Latest Odisha News

BREAKING NEWS

ପାରମ୍ପରିକ ନୀତିରେ ମହା ବିଷୁବ ସଂକ୍ରାନ୍ତି

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ

ଭାରତବର୍ଷରେ ବର୍ଷଗଣନା ସୌରମାସ ସଂକ୍ରାନ୍ତିଠାରୁ ଆରମ୍ଭ ହେଉଥିବା ବେଳେ ଚାନ୍ଦ୍ରମାସ ପୂର୍ଣ୍ଣମୀଠାରୁ ହୋଇଥାଏ । ବୈଶାଖ ମାସର ସଂକ୍ରାନ୍ତିକୁ ମେଷ ସଂକ୍ରାନ୍ତି କୁହାଯାଏ । ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ ବିଭକ୍ତ କରାଯାଇଥାଏ । ଏଣୁ ବୈଶାଖ ମାସ ବା ମେଷ ସଂକ୍ରାନ୍ତିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ । ଏହିଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ଓଡ଼ିଆମାନେ ଏହିଦିନଟିକୁ ନବବର୍ଷ ଭାବେ ମଧ୍ୟ ପାଳନ କରିଥାଆନ୍ତି ।

ବିଶେଷ କରି ଓଡ଼ିଶାରେ ଏହି ପବିତ୍ର ଦିବସଟିକୁ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ । ପାରମ୍ପରିକ ରୀତିନୀତି ଅନୁସାରେ ଏହି ଦିନ ଓଡ଼ିଶାରେ ଘରେ ଘରେ ପଣା ଭୋଗ ହୋଇ ତୁଳସୀ ଗଛରେ ଅର୍ପଣ କରାଯାଇଥାଏ । ଏହି ଦିନ କାହିଁକି ପଣା ବା ବେଲ ପଣା ପ୍ରସ୍ତୁତ କରାଯାଏ ତାହାର ମଧ୍ୟ ଯଥେଷ୍ଟ ଯୁକ୍ତିଯୁକ୍ତ କାରଣ ରହିଛି । ଏହି ସମୟରେ ପ୍ରଖର ଗ୍ରୀଷ୍ମ ପ୍ରବାହ ହେତୁ ଖାଦ୍ୟ ଶୀଘ୍ର ହଜମ ହୋଇଯାଏ । ଏଣୁ ଗୁରୁଖାଦ୍ୟ ରୂପେ ଛତୁଆ ଏପରିକି ବେଲକୁ ପଣାରେ ମଧ୍ୟ ବ୍ୟବହୃତ କରିବାର ବ୍ୟବସ୍ଥା ରହିଛି । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ । ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ । ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ । ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି । ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ।

ଶ୍ରୀମନ୍ଦିରରେ ପରମ୍ପରା ରୀତିନୀତିରେ ହନୁମାନ ଜୟନ୍ତୀ ପାଳନ କରାଯାଏ । ସକାଳ ଧୂପରେ ହନୁମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାଯାଇ ଆଜ୍ଞାମାଳ ପ୍ରଦାନ କରାଯିବ । ସେଠାରୁ ଚକ୍ରତୀର୍ଥ ଦରିଆ ମହାବୀର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରାଯିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯିବାର ବିଧିବିଧାନ ରହିଛି । ସେହିପରି ଶ୍ରୀକ୍ଷେତ୍ରରେ ମହାଆଡମ୍ୱରରେ ପଣା ସଂକ୍ରାନ୍ତି ମଧ୍ୟ ପାଳନ କରାଯାଉଛି। ବିଭିନ୍ନ ଆଖଡ଼ାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ପରେ କୁସ୍ତି ଯୋଦ୍ଧାମାନେ କୁସ୍ତି ଯୋଦ୍ଧା ଶିକ୍ଷା ଆରମ୍ଭ କରିଥାନ୍ତି । ଏହାସହ ମହାପ୍ରଭୁ ଜଗନ୍ନାଥଙ୍କ ପଞ୍ଜିକା ଆଜିଠାରୁ ଆରମ୍ଭ ହେବ। ପଣା ସଂକ୍ରାନ୍ତିରେ ବିଭିନ୍ନ ସ୍ଥାନରେ ଚାଲିଥିବା ଝାମୁଯାତ୍ରା ବା ଦଣ୍ଡ ନାଚ ଶେଷ ହୋଇଥାଏ ।

ଏହି ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗ୍ରାମାଞ୍ଚଳରେ କାମନା ଦଣ୍ଡ ଭାବେ ପରିଚିତ ହୋଇଆସୁଛି । ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ଅନୁମେୟ କରାଯାଇ ପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର, ବୌଦ୍ଧ ନିକାୟ, ପାଣିନି, କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଟକର ସଙ୍କେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ ‌। ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପିତ କରିବା ହେଉଛି ଲୋକନାଟକର ଲକ୍ଷ୍ୟ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ , ଶିବ ଓ ମଙ୍ଗଳର ଜୟଗାନ ପାଇଁ ଆହ୍ୱାନ ଦେଇଥାନ୍ତି । ଲୋକ ନାଟକର ସୃଷ୍ଟି ଉତ୍ସ ଗୁଡିକ ହେଉଛି- ପ୍ରକୃତି ପ୍ରଭାବ, ଧର୍ମ ଟିନ୍ତନ, କୃଷି ସଭ୍ୟତା, ସାମରିକ ପରମ୍ପରା, କାରୁକଳା, ଆଦିବାସୀ ଓ ଓଡ଼ିଶୀ ନୃତ୍ୟ । ବୈଦିକ ଯୁଗରେ ଲୋକ ନାଟକର ଉବ୍ଦଭ ହୋଇଥିଲେ ମଧ୍ୟ ଅଦ୍ୟାପି ଏଗୁଡିକ ଲୋକ ସମାଜରେ ମୁମୂର୍ଷ ଅବସ୍ଥାରେ କେବଳ ବଞ୍ଚି ରହିଛି । ଏହାର ପୁନରାଉଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ୱ ଚଳଚଞ୍ଚଳ ହୋଇପଡ଼ିଛି । ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ । ଚୀନ୍, ଆମେରିକା, ଲୋହିତ ଭାରତୀୟ , ଆଫ୍ରିକାର ଆଦିବାସୀ, ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ । ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା ।

ଏହି ଦଣ୍ତନାଚର ଉଦ୍ଭବ ପୌରାଣିକ ତଥ୍ୟାବଳୀ ଅନୁସାରେ ଥରେ ଦକ୍ଷ ପ୍ରଜାପତି ଯଜ୍ଞର ଆୟୋଜନ କରି ନିଜ କନ୍ୟା ସତୀ ଓ ଜାମାତା ଶିବଙ୍କ ବ୍ୟତୀତ ସବୁ ଦେବତାମାନଙ୍କୁ ଆମନ୍ତ୍ରିତ କରିଥିଲେ । ଅନିମନ୍ତ୍ରିତ ଭାବରେ ସତୀ ଯଜ୍ଞସ୍ଥଳକୁ ଯିବାରୁ ଦକ୍ଷ ତାଙ୍କୁ ଭର୍ତ୍ସନା କରିବା ସହିତ ଶିବଙ୍କୁ ଅପମାନ ଦେଲେ । ଏହା ସହି ନ ପାରି ସତୀ ଯଜ୍ଞକୁଣ୍ଡରେ ଝାସଦେଇ ପ୍ରାଣତ୍ୟାଗ କଲେ । ଏହି ସମ୍ବାଦ ପାଇ ଶିବ କ୍ରୋଧାନ୍ୱିତ ହୋଇ ଦକ୍ଷଙ୍କର ଶିରଚ୍ଛେଦର କରିଥିଲେ । ତାଙ୍କର ଉଗ୍ରରୂପକୁ ଶାନ୍ତ କରିବାପାଇଁ ଦକ୍ଷ ପତ୍ନୀ ପ୍ରସୂତୀ ଅର୍ଘ୍ୟ ଦେଇ ବନ୍ଦା କରିବାକୁ ଆସନ୍ଦେ ଶିବଙ୍କର ଦିଗମ୍ବର ରୂପକୁ ଦେଖି ତାଙ୍କୁ ଲିଙ୍ଗରୂପରେ ପୂଜା ପାଇବାକୁ ଅଭିଶାପ ପ୍ରଦାନ କଲେ । ଅଭିଶାପ ହେତୁ ଶିବଲିଙ୍ଗ ଭୂପତିତ ହେଲା ଏବଂ ଆଦିଶକ୍ତି ଉଭା ହୋଇ ଏହି ଲିଙ୍ଗକୁ ଧାରଣ କଲେ । ସେହିଦିନଠାରୁ ଶିବଶକ୍ତି ଦଣ୍ଡ ଓ ଘଡ଼ି ରୂପରେ ପୂଜା ପାଇଥାନ୍ତି । ବ୍ରହ୍ମା ଏହି ଦଣ୍ଡ-ଘଡ଼ି ପୂଜା କରିବାକୁ ଚଢ଼େଇଆକୁ ଦେଲେ । ସେହି ଦିନଠାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା ।

