Latest Odisha News

BREAKING NEWS

ମାଟିରେ ମିଶିଲା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ

କୋଲକତା: ମାଟିରେ ମିଶିଲା ଲୋକସଭା ସାଂସଦ ତଥା ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ । ଆଜି ଏକ ବୁଲଡୋଜର ସାହାର୍ଯ୍ୟରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଆମତଲାଠାରେ ଥିବା ଅଭିଷେକଙ୍କ ଏହି କାର୍ଯ୍ୟାଳୟକୁ ଭଙ୍ଗାଯାଇଛି । ଏହି ସମୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ଜୁନ୍ ୩୦ ତାରିଖରେ ଏହି କାର୍ଯ୍ୟାଳୟକୁ ଏକ ନୋଟିସ ଜାରି କରାଯାଇ ନିର୍ମାଣ ସମ୍ବନ୍ଧୀୟ ଅନୁମତି ପତ୍ର ଓ ଦସ୍ତାବିଜ ଦାଖଲ କରିବାକୁ କୁହାଯାଇଥିଲା । ଏହାପରେ ଜୁଲାଇ ୭ ତାରିଖରେ ଦ୍ୱିତୀୟ ନୋଟିସ ପଠାଯାଇ ଡାଇମଣ୍ଡ ହାର୍ବର ସାଂସଦଙ୍କୁ ଜୁଲାଇ ୧୫ ସୁଦ୍ଧା ଜିଲ୍ଲା ପ୍ରଶାସନ ନିକଟରେ ହାଜର ହୋଇ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କୌଣସି ନୋଟିସର ଉତ୍ତର ନମିଳିବାରୁ ପ୍ରଶାସନ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହି ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ବିଜେପିକୁ ଟାର୍ଗେଟ କରି ଏହାକୁ “ପ୍ରତିଶୋଧମୂଳକ ଓ ହିଂସାତ୍ମକ ରାଜନୀତି” ବୋଲି କୁହାଯାଇଛି । ପଶ୍ଚିମବଙ୍ଗରେ ବିଜେପି ଶାସନକୁ ଆସିବା ପରେ ଏକ ନୂଆ ‘ବୁଲଡୋଜର ସଂସ୍କୃତି’ ଆରମ୍ଭ ହୋଇଛି, ଯାହା କେବଳ ପ୍ରତିଶୋଧ ଏବଂ ଗୁଣ୍ଡାରାଜ୍ ବ୍ୟତୀତ କିଛି ନୁହେଁ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.