ଆଧୁନିକ ଗୀତିକବିତାର ଜନକ ମଧୁସୂଦନ ରାଓ
(୧୮୫୩-୧୯୧୨)
କ୍ଷେତ୍ର: ଭାଷା-ସାହିତ୍ୟ (ମଧୁ ବର୍ଣ୍ଣବୋଧର ପ୍ରଣେତା)
ଓଡ଼ିଆ ସାହିତ୍ୟ ଜଗତରେ ଭକ୍ତକବି ଭାବେ ସୁପରିଚିତ ମଧୁସୂଦନ ରାଓ ତାଙ୍କ ରଚିତ ‘ମଧୁ ବର୍ଣ୍ଣବୋଧ’ ପାଇଁ ରହିବେ ଚିର ଅମର । ଏହି ପତଳା ବହିଟି ଏଯାବତ୍ ଏକ ଶିଶୁ-ବେଦ ଭାବେ ଜନଗଣଙ୍କ ସମ୍ମାନ ଓ ଆଦର ଲାଭ କରିଆସିଛି ।
୧୯ ଜାନୁଆରୀ ୧୮୫୩ ମସିହାରେ ପୁରୀ ଜିଲ୍ଲାର ପଥୁରିଆ ସାହିରେ ଏକ ମରାଠା କ୍ଷତ୍ରୀୟ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧୁସୂଦନ । ତାଙ୍କର ପିତା ଥିଲା ଓଡ଼ିଶା ପୋଲିସ୍ ବିଭାଗର କର୍ମଚାରୀ ଥିବାରୁ ଚାକିରିର ବଦଳି ସହ ତାଳ ଦେଇ ମଧୁସୂଦନଙ୍କ ସ୍କୁଲ୍ ମଧ୍ୟ ବଦଳିଥିଲା । ଗୋପ, କଟକ, ଭୁବନେଶ୍ୱର, ପୁରୀ ଆଦି ସ୍ଥାନରେ ସଂପନ୍ନ ହୋଇଥିଲା ତାଙ୍କର ବାଲ୍ୟ ଶିକ୍ଷା । ରେଭେନ୍ସା କଲେଜ୍ରୁ ଏଫ୍.ଏ. ପାସ୍ କଲା ପରେ ଉଚ୍ଚତର ଶିକ୍ଷା ପାଇଁ ଓଡ଼ିଶାରେ ସୁଯୋଗ ନଥିବାରୁ ସେ ପାଠପଢ଼ା ଶେଷ କରି ସେ ବିଭିନ୍ନ ଜାଗାରେ ଶିକ୍ଷକତା ବୃତ୍ତି ଗ୍ରହଣ କଲେ ।
୧୯୮୦ରେ ସେ ଶିକ୍ଷା ବିଭାଗର ଡେପୁଟି ଇନ୍ସପେକ୍ଟର ପଦବୀରେ ଅବସ୍ଥାପିତ ହେଲେ । ଓଡ଼ିଆ ପାଠ୍ୟ ପୁସ୍ତକର ଅଭାବ ଅନୁଭବ କରି ସେ ଅନେକ ପାଠ୍ୟପୁସ୍ତକ ରଚନା କରିଥିଲେ । କଟକସ୍ଥ ଭିକ୍ଟୋରିଆ ହାଇସ୍କୁଲ୍ର ସେ ଥିଲେ ପ୍ରତିଷ୍ଠାତା, ଯାହା ପରବର୍ତ୍ତୀ କାଳରେ ଭକ୍ତମଧୁ ବିଦ୍ୟାପୀଠ ଭାବେ ପରିଚିତ ହେଲା ।
ପ୍ରବନ୍ଧରୁ ଲେଖକ ଜୀବନ ଆରମ୍ଭ କରିଥିଲେ ସେ । ୧୯୮୦ରେ ତାଙ୍କର ପ୍ରଥମ ପ୍ରବନ୍ଧ ପୁସ୍ତକ ‘ପ୍ରବନ୍ଧମାଳା’ ପ୍ରକାଶିତ ହୋଇଥିଲା । ରାଧାନାଥ ରାୟଙ୍କ ସହ ମିଶି ‘କବିତାବଳୀ’ ଶୀର୍ଷକରେ ସେ ଏକ ଗୀତିକବିତା ପୁସ୍ତକ ପ୍ରକାଶ କରିଥିଲେ, ଯାହା ଚଉତିଶା, କୋଇଲି, ବୋଲି ଆଦି ପାରଂପରିକ ଗୀତିରଚନା ଧାରାଠାରୁ ପୃଥକ୍ ଥିଲା । ଛାନ୍ଦମାଳା, ସଙ୍ଗୀତମାଳା, କୁସୁମାଂଜଳି, ବସନ୍ତଗାଥା, ଉତ୍କଳଗାଥା, ଉତ୍ତର ରାମଚରିତ, ବାଳ ରାମାୟଣ, କବିତାବଳି, ସାହିତ୍ୟ କୁସୁମ, ବାଳବୋଧ, ଶିଶୁବୋଧ ଆଦି ଅନେକ କବିତା ପୁସ୍ତକ ରଚନା କରିଥିବା ମଧୁସୂଦନ ରାଓ ଥିଲେ ବାସ୍ତବରେ ଓଡ଼ିଆ ଆଧୁନିକ ଗୀତିକବିତାର ଜନକ ।
ସେ ବ୍ରାହ୍ମ ଧର୍ମରେ ବିଶ୍ୱାସ କରୁଥିଲେ ଓ ତାର ପ୍ରସାରକ ମଧ୍ୟ ଥିଲେ । ସେଥିପାଇଁ ତାଙ୍କ କବିତାର ଧାଡ଼ିମାନଙ୍କରେ ଭକ୍ତିଭାବ ଓ ଉପନିଷଦର ବାର୍ତ୍ତା ଦେଖିବାକୁ ମିଳେ । ତାଙ୍କର ଶିକ୍ଷକୀୟ ଦକ୍ଷତା ଓ ସୃଜନଶୀଳତାରେ ସନ୍ତୁଷ୍ଟ ହୋଇ ଇଂରେଜ ସରକାର ତାଙ୍କୁ ‘ରାୟ ବାହାଦୁର’ ଉପାଧି ପ୍ରଦାନ କରିଥିଲେ । କଟକରେ ପ୍ରତିଷ୍ଠିତ ‘ଉତ୍କଳ ସାହିତ୍ୟ ସମାଜ’ର ସେ ଥିଲେ ପ୍ରଥମ ସଭାପତି । ୨୮ ଡିସେମ୍ବର ୧୯୧୨ରେ ସେ ସ୍ୱର୍ଗବାସୀ ହୋଇଥିଲେ ।
ଆଲେଖ © ସରୋଜ ବଳ
Comments are closed.