Latest Odisha News

ପୁତ୍ରମୋହ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ବାସନ୍ତୀ ମାଉସୀ ଗତ କିଛି ଦିନ ହେଲା ସକାଳୁ ଚାଲିବାକୁ ବାହାରୁ ନାହାନ୍ତି। ସେ ଘରୁ ନବାହାରିବାରୁ ତାଙ୍କ କୁକୁରଟା ବି ଦେଖାଯାଉନି। ତିନି ଚାରି ଦିନ ଗଲାଣି। ସକାଳୁ ନହେଲା ନାହିଁ, ଅନ୍ତତଃ ଦିନ ବେଳେ କେବେ କେମିତି ତ ଘରୁ ବାହାରନ୍ତେ। ସେଇଟା ବି ନାହିଁ। ପାଖ ପଡ଼ୋଶୀ ଲୋକେ କେହି ଏଥି ପ୍ରତି ନଜର ଦେଇନାହାନ୍ତି। ତେବେ ବିଜୟ ବାବୁ ସକାଳୁ ସବୁଦିନ ଚାଲିବାକୁ ଯାଆନ୍ତି। ସେ ଗଲାବେଳେ ନିଶ୍ଚିତ ଭାବେ ବାସନ୍ତୀ ମାଉସୀଙ୍କ ସହିତ ତାଙ୍କର ଦେଖା ହୁଏ। କେବେ କେମିତି ସୁଖ ଦୁଃଖ, ଦେହ ପା କଥା ବି ପଚାରି ଦିଅନ୍ତି। ତିନି ଚାରି ଦିନ ହେଲା ସେ ବାସନ୍ତୀ ମାଉସୀଙ୍କୁ ନଦେଖିବା ଯୋଗୁଁ, ତାଙ୍କ ମନକୁ ପାପ ଛୁଇଁଲା। ସେ ଭାବିଲେ, ବୁଢ଼ୀ ଲୋକ.. ଏକୁଟିଆ ରହୁଛନ୍ତି। କାଳେ କିଛି ଅସୁବିଧା ହୋଇଗଲା କି। ପ୍ରକୃତ କଥା କଣ ଜାଣିବା ପାଇଁ ସେଦିନ ବିଜୟ ବାବୁ ବାସନ୍ତୀ ମାଉସୀଙ୍କ ଘରକୁ ଗଲେ। କଲିଂ ବେଲ୍ ମାରିଲେ। ବେଲ୍ ବାଜିବା ଶବ୍ଦ ଶୁଭୁଥିଲା, କିନ୍ତୁ ଘରୁ କିଛି ଶବ୍ଦ ଆସୁନଥିଲା। ତା ପରେ ବାରମ୍ବାର ତିନି ଚାରିଥର ବାସନ୍ତୀ ମାଉସୀଙ୍କୁ ମାଉସୀ .. ମାଉସୀ .. ବୋଲି ଡାକ ପକାଇଲେ ବିଜୟ ବାବୁ। ଯେତେବେଳେ ଭିତରୁ କିଛି ସୋର ଶବ୍ଦ ଶୁଭିଲା ନାହିଁ, ସେ ବାଧ୍ୟ ହୋଇ କବାଟ ପାଖକୁ ଗଲେ। କବାଟଟା ବାଡ଼େଇବାକୁ ହାତ ବଢ଼ାଇଲା ବେଳକୁ ଦେଖିଲେ, କବାଟଟା ଭିତର ପଟୁ ଆଉଜା ହୋଇଛି। ବନ୍ଦ ହୋଇନାହିଁ। 

