲୋଟିପଡ଼ି କହିଲେ, ” ପ୍ରଭୁ! ଆପଣଙ୍କର ଅନନ୍ୟା ଭକ୍ତା ସହିତ ଏପରି ଅନ୍ୟାୟ କଲେ କିପରି ? ”
ଶ୍ରୀରାମ କହିଲେ, ” ବିଧିର ବିଧାନ ସମସ୍ତେ ସ୍ୱୀକାର କରିବାକୁ ବାଧ୍ୟ। ଇନ୍ଦ୍ରଜିତର ଆୟୁଷ ଏତିକି ହିଁ ଥିଲା। ”
“ଆପଣ ତାଙ୍କୁ ପୁନର୍ଜୀବିତ କରିଦିଅନ୍ତୁ। ଆପଣ ତ ଈଶ୍ୱର। ପ୍ରସ୍ତରରୂପୀ ଅହଲ୍ୟାଙ୍କୁ ଜୀବନ ଦେଇଥିଲେ, କାଷ୍ଠର ନୌକାକୁ ସୁବର୍ଣ୍ଣ କରି ଦେଇଥିଲେ। ଏହିପରି ଅନେକ କିଛି ଭକ୍ତଙ୍କ ପାଇଁ କରିଛନ୍ତି। ”
ଏହି ସମୟରେ ମେଘନାଦର କଟା ମସ୍ତକ ଖୁବ ଜୋରରେ ହସି ଉଠିଲା। ଚକିତ ହୋଇ ଚାହିଁଲେ ସମସ୍ତେ। କହିଲା, ” ସୁଲୋଚନା ! ବୀର ଲକ୍ଷ୍ମଣ ହେଲେ ତୁମର ପିତା ଶେଷନାଗ। ତାଙ୍କର ଶାପ ମଧ୍ୟ ଥିଲା, ସେ ମୋର ମୃତ୍ୟୁର କାରଣ ହେବେ। ଯଦି କିଛି ମାଗିବାର ହିଁ ଅଛି ତେବେ ମୋର ମୋକ୍ଷ ନିମିତ୍ତ ପ୍ରଭୁଙ୍କ ନିକଟରେ ବିନତି ରଖ। ଆଉ ଏହି ମାୟା ସଂସାରରେ ରହିବାର କାମନା ମୋର ନାହିଁ। ”
ସୁଲୋଚନା ଶ୍ରୀରାମଙ୍କୁ ନିବେଦନ କଲେ, ” ପ୍ରଭୁ ! ଯଦି ମୋର ସ୍ୱାମୀ ହିଁ ନ ରହିବେ, ତେବେ ମୋ ଜୀବନର ଅର୍ଥ ଆଉ କିଛି ରହିବ ନାହିଁ। ସ୍ୱାମୀଙ୍କ ଚିତାରେ ମୁଁ ମଧ୍ୟ ଝାସ ଦେବି। ”
ମେଘନାଦର ମସ୍ତକ କୋଳରେ ନେଇ ସତୀ ସୁଲୋଚନା ଚିତାରେ ବସିଗଲେ। ଆକାଶ ମାର୍ଗରୁ ଦେବତାମାନେ ପୁଷ୍ପ ବୃଷ୍ଟି କଲେ। ରଘୁବୀରଙ୍କର କୃପାରୁ ମେଘନାଦ ଓ ସୁଲୋଚନା ଉଭୟଙ୍କୁ ପରମଗତି ପ୍ରାପ୍ତ ହେଲା ।
( ସମାପ୍ତ )
Comments are closed.