Latest Odisha News

BREAKING NEWS

ପୁରୀର ପ୍ରସିଦ୍ଧ ବାଟମଙ୍ଗଳା ମନ୍ଦିର: ବ୍ରହ୍ମାଙ୍କୁ ମାଆ ଶ୍ରୀମନ୍ଦିରକୁ ଦେଖାଇଥିଲେ ବାଟ !

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ପାଦ ଥାପିଲେ ଭକ୍ତମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ ଖେଳିଯାଇଥାଏ । କୁହାଯାଏ, ଯିଏ ବି ପୁରୀ ମାଟିରେ ପହଂଚେ…ବାଟମଙ୍ଗଳା ଠାକୁରାଣୀଙ୍କଠାରୁ ତାର ହୃଦୟ ସ୍ପନ୍ଦନ ବଢ଼ିଯାଏ କାରଣ ଆଉ ଅଳ୍ପ ଦୂରରେ ରହିଲା ଜଗନ୍ନାଥ ମନ୍ଦିର ।

ଏବେ ରାସ୍ତା ଘାଟ ଓ ଆଲୋକର ବ୍ୟବସ୍ଥା ହେଇଯିବାରୁ ଭକ୍ତଙ୍କୁ ଏତେଟା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ । ପୂର୍ବରୁ ଏହି ଜାଗା ସମ୍ପୂର୍ଣ୍ଣ ନିଛାଟିଆ ରହୁଥିଲା । ବାଟମଙ୍ଗଳାଙ୍କୁ ମୁଣ୍ଡିଆ ମାରି ଭକ୍ତମାନେ ଏହିଠାରୁ ସହର ଭିତରକୁ ପ୍ରବେଶ କରୁଥିଲେ । ଏହା ସେମାନଙ୍କ ମନୋବଳ ବଢ଼ାଇବାରେ ବହୁତ ମାତ୍ରାରେ ସହାୟ ହୁଏ ।

ଏ ନେଇ ଏକ ପୌରାଣିକ ଗାଥା ରହିଛି । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଥରେ ଯୁଗ ସ୍ରଷ୍ଟା ବ୍ରହ୍ମା ଶ୍ରୀକ୍ଷେତ୍ରକୁ ଆସିଥିଲେ । ନିକାଞ୍ଚ ଆଉ ନିଛାଟିଆ ପରିବେଶ ତାଙ୍କ ମନରେ ଶଙ୍କା ସୃଷ୍ଟି କଲା । ସେ ମଙ୍ଗଳାଙ୍କୁ ଆରାଧାନ କଲେ । ମଙ୍ଗଳା ଉଭା ହେବା ସହ ବ୍ରହ୍ମାଙ୍କୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ବାଟ କଢ଼ାଇ ନେଇଥିଲେ ।

ବ୍ରହ୍ମା ଏଥିରେ ସନ୍ତୁଷ୍ଟ ହେବା ସହ ତାଙ୍କୁ ଅନୁରୋଧ କରିଥିଲେ । ଭକ୍ତମାନଙ୍କ ପାଇଁ ତୁମେ ଏହି ବାଟରେ ରହିଯାଅ । ସେବେଠାରୁ ବାଟରେ ମଙ୍ଗଳା ରହିବାରୁ ତାଙ୍କ ନାମ ବାଟମଙ୍ଗଳା ରହିଯାଇଛି।

ମା ବାଟମଙ୍ଗଳାଙ୍କ ଏହି ମନ୍ଦିରଟି ପୁରୀ-ଭୁବନେଶ୍ୱର ୮ନଂ ରାଜ୍ୟ ରାଜପଥରେ ଗଲାବେଳେ ଅଠରନଳାଠାରୁ ୩ କିଲୋମିଟର ଦୂରରେ ଅବସ୍ଥିତ । ମଙ୍ଗଳାଙ୍କର ସୁନ୍ଦର ୩ଟି ଆଖି ସହ ଭୂଜଦ୍ୱୟ ପଶା ଓ ଅଙ୍କୁଶ ଧାରଣ କରିଥାନ୍ତି । ମା’ ନିଜ ଆସନରେ ପଦ୍ମାସନ ଭଙ୍ଗୀ ସହ ହସହସ ମୁଁହରେ ବିରାଜମାନ କରିଥାନ୍ତି । ସେ ଦେବୀ ଦୁର୍ଗା, ମା ମଙ୍ଗଳା, ସର୍ବମଙ୍ଗଳା ଏବଂ ବାଟ ମଙ୍ଗଳାଙ୍କ ମନ୍ତ୍ର ସହ ପୂଜା ପାଇଥାନ୍ତି ।

ନବକଳେବର ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଆସୁଥିବା କାଠବୋଝେଇ ଶଗଡଗୁଡିକ ମା’ ବାଟମଙ୍ଗଳାଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ଶ୍ରୀକ୍ଷେତ୍ର ଭିତରକୁ ପ୍ରବେଶ କରିଥାନ୍ତି । ଓଡିଶାର ପ୍ରମୁଖ ପର୍ବ ଯଥା, ଦୁର୍ଗାପୂଜା, ଦଶହରା, ଚୈତ୍ର ମଙ୍ଗଳବାର ଆଦି ବେଶ ଆଡମ୍ବର ସହକାରେ ଏହି ମନ୍ଦିରରେ ପାଳନ କରାଯାଏ ।

Leave A Reply

Your email address will not be published.