Latest Odisha News

BREAKING NEWS

ପୁରୀ ଲୋକସଭା ଆସନ: ପ୍ରାର୍ଥୀ ଖୋଜୁଛନ୍ତି କଂଗ୍ରେସ, ବିଜେଡି !

ପୁରୀ/ଭୁବନେଶ୍ୱର: ବିଜୁ ଜନତା ଦଳର ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। କେବଳ ବିଜେଡ଼ିର ନୁହେଁ, କଂଗ୍ରେସ ମଧ୍ୟ କାହାକୁ ପ୍ରାର୍ଥୀ କରିବ ସେନେଇ ମଧ୍ୟ ଅଙ୍କ କଷୁଥିବା ଚର୍ଚ୍ଚାରେ ରହିଛି। ଫଳରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପୁରୀ ଲୋକସଭା ଆସନରେ ପ୍ରାର୍ଥୀଙ୍କୁ ନେଇ ଗୋଳମାଳିଆ ସ୍ଥିତି ଦେଖା ଦେଇଛି। ରାଜ୍ୟ ରାଜନୀତିରେ ଗୁରୁତ୍ତ୍ୱ ରଖୁଥିବା ପୁରୀ ଲୋକସଭା ଆସନ ପାଇଁ ବିଜେପିରୁ ସମ୍ବିତ ପାତ୍ର ସମ୍ଭବତଃ ପ୍ରାର୍ଥୀ ହେବା ଚର୍ଚ୍ଚା ଜୋର ଧରିଛି। ଦଳର ଶୀର୍ଷ ନେତୃତ୍ୱଙ୍କ ଗୁଡବୁକରେ ଥିବା ସମ୍ବିତଙ୍କ ବିପକ୍ଷରେ କାହାକୁ ପ୍ରାର୍ଥୀ କରିବେ ସେନେଇ ଅନ୍ୟ ଦୁଇ ଦଳ ବିଜେଡ଼ି ଓ କଂଗ୍ରେସ ଚିନ୍ତା କରୁଥିବା ଚର୍ଚ୍ଚାଲୋଚନା ହେଉଥିବା ଜଣାଯାଏ। କୁହାଯାଉଛି ପୂର୍ବ ନିର୍ବାଚନରେ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ହୋଇଥିବା ପିନାକୀ ମିଶ୍ରଙ୍କ ବଦଳରେ ନୂଆ ମୁଁହ ଦେଇପାରେ ଦଳ। ଏନେଇ ବିଜେଡ଼ି କ୍ୟାମ୍ପରେ ଆଲୋଚନା ଜୋର ଧରିଛି। ସେହିପରି ୨୦୧୯ରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସତ୍ୟପ୍ରକାଶ ନାୟକ ଦଳ ଛାଡ଼ି ଦେଇଥିବାରୁ ତାଙ୍କ ସ୍ଥାନରେ କିଏ ପ୍ରାର୍ଥୀ ହେବ ସେନେଇ ଦଳ କାହାକୁ ଭରଷା କରିବ ସେନେଇ କଳ୍ପନା ଜଳ୍ପନା ଜାରି ରହିଛି।

ପୁରୀ ଲୋକସଭା ଆସନ ଅଧିନରେ ୭ଟି ବିଧାନସଭା ଆସନରୁ ଦୁଇ ପ୍ରମୁଖ ବିଧାନସଭା ଆସନ ପୁରୀ ଓ ବ୍ରହ୍ମଗିରି ଏବେ ବିଜେପି ଅଧିନରେ ରହିଛି। ଯାହା ବିଜେପିକୁ ନିର୍ବାଚନ ଲଢିବାରେ ବଳ ଯୋଗାଇପାରେ। ଗତ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ବିଜେଡ଼ିର ପିନାକୀ ମିଶ୍ରଙ୍କ ନିକଟରୁ ଏକ ଲକ୍ଷରୁ କମ ଭୋଟରେ ପରାଜିତ ହୋଇଥିଲେ। ଉଭୟଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ପୁରୀ ଆସନରେ ମୋଦିଙ୍କ ଲୋକପ୍ରିୟତା ଓ ତୃଣମୂଳସ୍ତରରେ ମଜବୁତ ସଂଗଠନକୁ ଦେଖି ସମ୍ବିତଙ୍କ ଉପରେ ଦଳ ଭରସା କରିଥିଲା। ଫଳରେ ଗତ ନିର୍ବାଚନରେ ସମ୍ବିତ ୪୬.୩୭ ପ୍ରତିଶତ ଭୋଟ ହାତେଇଥିଲେ। ଯାହା ପୂର୍ବ ନିର୍ବାଚନ (୨୦୧୪ ଲୋକସଭା ନିର୍ବାଚନ) ତୁଳନାରେ ୨୫.୬୧ ପ୍ରତିଶତ ଅଧିକ ଭୋଟ ହାତେଇ ପାରିଥିଲେ। ତୃଣମୂଳ ସ୍ତରରେ ଲୋକସମ୍ପର୍କ ଓ ମଜବୁତ ସଂଗଠନ ବଳରେ ସେ କଂଗ୍ରେସ ଭୋଟକୁ ନିଜ ଖାତାକୁ ଆଣିବାରେ ସଫଳ ହୋଇପାରିଥିଲେ।

