ନୂଆଦିଲ୍ଲୀ: ୨୦୨୪ରେ ହେବ ଲୋକସଭା ନିର୍ବାଚନ । ଆଜିଠୁ ଆରମ୍ଭ ହୋଇଗଲାଣି ସମରସଜ୍ଜା । ଏକଜୁଟ ହେଉଛନ୍ତି ବିରୋଧୀ । ଦୁଇ ଦୁଇ ଥର ବିଜେପି କ୍ଷମତାକୁ ଆସିବା ପରେ ବିରୋଧୀଙ୍କ ଚିନ୍ତା ବଢିଛି । ବିଶେଷ କରି କଂଗ୍ରେସ ତାର ପ୍ରସ୍ତୁତି ଏବେଠାରୁ ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି । ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିଲ କପିଲ ଶିବଲ । କପିଲ ଶିବଲ ଖୁବ ଶୀଘ୍ର ଏକ ନୂଆ ମଞ୍ଚ ଘୋଷଣା କରିବାକୁ ଯାଉଛନ୍ତି । କୁହାଯାଉଛି, ସେ କୁଆଡେ ଅଣବିଜେପି ଓ ଅନ୍ୟ ବିରୋଧୀ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି ।
ନିକଟରେ ନିଜେ କପିଲ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଏବେ ସମୟ ଆସିଛି ଜନତାଙ୍କୁ ସଚେତନ କରିବାର ।ଅନ୍ୟାୟ ବିରୋଧରେ ଲଢେଇ କରିବାର । ସେ କହିଛନ୍ତି, ଦେଶର ବିରୋଧୀ ମୁଖ୍ୟମନ୍ତ୍ରୀ, ନେତା ମୋତେ ସାହାଯ୍ୟ କଲେ ଆମେ ଏକ ରାଷ୍ଟ୍ରୀୟ ଆନ୍ଦୋଳନ ଆରମ୍ଭ କରିପାରିବା ।
ମାର୍ଚ୍ଚ ୧୧ରେ ସେ ଜନ୍ତରମନ୍ତରଠାରେ ଏକ ବଡ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି କପିଲ ଶିବଲ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ସବୁ ଅଣବିଜେପି ନେତା ଓ ଦଳଙ୍କୁ ଆମନ୍ତ୍ରଣ କରିଛନ୍ତି ।
ଏହି ଅବସରରେ କପିଲ ପ୍ରଧାନମନ୍ତ୍ରୀ ମୋଦିଙ୍କର ଭୂରି ଭୂରି ପ୍ରଶଂସା ବି କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦଙ୍କର ସବୁ କାମ ଭୁଲ ନୁହେଁ । ମୋଦିଙ୍କ ଡିଜିଟାଲାଇଜେସନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସେ ପ୍ରଶଂସା କରିଥିଲେ । ହେଲେ ମୋଦି ଯାହା ଭୁଲ କରୁଛନ୍ତି ତାହା ବିରୋଧରେ ସ୍ୱର ଉଠିବା ଦରକାର ।
କପିଲଙ୍କର ଏପରି ଆହ୍ୱାନ ଏକ ନୂଆ ବିଜେପି ବିରୋଧୀ ମେଣ୍ଟ ଆଡକୁ ଇଙ୍ଗିତ କରୁଛି । ହେଲେ କପିଲ ଶିବଲ ଏହାକୁ ଖଣ୍ଡନ କରିଛନ୍ତି । ସେ ଏକଥା ବି ସ୍ପଷ୍ଟ କହିଛନ୍ତି, ସେ କୌଣସି ଦଳ ଗଠନ କରିବାକୁ ଯାଉ ନାହାନ୍ତି । ବରଂ ଦେଶର ଲୋକଙ୍କ ପାଇଁ ସେ କିଛି କରିବାକୁ ଯାଉଛନ୍ତି ଏବଂ ଏଥିରେ ମୋଦି ବି ତାଙ୍କୁ ବିରୋଧ କରିବେନି ବୋଲି ଆଶା ରଖିଛନ୍ତି । ସେ କହିଛନ୍ତି, ସେ ମୋଦିଙ୍କୁ ବିରୋଧ କରିବା ପାଇଁ ଏଠି ବସି ନାହାନ୍ତି । ବରଂ ତାଙ୍କୁ ସୁଧାରିବା ପାଇଁ କାମ କରୁଛି । ସେ ରାହୁଲଙ୍କ ଭାରତ ଯୋଡା ଯାତ୍ରାକୁ ପ୍ରଶଂସା କରି କହିଥିଲେ, ରାହୁଲ ସମାଜର ଭିନ୍ନ ଭିନ୍ନ ତତ୍ତ୍ୱର ଲୋକଙ୍କୁ ଏକାଠି କରିବାରେ ସଫଳ ହୋଇଛନ୍ତି । ସେ ବୁଝି ପାରିଛନ୍ତି, ବର୍ତ୍ତମାନ ସ୍ଥିତିରେ ଦେଶ ପାଇଁ ଏକତାର କେତେ ଆବଶ୍ୟକତା ରହିଛି।
ଯାହା ବି ହେଉ, ମାର୍ଚ୍ଚ ୧୧ ତାରିଖ ସେ ତାଙ୍କ ଏଜେଣ୍ଡା ଲୋକଙ୍କ ସାମ୍ନାରେ ରଖିବେ ବୋଲି କହିଛନ୍ତି । ସୂଚନାଥାଉ କି, କପିଲ ଶିବଲ ଗତବର୍ଷ କଂଗ୍ରେସ ଦଳ ଛାଡି ଦେଇଥିଲେ । ପରେ ସମାଜବାଦୀ ପାର୍ଟି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା ।
Comments are closed.