ତେବେ ବିଜୟ ବାବୁ ବାରମ୍ବାର ଡାକିବା ଶୁଣି ବାସନ୍ତୀ ମାଉସୀଙ୍କ ପଡ଼ୋଶୀମାନେ ଚାଲି ଆସିଲେ। ସେମାନେ ବି ଭାବି ନାହାନ୍ତି କି ତାଙ୍କ ନଜର ନାହିଁ ଯେ, ବାସନ୍ତୀ ମାଉସୀ ତିନି ଚାରି ଦିନ ହେଲା ଘରୁ ବାହାରି ନାହାନ୍ତି। ବିଜୟ ବାବୁ ଘର ଭିତରକୁ ଯାଇ ଦେଖିଲେ ଖଟ ଉପରେ ପଡ଼ି ରହିଛନ୍ତି ବାସନ୍ତୀ ମାଉସୀ। ତାଙ୍କ କୁକୁରଟା ଦେହରେ ଜୀବନ ନାହିଁ କହିଲେ ଚଳେ। ତାକୁ ଦେଖିଲେ ଲାଗୁଥିଲା, ସେ ସପ୍ତାହେରୁ ଅଧିକ ହେଲାଣି କିଛି ଖାଇ ନାହିଁ। ସୁକୁ ସୁକୁ ହେଉଛି। ଏଣେ ମାଉସୀଙ୍କ ବି ସେଇ ଏକା ଅବସ୍ଥା। ବୁଢ଼ୀ ଲୋକ, ଆଦୌ ଉଠି ପାରୁନାହାନ୍ତି। ତେବେ ତାଙ୍କ ପାଟିରୁ କେବଳ କ୍ଷୀଣ ସ୍ୱରରେ ଶୁଭୁଛି ବିଭୁ ଆଉ ବିଷ୍ଣୁ। ହଁ .. ବାସନ୍ତୀ ମାଉସୀଙ୍କ ଦୁଇ ପୁଅ- ବିଭୁ ଆଉ ବିଷ୍ଣୁ। ହେଲେ ପୁଅମାନେ ତାଙ୍କ ପାଖରେ ରହୁନାହାନ୍ତି। ଉଭୟେ ଅଛନ୍ତି ଲଣ୍ଡନରେ। କୌଣସି ଦୁଇଟି ବହୁଦେଶୀୟ କମ୍ପାନୀରେ ଦୁଇ ଭାଇ ଚାକିରି କରୁଛନ୍ତି। ପ୍ରଥମେ ବଡ଼ ଯାଇଥିଲା, ତା ପରେ ସାନ ବି ପଳେଇଗଲା। ଏବେ ବାସନ୍ତୀ ମାଉସୀ କଟକରେ ଏକାକୀ। ସଦାନନ୍ଦ ମଉସା ଦଶବର୍ଷ ତଳୁ ଆରପାରିକୁ ଗଲେଣି। ପିଲାମାନଙ୍କ ମୋହରେ ମାଉସୀ ବସିଛନ୍ତି ଏଇଠି। ବିଜୟ ବାବୁ ବାସନ୍ତୀ ମାଉସୀଙ୍କୁ ଉଠାଇବାକୁ ଚେଷ୍ଟା କଲେ। କିନ୍ତୁ ସେ ଉଠିବା ଅବସ୍ଥାରେ ନଥିଲେ। ସଙ୍ଗେ ସଙ୍ଗେ ଗିଲାସେ ପାଣି ଆଣି ମାଉସୀଙ୍କୁ ମୁହଁରେ ଟୋପେ ଟୋପେ ଦେବାକୁ ଚେଷ୍ଟା କଲେ ବିଜୟ ବାବୁ। ବାହାରକୁ ଆସି ପାଖ ପଡ଼ୋଶୀମାନଙ୍କୁ କହିଲେ, ବାସନ୍ତୀ ମାଉସୀଙ୍କ ଅବସ୍ଥା ଭଲ ନାହିଁ। ତାଙ୍କୁ ଡାକ୍ତରଖାନାକୁ ନେବାକୁ ହେବ। ତେବେ ନେବ କିଏ? ସେ କଥା ଚିନ୍ତା କଲା ବେଳକୁ ବିଜୟ ବାବୁ କହିଲେ, ପଛେ ଚିନ୍ତା କରିବା, ତାଙ୍କ ପୁଅମାନେ କେତେବେଳେ ଆସିବେ, ଆଉ ଆସିଲେ ମାଉସୀଙ୍କୁ ଡାକ୍ତରଖାନାକୁ ନେବେ। ଆମ କର୍ତ୍ତବ୍ୟ ହେଉଛି, ଏବେ ସଙ୍ଗେ ସଙ୍ଗେ ବାସନ୍ତୀ ମାଉସୀଙ୍କୁ ଡାକ୍ତରଖାନାକୁ ନେବା। ବିଜୟ ବାବୁ ଆମ୍ବୁଲାନ୍ସ ଡାକିଲେ। ବାସନ୍ତୀ ମାଉସୀଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଗଲା। ଏତିକି ବେଳେ ପଡ଼ୋଶୀମାନେ ମାଉସୀଙ୍କ ଦୁଇ ପୁଅଙ୍କୁ ଖବର ଦେଇ ସାରିଥିଲେ। ମାଉସୀ ଡାକ୍ତରଖାନାରେ ପ୍ରାୟ ସପ୍ତାହେ ରହିଲେ। ତାରି ଭିତରୁ ପ୍ରଥମ ଚାରି ଦିନ ଏକଦମ୍ ଚେତାଶୂନ୍ୟ।  

ବିଜୟ ବାବୁ ମାଉସୀଙ୍କ ଯତ୍ନ ନେଉଥାନ୍ତି, ସତେ ଯେମିତି ସେ ତାଙ୍କ ମାଆ। ପଡ଼ୋଶୀମାନେ ବି ନିଜ ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାରକରି ପ୍ରତିଦିନ ଡାକ୍ତରଖାନାରେ ହାଜିରା ଦେଉଥାନ୍ତି। ସେମାନଙ୍କୁ ବିଜୟ ବାବୁ ପଚାରିଲେ, ଏଇଠି ପାଖରେ କଣ କେହି ତାଙ୍କ ସମ୍ପର୍କୀୟ ନାହାନ୍ତି? ସେତେବେଳେ ଜଣେ ମଉସା କହିଲେ, ପାଖାପାଖି ପଚାଶ ବର୍ଷ ତଳେ ଅନନ୍ତପୁର ଗାଁରୁ ଆସି କଟକରେ ଚାକିରି କରୁଥିଲେ ଗଦାଧର ମଉସା। ଆଉ ତାଙ୍କ ପତ୍ନୀ ବାସନ୍ତୀ ମାଉସୀ। ଏଠାରେ କିଛି ବର୍ଷ ଭଡ଼ା ଘରେ ରହିବା ପରେ, ଧୀରେ ଧୀରେ ନିଜ ଘର ତିଆରି କରି ପୂରା ସହର ବାସିନ୍ଦା ହୋଇଗଲେ ଗଦାଧର ବାବୁ। ତା ପରେ ଆଉ ତାଙ୍କର ଗାଁ ସହିତ ସମ୍ପର୍କଟା କ୍ରମଶଃ କମିବାରେ ଲାଗିଲା। ଗଦାଧରଙ୍କ ଦୁଇ ପୁଅ ବିଭୁ ଓ ବିଷ୍ଣୁ ଏଇଠି ଜନ୍ମ ହୋଇଛନ୍ତି। କଟକରେ। ସେମାନେ ଏଇଠି ଜନ୍ମ, ଏଇଠି ବଡ଼ ହେଲେ, ଏଇଠି ପାଠଶାଠ ପଢ଼ିଲେ। ଆଉ ସେମାନେ କେବେ ହେଲେ ଗାଁକୁ ଯିବାକୁ ମନ ଦେଲେ ନାହିଁ। ପୁଅମାନଙ୍କ କଥାରେ ଗଦାଧର ମଉସା ଏବଂ ବାସନ୍ତୀ ମାଉସୀ ବି ଗାଁକୁ ଯିବା ବନ୍ଦ କରି ଦେଇଥିଲେ କେଉଁ କାଳୁ। କିନ୍ତୁ ପିଲାମାନେ ବଡ଼ ହୋଇ ଯେତେବେଳେ ଚାକିରି କରିବାକୁ ବିଦେଶ ପଳେଇ ଗଲେ, ସେତେବେଳେ ଗଦାଧର ମଉସା କେବଳ ପିଲାଙ୍କ କଥା ଭାବି ଭାବି ଆରପାରିକୁ ଚାଲିଗଲେ। ହେଲେ ବାସନ୍ତୀ ମାଉସୀ କିନ୍ତୁ ଅପେକ୍ଷା କରିଛନ୍ତି ପୁଅମାନେ ନିଶ୍ଚୟ ଆସିବେ। ଆଜି ନହେଲେ କାଲି। ହେଲେ ଗତ ଚାରି ବର୍ଷ ହେଲାଣି ସେମାନଙ୍କ ଦେଖା ଦର୍ଶନ ନାହିଁ। ପୁଅମାନଙ୍କୁ ପ୍ରାୟ ସବୁବେଳେ ଖୋଜୁଛନ୍ତି ବାସନ୍ତୀ ମାଉସୀ।

 ଡାକ୍ତରଖାନାରେ ଯେତେବେଳେ ଚାରି ଦିନ ପରେ ତାଙ୍କ ଚେତା ଫେରିଲା, ସେତେବେଳେ ତାଙ୍କ ସାନ ପୁଅ ବିଷ୍ଣୁ ପହଞ୍ଚି ଯାଇଥିଲା ତାଙ୍କରି ପାଖରେ। ବିଷ୍ଣୁକୁ ଦେଖି ବେଶି ଖୁସି ହୋଇଯାଇଥିଲେ ବାସନ୍ତୀ ମାଉସୀ। ଆଉ ପଚାରିଲେ, ତୋ ଭାଇ କୁଆଡ଼େ ଗଲା, କଣ ପାଇଁ ଆସିଲାନି ସେ? ବିଷ୍ଣୁ ପାଖରେ କୌଣସି ଉତ୍ତର ନଥିଲା। ତେଣୁ ସେ କହିଲା, ଭାଇର ଅଫିସରେ ବହୁତ କାମ ଅଛି। ତାକୁ ଛୁଟି ମିଳିଲାନି। ତେଣୁ ସେ ଆସି ପାରିଲାନି। ବାସନ୍ତୀ ମାଉସୀ ଆଉ କିଛି କହିଲେନି। ଗମ୍ଭୀର ଦେଖାଗଲେ। ତା ପରେ ବିଷ୍ଣୁକୁ ପାଖକୁ ଡାକି ତା ହାତ ମୁହଁକୁ ଟିକିଏ ଆଉଁସି ଦେଲେ। ତାଙ୍କୁ ଲାଗିଲା, ସତେ ଯେମିତି ତାଙ୍କ ଭିତରେ ଶତ ସିଂହର ବଳ ଆସିଯାଇଛି। ନିଜ ପୁଅକୁ ପାଇ ସେ ହଠାତ୍ ସତେଜ ହୋଇ ଉଠିଲେ। ପୁଅ ସାଙ୍ଗରେ କଥାରେ ଏତେ ବ୍ୟସ୍ତ ହୋଇଗଲେ ଯେ, ଯେଉଁମାନେ ତାଙ୍କୁ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଉଛନ୍ତି, ସେମାନଙ୍କ ବିଷୟରେ ପଦଟିଏ ବି ପଚାରିଲେନି ସେ। ପ୍ରକୃତରେ କହିବାକୁ ଗଲେ, ପଡ଼ୋଶୀମାନେ ସିନା ଡାକ୍ତରଖାନାକୁ ଆଣିବା ଏବଂ ପ୍ରତିଦିନ ଆସି ତାଙ୍କୁ ଦେଖାଶୁଣା