Latest Odisha News

BREAKING NEWS

ଭୁବନେଶ୍ବର ମଧ୍ୟ ବିଧାୟକଙ୍କ ବିରୋଧରେ ସକ୍ରିୟ ହେଉଛନ୍ତି ସ୍ଥାନୀୟ ନେତା!

ଭୁବନେଶ୍ୱର: ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପାଇଁ ଆଗାମୀ ବିଧାନସଭା ନିର୍ବାଚନ ଚ୍ୟାଲେଞ୍ଜ ହେବାକୁ ଯାଉଛି । କାରଣ ତାଙ୍କ ପ୍ରତିପକ୍ଷଠୁ ଯେତିକି ଆହ୍ବାନ ନାହିଁ ତାଠୁ ଅଧିକ ଆହ୍ବାନ ରହିଛି ଦଳୀୟ ନେତା ବା ପୂର୍ବତନ କର୍ପୋରେଟରଙ୍କଠୁ। ଯେଉଁମାନେ କି ୨୦୨୨ ମହାନଗର ନିଗମ ନିର୍ବାଚନ ବେଳେ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି।

୨୦୧୯ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି ଅନନ୍ତ ନାରାୟଣ ଜେନା। ୨୦୨୨ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଅନେକ ଦଳୀୟ ନେତା କାଉନସିଲର ଟିକେଟରୁ ବଞ୍ଚିତ ହେବା ପରେ ସେହି ଗୋଷ୍ଠୀ  ଦ୍ୱାରା ଅଡୁଆର ସମ୍ମୁଖୀନ ହେଉଛନ୍ତି ପୂର୍ବତନ ମେୟର।

ଏହି ମଧ୍ୟ ନିର୍ବାଚନ ମଣ୍ଡଳୀର ୧୮ଟି ଓ୍ୱାର୍ଡ ମଧ୍ୟରୁ ବିଜେଡି ୧୩ଟି, ବିଜେପି ୩ଟି, ସ୍ୱାଧୀନ ପ୍ରାର୍ଥୀ ୨ଟି ଆସନରେ ବିଜୟୀ ହୋଇ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ। ତେବେ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିବା ୧୦ରୁ ଊର୍ଦ୍ଧ୍ୱ ପୂର୍ବତନ କର୍ପୋରେଟର ବିଧାୟକଙ୍କ ବିରୋଧରେ ହାତ ମିଳାଇଛନ୍ତି।

ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଗୋଷ୍ଠୀ ଯୋଗ ଦେଉଥିଲେ ମଧ୍ୟ ବିଧାୟକଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସେମାନଙ୍କ ଅନୁପସ୍ଥିତି ଅନେକ କିଛି ଇସାରା ଦେଉଛି। ତେଣୁ ୨୦୨୪ ନିର୍ବାଚନରେ ଅନନ୍ତ ନାରାୟଣ ଜେନାଙ୍କ ସ୍ଥାନରେ ଆଉ କାହାକୁ ଟିକେଟ ଦେବା ପାଇଁ ଏହି ଗୋଷ୍ଠୀ ଲବି କରୁଥିବା ରାଜଧାନୀ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ୨୦୧୯ ମସିହାରୁ ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ନିକଟତର ବୋଲି କୁହାଯାଏ। ଅନନ୍ତ ଜେନାଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଅସନ୍ତୋଷ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ଭିତରେ ବଢୁଥିବା ଅସନ୍ତୋଷର ସଙ୍କେତ ବୋଲି କୁହାଯାଉଛି।

ତେବେ ଭୁବନେଶ୍ୱର ହେଉଛି ବିଜେଡିର ଗଡ। ସମସ୍ତ ଆସନରେ ବିଜେଡି ବିଧାୟକ ନିର୍ବାଚିତ ହୋଇଛନ୍ତି। କେବଳ ସାଂସଦ ଆସନ ବିଜେପି ହାତରେ ରହିଛି।

ଅନନ୍ତ ଜେନାଙ୍କ ପୂର୍ବରୁ ଏହି ଆସନରେ ବିଜୟ ମହାନ୍ତି ନିର୍ବାିଚିତ ହେଉଥିଲେ। ୨୦୧୯ରେ ସେ ଟିକେଟ୍ ପାଇନଥିଲେ। ତାଙ୍କ ସ୍ଥାନରେ ଅନନ୍ତ ଜେନା ପ୍ରାର୍ଥୀ ହୋଇଥିଲେ। ୨୦୦୯ରେ ସେ ୩୫ ହଜାର ଭୋଟରେ ଜିତିଥିବା ବେଳେ ୨୦୧୪ରେ ୨୨ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ। ତେବେ ଅନନ୍ତ ନାରାୟଣ ଜେନା ୧୧ ହଜାର ଭୋଟରେ ବିଜେପିର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କଠୁ ବିଜୟୀ ହୋଇଥିଲେ।

Leave A Reply

Your email address will not be published.