ପୌରାଣିକ ଉପାଖ୍ୟାନରୁ ଜଣାଯାଏ ବ୍ରହ୍ମାଙ୍କ ପାଞ୍ଚ କୁମାର ମରୀଚି, ପୁଲହ, ପୁଲସ୍ତ୍ୟ, କ୍ରତୁ ଓ ଅଙ୍ଗିରା ଇନ୍ଦ୍ରଙ୍କ ପାଞ୍ଚ ପୁଅ ଜୟନ୍ତ, ପାକଶାସ୍ତ୍ରୀ, ସୁବତ୍ସ, ସୁରସେନ, ଗନ୍ଧର୍ବସେନ ଓ କୁବେରଙ୍କ ତିନିପୁତ୍ର ନଳ, ମଣିଭଦ୍ର, ସୁକୁବେର ସତ୍ୟ ଯୁଗରେ ଦେବଗୁରୁ ବୃହସ୍ପତିଙ୍କଠାରୁ ବିଦ୍ୟାଶିକ୍ଷା କରି ଫେରୁଥିବା ସମୟରେ ପିତୃଲୋକଙ୍କୁ ଜଳଦାନ କରୁଥିବା ଋଷି କର୍ତୃଙ୍କୁ ଦେଖି ହସିବାରୁ ଶାପିତ ହୋଇ କୁଷ୍ଠରୋଗାକ୍ରାନ୍ତ ହେଲେ । ଏଥକୁ ମୁକ୍ତି ପାଇବାକୁ ସେମାନେ ମହାଦେବ ଶିବଙ୍କ କୃପାପ୍ରାର୍ଥୀ ହେଲେ । ତେବେ ମହାଦେବ ସ୍ୱୟଂ ଆଦିଶକ୍ତିଙ୍କୁ ସ୍ମରଣ କରୁଥିଲେ । ଏ ସମୟରେ ମା କାଳୀ ଆବିର୍ଭୁତା ହୋଇ ୧୩ ଦିନ ରୁଦ୍ରକାଳୀ ଦଣ୍ଡବ୍ରତ ପାଳନ କରିବାକୁ କହିବାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା ।