କରିବା କାମଟା କରୁଥିଲେ, କିନ୍ତୁ ତାଙ୍କ ଚିକିତ୍ସା ଖର୍ଚ୍ଚ ସବୁ ବହନ କରିଛନ୍ତି ବିଜୟ ବାବୁ। ମାଆ ଚାରି ଦିନ ହେଲାଣି ଡାକ୍ତରଖାନାରେ, କିନ୍ତୁ ପୁଅ ଆସି କେବଳ ମାଆକୁ ଭେଟିବା ବ୍ୟତୀତ, ଆଉ କିଛି କଲାନାହିଁ। ଏପରିକି ପଡ଼ୋଶୀମାନଙ୍କୁ କୃତଜ୍ଞତା ଜଣାଇବା ତ ଦୂରର କଥା, ଓଲଟା ବିରକ୍ତି ପ୍ରକାଶ କରୁଥିଲା ଅନାବଶ୍ୟକ ଗହଳି କରିଛନ୍ତି ବୋଲି। ପଚାରିଲାନି ବି, ଡାକ୍ତରଖାନାର ଖର୍ଚ୍ଚ କିଏ ବହନ କରିଛନ୍ତି ବୋଲି। ପୁଅକୁ ଦେଖି ସୁସ୍ଥ ହୋଇଗଲେ ବାସନ୍ତୀ ମାଉସୀ। ସପ୍ତାହରେ ଡାକ୍ତରଖାନାରେ ରହିବା ପରେ ଘରକୁ ଫେରିଲେ ସେ। ସାଙ୍ଗରେ ପୁଅ ଥିଲା। ଆଉ ବିଜୟ ବାବୁ ଓ ଅନ୍ୟ ପଡ଼ୋଶୀମାନେ ଯେ ଯାହାର ଘରକୁ ଚାଲି ଯାଇଥିଲେ। ମାଆ ପୁଅ ଘରେ ପହଞ୍ଚିଲା ବେଳକୁ ଘରେ ଥିବା ବାସନ୍ତୀ ମାଉସୀଙ୍କ କୁକୁରଟା ଆଉ ନଥିଲା। ମାଉସୀ ସେ କୁକୁରକୁ ଯେତେ ଡାକିଲେ ବି ତାର କିଛି ଶବ୍ଦ ଶୁଭିଲାନି। ଦେଖିଲା ବେଳକୁ ଘର ଭିତରୁ ଘୁଷୁଡ଼ି ହୋଇ ଯାଇ ସେ ଘର ସାମ୍ନାପଟ ବଗିଚା ଭିତରେ ମରିଯାଇଛି। ପୁଅ ତିନି ଦିନର ଛୁଟି ନେଇ ଆସିଥିଲା। ତାକୁ ଫେରିବାକୁ ହେବ। ତେଣୁ ସେ ମାଆକୁ କହିଲା, ମାଆ ଏଥର ମୋତ ଯିବାକୁ ପଡ଼ିବ। ମୁଁ ଯଦି ଶୀଘ୍ର ନ ଯାଏ, ତାହେଲେ ହୁଏତ ଗଲା ବେଳକୁ ମୋ ଚାକିରିଟା ନଥିବ। ପୁଅର ଚାକିରି କଥା ଶୁଣି ବାସନ୍ତୀ ମାଉସୀ ଟିକିଏ ଡରିଗଲେ। ଏତେ ବଡ଼ କାମ। ବିଦେଶରେ ଚାକିରି। ପୁଅ ନଗଲେ କେମିତି ହେବ? କହିଲେ, ହଁ ବାବା .. ତୁ ପଳେଇ ଯାଆ.. ମୋ କଥା ମୁଁ ଦେଖିବିନି। ତୁ କାହିଁକି ଚିନ୍ତା କରୁଛୁ? ତୋ ଚାକିରି କଥା। ତାକୁ କଣ ଅବହେଳା କରିହେବ? ସତକୁ ସତ ତିନି ଦିନ ପରେ ବାସନ୍ତୀ ମାଉସୀଙ୍କ ସାନ ପୁଅ ବିଷ୍ଣୁ ଫେରିଗଲା ଲଣ୍ଡନ।