କିନ୍ତୁ ସମ୍ବିତଙ୍କ ବିପକ୍ଷରେ ଶାସକ ଦଳର ପ୍ରାର୍ଥୀ ପିନାକୀ ମିଶ୍ର ବିଜୟ ହୋଇଥିଲେ ମଧ୍ୟ ଦଳର ମୁଣ୍ଡ ବିନ୍ଧା ସାଜିଥିଲେ। ୪୭.୪୦ ପ୍ରତିଶତ ଭୋଟ ପାଇ ବିଜୟ ସତ୍ତ୍ୱେ ସେ ୨.୯୩ ପ୍ରତିଶତ ଭୋଟ ହରାଇଥିଲେ। ଗତ ନିର୍ବାଚନ ପରଠାରୁ ନିର୍ବାଚନୀ ମଣ୍ଡଳୀ ବେଶି ବୁଲୁନାହାନ୍ତି ପିନାକୀ। ନିର୍ବାଚନୀ ମଣ୍ଡଳୀରେ ତାଙ୍କର ନିଷ୍କ୍ରିୟତା ଏବେ ତାଙ୍କ ପାଇଁ କଣ୍ଟା ସାଜିଛି। ବିଜେଡ଼ି କ୍ୟାମ୍ପରେ ତାଙ୍କର ଟିକେଟ କଟିବା ନେଇ ଫୁସୁରୁଫାସର ଚାଲିଥିବା ଚର୍ଚ୍ଚା ହେଉଛି। ପୁରୀ ସହରରେ ତାଙ୍କର ଲୋକପ୍ରିୟତା କମିବାରେ ଲାଗିଥିବା କୁହାଯାଉଛି। ସେପଟେ ଆଗାମୀ ନିର୍ବାଚନ ଲଢିବେନି ବୋଲି ଅନିଚ୍ଛା ପ୍ରକାଶ କରିଛନ୍ତି ସାଂସଦ ପିନାକୀ ମିଶ୍ର ବୋଲି ଚର୍ଚ୍ଚା ହେଉଛି। ସେ ଯାହାବି ହେଉ ତାଙ୍କ ସ୍ଥାନରେ ନୂଆ ମୁଁହ ଦେବାକୁ ଚିନ୍ତା କରୁଛି। ତେବେ ସବୁଠାରୁକଂଗ୍ରେସର ଅଧିକ ମୁଣ୍ଡ ବିନ୍ଧା ହେଉଥିବା ଆଲୋଚନା ହେଉଛି। ସେଭଳି ଚର୍ଚ୍ଚିତ ଚେହେରା ତାଲିକାରେ ନଥିବା ବେଳେ କାହାକୁ ପ୍ରାର୍ଥୀ କରିବ ଦଳ ସେ ନେଇ କଂଗ୍ରେସ ଚିନ୍ତା କରୁଥିବା ଜଣାପଡିଛି।

ପୁରୀ ଲୋକସଭା ଆସନ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଖୋର୍ଦ୍ଧା ଜିଲ୍ଲାର ଚିଲିକା, ନୟାଗଡ଼ର ରଣପୁର ଓ ନୟାଗଡ଼ ବିଧାନସଭା ଆସନକୁ ନେଇ ଗଠିତ। ପୁରୀ ଓ ବ୍ରହ୍ମଗିରି ବିଧାନସଭା ଆସନକୁ ଛାଡ଼ିଦେଲେ ଅନ୍ୟ ୫ଟି ଆସନରେ ବିଜେଡି ବିଧାୟକ ବିଜୟ ଲାଭ କରିଥିଲେ। ପୁରୀ ଓ ବ୍ରହ୍ମଗିରିରେ ବିଜେପି ବିଜୟ ହାସଲ କରିଥିଲା।

Leave A Reply

Your email address will not be published.