Latest Odisha News

BREAKING NEWS

ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା

କାକଟପୁର: ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର । ଆଜିଠୁ ଆରମ୍ଭ ହେଉଛି କାକଟପୁର ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା । ଏକ ମାସ ଧରି ଚାଲିବ ଏହି ଯାତ୍ରା । ଆଜି ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା । ଏନେଇ ଚଳଚଞ୍ଚଳ ହୋଇଉଠିଛି ମାଆଙ୍କ ପୀଠ ।

ମାଆଙ୍କର ଏହି ଅପୂର୍ବ ରୂପର ଦର୍ଶନ ନିମନ୍ତେ ପୀଠରେ ସକାଳୁ ସକାଳୁ ଭକ୍ତଙ୍କର ସୁଅ ଛୁଟୁଛି । ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ ଯଜ୍ଞ । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହୋଇ ଉଠୁଛି ଗଗନ ପବନ । ଦେଖିବାକୁ ମିଳିଛି ଭକ୍ତିମୟ ପରିବେଶ । ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ଭିନ୍ନ ଭିନ୍ନ ବେଶରେ ସୁସଜ୍ଜିତ ହୋଇଥାନ୍ତି ପ୍ରାଚୀତଟ ବାସିନୀ ମାଆ ମଙ୍ଗଳା ।

ମନ୍ଦିର ପ୍ରଶାସନ ପକ୍ଷରୁ ମାଆ ମଙ୍ଗଳାଙ୍କ ପାଇଁ ୧ କେଜି ଓଜନର ସୁନା ମୁକୁଟ ପ୍ରସ୍ତୁତ କରାଯାଇଛି । ଯେଭଳି ଭକ୍ତ ମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ ସେନେଇ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସକାଳୁ ନୀତିକାନ୍ତି ସରିବା ପରେ ଧାଡ଼ିରେ ଯାଇ ମାଆଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଝାମୁ ଯାତ୍ରା ପାଇଁ ମାନସିକଧାରୀ ମହିଳାଙ୍କ ପନ୍ଥେଇ ପୂଜା, ପାଟୁଆ ନୃତ୍ୟ, ଯାଦବ ଭାଇଙ୍କ ଲଉଡ଼ି ଖେଳର ପରମ୍ପରା ରହିଛି ।
ସେହିପରି ଆଜିଠୁ ଚୈତ୍ର ମାସ ମଙ୍ଗଳବାର ବ୍ରତ ପାଳନ କରନ୍ତି ସାଧବା ସ୍ତ୍ରୀ । ନିଜ ନିଜର ମାନସିକ ରଖି ଏହି ବ୍ରତ ଧାରଣ କରିଥାନ୍ତି । ଘର ଆଗରେ ମାଟିରେ ପନ୍ଥେଇ ପ୍ରସ୍ତୁତ କରି ତାକୁ ଗୋବରରେ ଲିପି ସେଥିରେ ଫୁଲ, ଝୁଣା, ଦୀପ, ଧୂପ ନୈବେଦ୍ୟ ଦେଇ ପୂଜା କରନ୍ତି । ପୂଜାରେ ଲଗାଯାଇଥିବା ପଣାକୁ ସେହି ପନ୍ଥେଇରେ ଦେଇ ପୂଜା ପାଇଁ ଏକତ୍ର ହୋଇଥିବା ସଧବା ନାରୀମାନେ ତାକୁ ପ୍ରସାଦ ରୂପେ ସେବନ କରି ନିଜର ବ୍ରତ ଆରମ୍ଭ କରିଥାନ୍ତି ।

କିମ୍ବଦନ୍ତୀ ଅନୁସାରେ ଚଇତି ନାମକ ଜଣେ ହାଡ଼ି ଜାତିର ମହିଳା ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ଘରଦ୍ୱାର ଲିପାପୋଛା କରି ଝୋଟି ପକାଉଥିଲେ । ବିଭିନ୍ନ ପ୍ରକାର ଫଳ, ଫୁଲ, ମଦ, ମାଂସ ଓ ଭୋଗରେ ସେ ମଙ୍ଗଳାଙ୍କୁ ପୂଜା କରୁଥିଲେ । ଦିନେ ରାଜନଅର ଓଳାଇବାକୁ ଯାଇଥିବା ବେଳେ ସକାଳୁ ସକାଳୁ ରାଜାଙ୍କ ମୁହଁକୁ ଦେଖି ଅଶୁଭ ହେବ ମନେମନେ ଆଶଙ୍କା କରିଥିଲେ । କାରଣ ରାଜା ଥିଲେ ଅପୁତ୍ରିକ I ଚଇତି ନିଜକୁ ସଂଯତ କରି ନପାରି ରାଜାଙ୍କୁ ଆଣ୍ଠୁକୁଡ଼ା କହିଦେଲେ ।

ଏଥିରେ ରାଜା ଭୀଷଣ ରାଗିଯାଇ ଚଇତିର ସାତ ପୁଅଙ୍କୁ ଢିଙ୍କିରେ କୁଟାଇ କାଳୁଆ ଗଣ୍ଡରେ ଭସାଇଦେବାକୁ ଆଦେଶ ଦେଲେ । ପୁତ୍ରମାନଙ୍କ ବିୟୋଗ ଶୋକରେ ଥାଇ ମଧ୍ୟ ଚଇତି ମାଆ ମଙ୍ଗଳାଙ୍କୁ ମଦ ମାଂସ ଆଦି ଭୋଗ ଦେଇ ପୂଜାକରିଥିଲେ । ଦୁବ ଭୋଗ ନେଇ ମଙ୍ଗଳାଙ୍କୁ ସ୍ମରଣକରି କାଳୁଆ ଗଣ୍ଡରେ ପକାଇଲେ । ଶେଷରେ ମଙ୍ଗଳା କୃପା କରିବାରୁ ଚଇତିର ସବୁ ପୁଅ ବଞ୍ଚିଉଠିଲେ । କିଏ ଘୁମୁରା ବଜାଇଲା ତ ଆଉକିଏ ଢୋଲ ବଜାଇଲା । ପରିଶେଷରେ ରାଜା ଚଇତି ଠାରୁ ଚଇତି ମଙ୍ଗଳବାର ଓଷାର ମହିମା ଶୁଣିଥିଲେ । ଏହାପରେ ରାଜାଙ୍କର ଅନେଶତ ରାଣୀ ମଙ୍ଗଳା ଓଷା ବିଧି ଅନୁସାରେ କରିଥିଲେ ଓ ପୁତ୍ରବତୀ ହୋଇଥିଲେ । ସେବେଠାରୁ ଏହି ପୂଜାର ପ୍ରସିଦ୍ଧି ଯୁଗ ଯୁଗ ଧରି ଚାଲିଆସୁଛି ।

Leave A Reply

Your email address will not be published.