Latest Odisha News

BREAKING NEWS

ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଫଳରେ ଆଗାମୀ ଦୁଇ ଦିନ ମଧ୍ୟରେ ସାରା ଓଡ଼ିଶାରେ ବ୍ୟାପକ ବର୍ଷା ହେବ ବୋଲି ମଙ୍ଗଳବାର ଦିନ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ।

ଆଇଏମଡ଼ି ଅନୁଯାୟୀ, ୧୫ ଜୁଲାଇ, ୨୦୨୬ ସକାଳ ୫:୩୦ ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ପାଣିପାଗ ବିଭାଗ ଆକଳନ ଅନୁସାରେ ଏହି ପାଗ ପ୍ରଣାଳୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବ। ଯାହା ପୂର୍ବ ଭାରତର ବହୁ ଅଂଶରେ ପାଣିପାଗ ପରିସ୍ଥିତିକୁ ଆହୁରି ପ୍ରଭାବିତ କରିବ।

ଏହି ଗତିବିଧିକୁ ଆଧାର କରି ଜିଲ୍ଲାୱାରୀ ବର୍ଷା ପୂର୍ବାନୁମାନ ଏବଂ ଚେତାବନୀ ଜାରି କରିବ ବୋଲି ଆଶା କରାଯାଉଛି। ତେବେ ଅଧିକାରୀମାନେ ଜନସାଧାରଣ, ବିଶେଷକରି ନିମ୍ନ ଅଞ୍ଚଳ, ବନ୍ୟାପ୍ରବଣ ଏବଂ ନଦୀକୂଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ଏବଂ ପ୍ରଶାସନ ଦ୍ୱାରା ଜାରି ପାଣିପାଗ ପରାମର୍ଶ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।

ଏହି ସଦ୍ୟତମ ପାଣିପାଗ ପ୍ରଣାଳୀ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଆଗକୁ ବଢାଇବ ବୋଲି ଆଶା କରାଯାଉଛି। ଅପରପକ୍ଷରେ ଆଗାମୀ ଦୁଇ ଦିନ ମଧ୍ୟରେ ପ୍ରବଳ ବର୍ଷା, ସମ୍ଭାବ୍ୟ ବନ୍ୟା ଏବଂ ଦୈନନ୍ଦିନ ଜୀବନରେ ଅସ୍ଥାୟୀ ବାଧା ସୃଷ୍ଟି କରିବାର ଆଶଙ୍କା ମଧ୍ୟ ବୃଦ୍ଧି କରୁଛି।

ସେହିପରି ଆଗାମୀ ୩ ଘଣ୍ଟା ପାଇଁ ଟ୍ୱିନ୍ ସିଟି ସମେତ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Comments are closed.