Latest Odisha News

BREAKING NEWS

କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ କୋଟି କୋଟି ଟଙ୍କାର ଠକେଇ; ଏସଟିଏ ଟୋକେନ ସଂସ୍ଥା ମୁଖ୍ୟଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି

 ଭୁବନେଶ୍ବର: ଏକ ଅନ୍ତର୍ଜାତୀୟ ଠକେଇ ମାମଲାରେ ଏସଟିଏ ଟୋକେନ୍ ସଂସ୍ଥାର ମୁଖ୍ୟ ତଥା ହଙ୍ଗେରିର ଡେଭିଡ ଗେଜଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରିଛି ବିଓଆଇ (ବ୍ୟୁରୋ ଅଫ ଇମିଗ୍ରେସନ) ।   ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ର ଅନୁରୋଧ କ୍ରମେ ଡେଭିଡଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ବିଓଆଇ । ଡେଭିଡ ଏସିଟିଏ ଟୋକେନ ସଂସ୍ଥା ନାଁରେ ହଜାର ହଜାର କୋଟି ଟଙ୍କା ଠକେଇ ମାମଲାରେ ସଂପୃକ୍ତ ଅଛନ୍ତି ।

ଡେଭିଡ ୨୦୨୨-୨୩ରେ ପର୍ଯ୍ୟଟକ ଭିସା ନେଇ ୨ ଥର ଭାରତ ଆସି ଭାରତରେ ୨୫ ଦିନ ରହିଥିଲେ । ଏହି ସମୟ ମଧ୍ୟରେ ସେ ଓଡ଼ିଶା, ଗୋଆ, ପଞ୍ଜାବ, ଝାରଖଣ୍ଡ ଓ ଦିଲ୍ଲୀରେ ରହିଥିଲେ । ପ୍ରଥମ ଥର ପାଇଁ ସେ ଭାୟା ଆମେରିକା ଦେଇ ଭାରତ ଆସିଥିଲେ ଏବଂ ୨ୟ ଥର ଭାୟା ପୋଲାଣ୍ଡ ଦେଇ ଆସିଥିଲେ । ଓଡ଼ିଶା ଗସ୍ତ ସମୟରେ ସେ ଭୁବନେଶ୍ୱର ଏବଂ ଭଦ୍ରକ ଯାଇଥିଲେ ।

ତେବେ ସେ ଟୁରିଷ୍ଟ ଭିସାରେ ଆସି ବ୍ୟାବସାୟିକ କାମ କରିଥିଲେ ଯାହା ବୈଦେଶିକ ମନ୍ତ୍ରାଳୟ ନିୟମକୁ ବିରୋଧ କରୁଛି । ଏ ନେଇ ଅର୍ଥନୈତିକ ଅପରାଧିକ ଶାଖା ପକ୍ଷରୁ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ କରିଥିଲା ।

ଡେଭିଡ ଏସଟିଏ ଟୋକେନ ସଂସ୍ଥା ନାଁରେ କ୍ରିପ୍ଟୋ ପୁଞ୍ଜି ନିବେଶ ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉ ଥିଲା । ଏହି ସଂସ୍ଥା ୟୁରୋପର ଆଇଲାଣ୍ଡରୁ ପରିଚାଳତ ହେଉଥିଲା  । ଏହାର ମୁଖ୍ୟ ଡେଭିଡ୍ ଗେଜ୍ ବିଭିନ୍ନ ସମୟରେ  ବିଭିନ୍ନ ରାଜ୍ୟ ବୁଲି ରାତାରାତି ଧନୀ ହେବାର ସ୍ବପ୍ନ ଦେଖାଇ ଲୋକଙ୍କୁ ସଦସ୍ୟ ହେବାକୁ ପ୍ରବର୍ତ୍ତାଉଥିଲେ। ଏହି ମାମଲାରେ  ମାମଲାର ବିଦେଶ ଲିଙ୍କ୍ ନେଇ ମଧ୍ୟ ତଦନ୍ତ ହେଉଛି।

ଏଠି କହିରଖିବୁ, ଇଓଡବ୍ଲୁ ରତ୍ନାକର ପଲାଇ ନାମକ ଜଣେ ବ୍ୟକ୍ତିଙ୍କୁ ଏସଟିଏ କ୍ରିପ୍ଟୋ ପଞ୍ଜି ସ୍କାମରେ ଭୁବନେଶ୍ୱରରୁ ଗିରଫ କରିଛି । ରତ୍ନାକର  ଏସଟିଏର ଜଣେ ମେମ୍ବର । ସେ ତାର ଡାଉନ ଲାଇନରେ ଏକାଧିକ ଲୋକଙ୍କୁ ମେମ୍ବର ରଖି୍ଥିଲା । ସେ ଗୁରଜିତ ସିଂ ଓ ନିରୋଧ ଦାସଙ୍କର ଅତି ଘନିଷ୍ଠ ଥିଲେ । ଏହି ସ୍କାମରେ ଏ ଦୁଇଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଏମାନଙ୍କ ପାସପୋର୍ଟ ଯାଞ୍ଚ ସହ ଆଉ କେଉଁ ସଂସ୍ଥା ସହ ଏମାନଙ୍କର ସମ୍ପର୍କ ରହିଛି ସେ ନେଇ ଖୋଳତାଡ ଚାଲିଛି ।   ଏହାସହିତ ଆର୍ଥିକ କାରବାର ତଥ୍ୟ ପାଇଁ ସଂପୃକ୍ତ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖାଯାଇଛି।

ସୂଚନାଥାଉ କି,  ନିରୋଦର ବ୍ୟାଙ୍କ ଆକାଉଣ୍ଟରେ ୩୦ କୋଟି ଟଙ୍କାର ବେଆଇନ୍ ଅର୍ଥ କାରବାର ହୋଇଥିବା ଜଣାପଡ଼ିଛି ଏବଂ ଗୋଟିଏ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଟଙ୍କା ଜମା କରାଯାଉଥିବା ଜଣାପଡ଼ିଛି ।   ଏହି ରାକେଟ୍ର ଭାରତ ମୁଖ୍ୟ ଗୁରୁତେଜ ସିଂକୁ ଅର୍ଥାତ ସୋମବାର ଦିନ ଇଓଡବ୍ଲୁ ଟିମ୍ ରାଜସ୍ଥାନର ଗଙ୍ଗାନଗରରୁ ଗିରଫ କରିଥିବାବେଳେ ପୂର୍ବରୁ ସଂସ୍ଥାର ଓଡ଼ିଶା ମୁଖ୍ୟ ଭଦ୍ରକର ନିରୋଦ ଦାସକୁ ଗିରଫ କରାଯାଇଥିଲା। ସୋସିଆଲ ମିଡିଆ ମୁଖ୍ୟ ରତ୍ନାକର ପଲେଇକୁ ବି ଗିରଫ କରାଯାଇଥିଲା। ତେବେ ସଂସ୍ଥାର ମୁଖ୍ୟ ହଙ୍ଗେରିର ଡେଭିଡ୍ ଗେଜ୍ ଏବେ ବି ଇଓଡବ୍ଲୁ ଠାରୁ ଅପହଞ୍ଚ ହୋଇ ରହିଛି।

Leave A Reply

Your email address will not be published.