Latest Odisha News

BREAKING NEWS

ଲକ୍‌ଡାଉନ ଡାଏରୀ : ଶିଶୁ ସାହିତ୍ୟିକ ଦାଶ ବେନହୂରଙ୍କ ପାଇଁ ଏହା ଡବଲ ଲକ୍‌ଡାଉନ

ଲକ୍ ଡାଉନ କାହା ପାଇଁ କେମିତି । କାହାକୁ ପରିବାର ସାଥୀରେ ରଖିଛି ତ କାହାକୁ ପରିବାର ଲୋକଙ୍କଠାରୁ ଦୂରେଇ ରଖିଛି । କିନ୍ତୁ ଏହା ସତ କଥା ଯେ ଏହା ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ଦେଇଛି । ତେବେ ଏହି ଲକ୍ ଡାଉନ ସମୟକୁ କିଏ କେମିତି କାଟୁଛନ୍ତି ତାହାକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକ୍ ଡାଉନ ଡାଏରୀ ।

ଶିଶୁ ସାହିତ୍ୟିକ ତଥା ପ୍ରଫେସର ଜିତେନ୍ଦ୍ର ନାରାୟଣ ଦାଶ ଯିଏ ସାହିତ୍ୟ ଜଗତରେ ଦାଶ ବେନହୂର ନାମରେ ବେଶ୍ ପରିଚିତ । ଏହି ଲକ୍‌ଡାଉନ ସମୟରେ ଦାଶ ବେନହୂର କେମିତି କାଟୁଛନ୍ତି ସମୟ, ଆସନ୍ତୁ ଜାଣିବା । ତାଙ୍କ ମତରେ କରୋନା ମହାମାରୀ ସାରା ବିଶ୍ୱକୁ ଅନେକ ଶିକ୍ଷା ଦେଇଛି । ସବୁଠୁ ବିକଶିତ ଦେଶକୁ ବି ଶକ୍ତିହୀନ କରିଦେଇଛି ଯାହା ତାଙ୍କୁ ବେଶ୍ ବ୍ୟଥିତ କରିଥିବା ସେ କହିଛନ୍ତି ।

ଏହି ସମୟ ସମସ୍ତଙ୍କ ପାଇଁ ଯନ୍ତ୍ରଣାଦାୟକ କିନ୍ତୁ ମୋ ପାଇଁ ଶିଖିବାର ସମୟ । ମୁଁ ନିଜକୁ ଆବିଷ୍କାର କରିପାରିଛି ବୋଲି କହିଛନ୍ତି ଓଡିଶା ସାହିତ୍ୟ ଏକାଡମୀ ପୁରସ୍କାର ପ୍ରାପ୍ତ ଲେଖକ ପ୍ରଫେସର ଦାଶ ବେନହୂର ।

ଘରେ ସେ ଏବେ ଏକା । ପତ୍ନୀ ଆମେରିକା କେମ୍ବ୍ରିଜରେ ପୁଅ ପାଖରେ ଦୁଇମାସ ହେଲା ଅଛନ୍ତି । ଲକ୍ ଡାଉନ ଯୋଗୁଁ ଘରୋଇ ସହାୟିକା ବି ଆସୁନାହାନ୍ତି ।

ପାଖ ଘରେ ରହୁଥିବା ଭଡାଟିଆ ବି କେହି ନାହାନ୍ତି । ତେଣୁ ଘରେ ସେ ସମ୍ପୂର୍ଣ୍ଣ ଏକା । ତେବେ ସେ ଡବଲ ଲକ୍ ଡାଉନ ଭିତରେ ରହିଥିବା ଅନୁଭବ କରୁଥିବା କହିଛନ୍ତି ।

ଦାଶ ବେନହୂର କହନ୍ତି, ‘ଏକୁଟିଆ ଥିଲେ ବି ମୁଁ ଏବେ ସଶକ୍ତ ଅନୁଭବ କରୁଛି । ମୁଁ କେବେ ବି ରୋଷେଇ କରିନ ଥିଲି, ବାସନ ମାଜି ନ ଥିଲି କିନ୍ତୁ ଏବେ ଏସବୁ କରିବା ସହିତ ଘରଦ୍ୱାର ଝାଡୁପୋଛା ସହ, ଲୁଗା ପଟା ସଫା କରୁଛି ତା ସହିତ ଛାତ ଉପରେ ଲାଗିଥିବା ଗଛଗୁଡିକର ଯତ୍ନ ନେଉଛି ।

ଧୀରେ ଧୀରେ ଏହା ଏବେ ଅଭ୍ୟାସରେ ପରିଣତ ହୋଇଗଲାଣି । ଏସବୁ କରିବାକୁ ଭଲ ଲାଗୁଛି । ’

ପୂର୍ବରୁ କାମ ବ୍ୟସ୍ତତା ମଧ୍ୟରେ ଏତଟା ସମୟ ମିଳୁ ନଥିଲା ତାଙ୍କୁ । ଏବେ କିନ୍ତୁ ବହୁ କଥା ଚିନ୍ତା କରିବାକୁ ସମୟ ମିଳୁଛି । ଏଥି ସହ ପଢାପଢି ଓ ଲେଖାଲେଖି ପାଇଁ ବି ଢେର ସମୟ ମିଳୁଥିବା ସେ କହିଛନ୍ତି ।

ଲକଡାଉନ ସମୟରେ ପିଲାମାନଙ୍କ ମନୋରଂଜନ ପାଇଁ ଫେସ୍‌ବୁକରେ ମଧ୍ୟ ଅନେକ ଲେଖା ପୋଷ୍ଟ କରିଛନ୍ତି । ବର୍ଷ ବର୍ଷ ଧରି ଅଧା ରହିଥିିବା ଅନେକ ପାଣ୍ଡୁଲିପିକୁ ଏବେ ଶେଷ କରୁଥିବା କହିଛନ୍ତି ।

କୋଭିଡ ୧୯ ଭଳି ଅପ୍ରତ୍ୟାଶିତ ପରିସ୍ଥିତିରେ ସେ ଏକାନ୍ତତାକୁ ସମ୍ମାନ ଦେବା ଶିଖିଛନ୍ତି ବୋଲି କହନ୍ତି ପ୍ରଫେସର ଦାଶ ବେନହୂର ।

ତେବେ କରୋନା ପରେ ରାଜ୍ୟରେ, ଦେଶରେ ଓ ବିଶ୍ୱରେ ପରିସ୍ଥିତି କଣ ହେବ ତାହା ଭାବିବା ବେଳେ ଦାଶ ବେନହୁର ନିଶ୍ଚିତ ଯେ ଏହା ବିଶ୍ୱକୁ ବିଭିନ୍ନ କ୍ଷେତ୍ରରେ ସବୁଦିନ ପାଇଁ ପରିବର୍ତ୍ତିତ କରିଦେବ ।

Leave A Reply

Your email address will not be published.