ଏବେ ଘରେ ପୁଣି ଏକାକୀ ବାସନ୍ତୀ ମାଉସୀ। ଆଗରୁ ସିନା ତାଙ୍କ କୁକୁରଟା ତାଙ୍କ ପାଇଁ ସୁଖଦୁଃଖର ସାଥୀ ଥିଲା। ହେଲେ ଏବେ ସେ ବି ତ ନାହିଁ। ତେବେ ଡାକ୍ତରଖାନାରୁ ଆସି ସାମାନ୍ୟ ସୁସ୍ଥ ହୋଇଥିବା ବାସନ୍ତୀ ମାଉସୀ, ପରଦିନ ସକାଳୁ ଯେତେବେଳେ ଚାଲିବାକୁ ଘରୁ ବାହାରିଲେ, ତାଙ୍କୁ ଏକା ଏକା ଲାଗୁଥିଲା। ତାଙ୍କ ସାଙ୍ଗରେ ସବୁ ଦିନ ଯାଉଥିବା କୁକୁରଟି ଆଜି ନଥିଲା। ସବୁ ଦିନ ଭଳି ବିଜୟ ବାବୁଙ୍କ ସହିତ ସକାଳୁ ସକାଳୁ ଦେଖାହେଲା। ବିଜୟ ବାବୁ ପଚାରିଲେ, ମାଉସୀ … ଏବେ ଦେହ କେମିତି ଅଛି? …. ସବୁ ଭଲ ନା ? …. ହେଲେ ବାସନ୍ତୀ ମାଉସୀ କୌଣସି ଉତ୍ତର ଦେଉ ନଥିଲେ। ଏପରିକି ବିଜୟ ବାବୁଙ୍କୁ ବି ସେ ଠିକ୍ ଭାବେ ଦେଖୁନଥିଲେ। ଚାଲିଲା ବେଳେ ସେ କଣ ଗୁଡ଼ାଏ ଶବ୍ଦ ଗୁଣୁଗୁଣେଇ ହେଉଥିଲେ। ବିଜୟ ବାବୁ ଆଉ ଟିକିଏ ପାଖେଇ ଯାଇ ପଚାରିଲେ, ମାଉସୀ .. ଏବେ ସବୁ ଠିକ୍ ଠାକ୍ ତ? .. ବାସନ୍ତୀ ମାଉସୀଙ୍କ ପ୍ରତ୍ୟୁତ୍ତର ଥିଲା, ହଁ .. ବିଷ୍ଣୁ ପଳେଇଗଲା .. ବିଭୁ ତ ଆସିଲା ନାହିଁ .. ମୋ ବିଭୁ ବିଷ୍ଣୁ କେତେବେଳେ ଆସିବେ? ତା ମାନେ .. ବାସନ୍ତୀ ମାଉସୀଙ୍କୁ ଦୁନିଆର ଆଉ କିଛି ଶୁଣା ଯାଉନଥିଲା କି ଦେଖାଯାଉନଥିଲା। ସେ କେବଳ ନିଜ ପୁଅମାନଙ୍କୁ ହିଁ ଶୂନ୍ୟରେ ଶୁଣିପାରୁଥିଲେ ବା ଦେଖିପାରୁଥିଲେ। ବିଜୟ ବାବୁ ଆଉ କିଛି ନକହି, ସେଠାରୁ ଆଗକୁ ଚାଲିଯିବା ବେଳେ ମନେ ମନେ ନିଜକୁ ନିଜେ କହୁଥିଲେ, ପୁତ୍ରମୋହରେ ବାସନ୍ତୀ ମାଉସୀ ପାଗଳୀ ହୋଇଗଲେଣି। 

 

ମିଡିଆ ଷ୍ଟଡିଜ

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

Comments are closed.