Latest Odisha News

BREAKING NEWS

ମହାନଦୀର କରାଳ ରୂପ: ବନ୍ୟା ପାଣିରେ ବୁଡ଼ିଲା ମା’ ଭଟ୍ଟାରିକାଙ୍କ ପୀଠ, ୧୬୩ ଧାରା ଲାଗୁ

କଟକ (ବଡ଼ମ୍ବା): ଉପରମୁଣ୍ଡରେ ଲଗାଣ ବର୍ଷା ଏବଂ ହୀରାକୁଦ ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସନ ଯୋଗୁଁ ଫୁଲିବାରେ ଲାଗିଛି ମହାନଦୀ। ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ କଟକ ଜିଲ୍ଲା ବଡ଼ମ୍ବା ନିକଟସ୍ଥ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଟ୍ଟାରିକାଙ୍କ ମନ୍ଦିର ଏବେ ଜଳବନ୍ଦୀ ହୋଇପଡ଼ିଛି। ମନ୍ଦିର ପରିସରରେ ବନ୍ୟା ଜଳ ଲହଡ଼ି ମାରୁଥିବା ବେଳେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍) ର ଧାରା ୧୬୩ ଲାଗୁ କରାଯାଇଛି।

 

ସୂଚନା ଅନୁଯାୟୀ, ମହାନଦୀର ରୁଦ୍ର ରୂପ କାରଣରୁ ମା’ ଭଟ୍ଟାରିକାଙ୍କ ପୀଠରେ ଆଣ୍ଠୁଏ ଉଚ୍ଚର ପାଣି ପଶିଯାଇଛି। ମନ୍ଦିରର ଗର୍ଭଗୃହ ଆଡ଼କୁ ଜଳସ୍ତର ମାଡ଼ି ଆସୁଥିବାରୁ ପୂଜକମାନେ ରୀତିନୀତି ଅନୁଯାୟୀ ମା’ଙ୍କ ଚଳନ୍ତି ପ୍ରତିମାକୁ ପାହାଡ଼ ଉପରେ ଥିବା ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି। ବର୍ତ୍ତମାନ ସେହି ସ୍ଥାନରେ ହିଁ ମା’ଙ୍କର ସମସ୍ତ ପୂଜାର୍ଚ୍ଚନା ଏବଂ ନୀତିକାନ୍ତି କରାଯାଉଛି। ପ୍ରତିବର୍ଷ ବନ୍ୟା ସମୟରେ ମା’ ଭଟ୍ଟାରିକାଙ୍କ ପୀଠ ଜଳମଗ୍ନ ହେବା ଏକ ସାଧାରଣ ଘଟଣା ହୋଇଥିଲେ ସୁଦ୍ଧା, ଏଥର ଜଳସ୍ତର ବୃଦ୍ଧିର ବେଗ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି।

 

ବନ୍ୟା ପରିସ୍ଥିତିକୁ ଦେଖିବା ପାଇଁ ଏବଂ ମା’ଙ୍କ ଦର୍ଶନ ଆଶାରେ ସାଧାରଣତଃ ଏହି ସମୟରେ ଲୋକଙ୍କର ପ୍ରବଳ ଭିଡ଼ ଜମିଥାଏ। ତେବେ ନଦୀର ପ୍ରଖର ସ୍ରୋତରେ କୌଣସି ବଡ଼ ଧରଣର ଅଘଟଣ ଘଟିବାର ଆଶଙ୍କା ରହିଛି। ଏହାକୁ ଏଡ଼ାଇବା ପାଇଁ ଉପଜିଲ୍ଲାପାଳ ଏବଂ ସ୍ଥାନୀୟ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିର ଚତୁଃପାର୍ଶ୍ୱରେ ୧୬୩ ଧାରା ଲାଗୁ କରାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଏକାଧିକ ଲୋକଙ୍କ ଏକତ୍ରିତ ହେବା, ସେଲଫି ନେବା ଏବଂ ମନ୍ଦିର ପରିସରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି।

 

ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଲୋକଙ୍କୁ ନଦୀ କୂଳରୁ ଦୂରେଇ ରଖିବା ପାଇଁ ପୀଠ ନିକଟରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Leave A Reply

Your email address will not be published.