Latest Odisha News

BREAKING NEWS

ରାଜ୍ୟରେ ଖଣି ନିଲାମୀରେ ଅନିୟମିତତା ହୋଇଥିବା ସରକାର ମାନିଛନ୍ତି, କାହା ପକେଟକୁ ଦୁର୍ନୀତି ଟଙ୍କା ଯାଇଛି?

ଭୁବନେଶ୍ୱର: ଖଣି ନିଲାମରେ ବ୍ୟାପକ ଅନିୟମିତତା ହୋଇଛି। ଏହାଦ୍ୱାରା ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର କ୍ଷତି ହୋଇଛି। ଓଡ଼ିଶା ସରକାର ଏହା ସ୍ୱୀକାର କରିଛନ୍ତି। ମଙ୍ଗଳବାର ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି।

ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ରାଜ୍ୟ ସରକାର କୋଇଲା ଓ ଖଣି ମନ୍ତ୍ରାଳୟକୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ଖଣି ନିଲାମିରେ ଅନିୟମିତତା ହୋଇଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ଲିଜଧାରୀମାନେ ଖଣି ଉତ୍ତୋଳନ ପରେ ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ବୋଲି ଦର୍ଶାଇଥିବା ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖି ସ୍ବୀକାର କରିଛନ୍ତି।

ସାଂସଦ ଅପରାଜିତା କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନିକଟରୁ ମିଳିଥିବା ଏକ ଚିଠିକୁ ଦେଖାଇ ଏହି ସୂଚନା ଦେଇଛନ୍ତି। ଏହି ଅନିୟମିତତାର ତଦନ୍ତ ପାଇଁ ରାଜ୍ୟ ସରକାର ଖଣି ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି ବୋଲି ଚିଠିରେ ଲେଖାଥିବା ଅପରାଜିତା କହିଛନ୍ତି।

ଉଚ୍ଚ ମାନର ଲୁହାପଥରକୁ ନିମ୍ନ ମାନର ଭାବେ ଉପସ୍ଥାପନ କରାଯାଇଛି। ଫଳରେ ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଅନିୟମିତତା ଯୋଗୁଁ ଜିଲ୍ଲା ଖଣିଜ ପାଣ୍ଠିକୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ସ୍ଥାନାନ୍ତର ହୋଇପାରୁନି। ଅପରାଜିତା ଷଡ଼ଙ୍ଗୀ ଏହି ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅନିୟମିତତା ଜାତୀୟ ଖଣିଜ ଅନୁସନ୍ଧାନ ଟ୍ରଷ୍ଟ (ଏନଏମଇଟି)କୁ ପଠାଯାଇଥିବା ଅର୍ଥରେ ମଧ୍ୟ କମ୍ ରହିଛି।

 

ରାଜ୍ୟ ସରକାର ଖଣି ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି ବୋଲି କହିଛନ୍ତି। ହେଲେ ସ୍ଥିତିରେ ସୁଧାର ଆଣିବା ପାଇଁ କି ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ ବାବଦରେ ଉଲ୍ଲେଖ ନାହିଁ। ଏବଂ କମିଟି କ’ଣ ସୁପାରିସ କରିଛି ସେ ସମ୍ପର୍କରେ ରାଜ୍ୟ ସରକାର ଉଲ୍ଲେଖ କରିନାହାନ୍ତି ବୋଲି ସାଂସଦ କହିଛନ୍ତି। ରାଜ୍ୟ ସରକାର ଏବାବଦରେ ସ୍ପଷ୍ଟୀକରଣ ରଖିବା ଦରକାର ବୋଲି ସେ କହିଛନ୍ତି।

ଏହାପରେ ଅପରାଜିତା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଦୁର୍ନୀତିର ଅର୍ଥ କାହା ପକେଟକୁ ଯାଇଛି? ଆଗକୁ ଏଭଳି ଦୁର୍ନୀତି ହେବ ନାହିଁ ବୋଲି ରାଜ୍ୟ ସରକାର ଗ୍ୟାରେଣ୍ଟି ଦେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ଏହି ଅନିୟମିତତାକୁ ନେଇ ସାଧାରଣରେ ପ୍ରତିବାଦ ହୁଏ ତେବେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

 

Leave A Reply

Your email address will not be published.