Latest Odisha News

BREAKING NEWS

ଭୁବନେଶ୍ବରରେ ଆସନ୍ତା ୩ ତାରିଖରୁ ଖୋଲିବ ସବୁ ମନ୍ଦିର, ବିଏମସି ପକ୍ଷରୁ ଅନୁମତି

ଭୁବନେଶ୍ବର: ଭୁବନେଶ୍ବରରେ ଆସନ୍ତା ଜାନୁଆରୀ ୩ ତାରିଖରୁ ଖୋଲିବ ସବୁ ମନ୍ଦିର । ଶ୍ରୀଲିଙ୍ଗରାଜ ମନ୍ଦିର ବ୍ୟତୀତ ଅନ୍ୟ ସମସ୍ତ ମନ୍ଦିର ଖୋଲିବାକୁ ବିଏମସି ପକ୍ଷରୁ ଅନୁମତି ଦିଆଯାଇଛି । ମନ୍ଦିର ଖୋଲିବା ନେଇ ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ବିଏମସି ଅନୁମତି ପ୍ରଦାନ କରିଛି ।

ଆସନ୍ତା ୨୭ ତାରିଖରୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଖୋଲିବ । ହେଲେ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ଓ ସେବାୟତଙ୍କ ପରିବାର ମନ୍ଦିରକୁ ଯାଇପାରିବେ । ନୂଆବର୍ଷ ଓ ତା ପରଦିନ ଅର୍ଥାତ୍ ଜାନୁଆରୀ ୧ ଓ ୨ ତାରିଖ ଦୁଇ ଦିନ ମନ୍ଦିର ଦର୍ଶନ ବନ୍ଦ ରହିବ । ୩, ୪ ଓ ୫ ତାରିଖରେ ଭୁବନେଶ୍ବର ବାସିନ୍ଦା ଓ ଆଖପାଖ ଅଞ୍ଚଳର ଲୋକେ ଦର୍ଶନ କରିପାରିବେ । ମନ୍ଦିର ଆସିବା ବେଳେ ସାଥିରେ କରୋନା ନେଗେଟିଭ୍ ରିପୋର୍ଟ ଆଣିବାକୁ ପଡ଼ିବ । ଜାନୁଆରୀ ୬ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଦର୍ଶନ ଆରମ୍ଭ କରାଯିବ ।

ସାହାଣ ଦର୍ଶନ ଓ ଗର୍ଭଗୃହ ଦର୍ଶନ ୩୧ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବନ୍ଦ ରହିବ । ମନ୍ଦିର ବାହାରେ ଆବଶ୍ୟକ ବ୍ୟାରିକେଡିଂ କରାଯିବ । ଜନସାଧାରଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ଭିଡ଼ ନିୟନ୍ତ୍ରଣ କରିବ ପୋଲିସ । ସାମାଜିକ ଦୂରତା ରକ୍ଷା କରିବା ସହ ମନ୍ଦିର ଭିତରେ ଭକ୍ତମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ଭକ୍ତଙ୍କ ପାଇଁ ହାତ ସଫା କରିବା ଓ ସାନିଟାଇଜର ବ୍ୟବସ୍ଥା କରାଯିବ ।

ଭୁବନେଶ୍ବରର ଅନ୍ୟ ସମସ୍ତ ମନ୍ଦିର ପାଇଁ ମଧ୍ୟ ଗାଇଡଲାଇନ୍ ଜାରି କରିଛି ବିଏମସି । ଭକ୍ତ ଓ ସେବାୟତମାନେ ସବୁବେଳେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବେ । ଧାର୍ମିକ ଅନୁଷ୍ଠାନ ଦ୍ବାରା ହାତ ଧୋଇବା ଓ ସାନିଟାଇଜର ବ୍ୟବସ୍ଥା କରାଯିବ ।

ଚର୍ଚ୍ଚ ଗୁଡ଼ିକରେ ମଧ୍ୟ ବଡ଼ଦିନ ପାଳନ କରିବା ପାଇଁ ଅନୁମତି ଦିଆଯାଇଛି । କେତେ ଲୋକଙ୍କୁ ନେଇ ଚର୍ଚ୍ଚରେ ପ୍ରାର୍ଥନା କରାଯିବ, ସେନେଇ ବିଏମସି ପାଖରେ ଆବେଦନ କରିବାକୁ ପଡ଼ିବ । ସାମାଜିକ ଦୂରତା ରକ୍ଷା କରି ଚର୍ଚ୍ଚରେ ପ୍ରାର୍ଥନା କରିବା ନେଇ ସତ୍ୟପାଠ ଦାଖଲ କରିବାକୁ ହେବ ।

Leave A Reply

Your email address will not be published.