ପୌରାଣିକ ଉପାଖ୍ୟାନରେ ରହିଛି ଯେ ତରଣୀ ଋଷିଙ୍କର ୧୪ ଜଣ ଉଦ୍ଧତ ପୁଅ ଅନେକ ଅନ୍ୟାୟ ଅତ୍ୟାଚାର କରୁଥିଲେ। ସେମାନଙ୍କ ଭିତରୁ ଜଣେ ଅଭକ୍ଷ୍ୟ ଭକ୍ଷଣ କରି ମୃତ୍ୟୁବରଣ କଲା ଓ ଅନ୍ୟମାନଙ୍କୁ ବ୍ରହ୍ମା ଉଇହୁଙ୍କା ପାଲଟି ଯିବାକୁ ଅଭିଶାପ ଦେଲେ । ଫଳତଃ ସେହି ତେରଜଣଙ୍କ ଭିତରୁ ଜଣେ ଶିବଙ୍କ ଶରଣାପନ୍ନ ହୋଇ ଦଣ୍ଡ ପାଳନ କରି ବ୍ରହ୍ମାଙ୍କୁ ତୁଷ୍ଟ କଲା ଓ ତେରଭାଇ ଶାପମୁକ୍ତ ହେଲେ । ଏହି ତେର ଋଷିପୁତ୍ରଙ୍କୁ ନେଇ ତେର ଦଣ୍ଡନାଟର ଆରମ୍ଭ ବୋଲି କଥିତ ଅଛି । ପୌରାଣିକ ଉପାଖ୍ୟାନ ଏକଥା ମଧ୍ୟ ରହିଛି ଯେ ଅଷ୍ଟାବକ୍ର ଋଷିଙ୍କର କୁରୂପ ଶରୀରକୁ ଦେଖି ବୃହସ୍ପତି, ଇନ୍ଦ୍ର ଓ କୁବେରଙ୍କର ୧୩ ପୁତ୍ର ପରିହାସ କରିବାରୁ ଋଷିଙ୍କ ଅଭିଶାପରେ ସେମାନେ ଚଢ଼େୟା ଶବର ଭାବେ ପୃଥିବୀ ପୃଷ୍ଠରେ ଜନ୍ମ ଗ୍ରହଣ କଲେ । ଥରେ ନିଷିଦ୍ଧ ଅଞ୍ଚଳରେ ପକ୍ଷୀ ଶିକାର କରିବାରୁ ପକ୍ଷୀମାନେ ଗରୁଡ଼ଙ୍କୁ ନିଜର ଦୁଃଖ ଜଣାଇଲେ। ଫଳତଃ ଗରୁଡ଼ଙ୍କ ଆଦେଶରେ ଶିବଙ୍କର ସର୍ପ ଦଂଶନ କରି ମାରିଦେଲେ । ସେମାନଙ୍କ ପତ୍ନୀ ମା କାଳୀଙ୍କୁ ପ୍ରାର୍ଥନା କରିବାରୁ ସେ ୧୩ ଜଣ ଚଢ଼େୟାଙ୍କୁ ଜୀବଦାନ ଦେଲେ। ଏହି ମହିମାକୁ ପ୍ରଚାର କରିବାପାଇଁ ୧୩ ଜଣ ଦଣ୍ଡୁଆ ଦଣ୍ଡକାଳୀ ବ୍ରତ ଧାରଣ କରିବାର କିମ୍ବଦନ୍ତୀ ରହିଅଛି ।

ଦଣ୍ଡନାଚରେ ପ୍ରଭା, ନାଗ, ଫାସ, ଦଣ୍ଡ, ଗୌରୀବେତ, ମୟୂରଚନ୍ଦ୍ରିକା, ଚମ୍ପାବର, ଗୁଆ, କଷାୟବସ୍ତ୍ର, ପତାକା ଏବଂ ବେତ ଏକାନ୍ତ ଆବଶ୍ୟକ । ଗୌରୀବେତରେ ସ୍ୱୟଂ ଶିବ ବିରାଜମାନ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ । ଏହି ପର୍ବ ପ୍ରାଚୀନ ଇତିହାସରୁ ଓଡ଼ିଶାରେ ଚଳି ଆସୁଛି ଏବଂ ଓଡ଼ିଶା ବାସୀଙ୍କର ନୂଆ ବର୍ଷ ଦିନ ଅର୍ଥାତ୍ ମହାବିଷୁବ ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଦିନ ଏହା ଉଦଯାପିତ ହୁଏ । ଦଣ୍ଡନାଚରେ ଉଭୟ ଭଗବାନ ଶିବ ଓ ମା କାଳୀଙ୍କୁ ଉପାସନା କରାଯାଏ । ଏହା ବୈଶାଖ ମାସରେ ଆରମ୍ଭ ହୋଇ ୧୩ ଦିନ ପର୍ଯ୍ୟନ୍ତ ପାଳନ ହୁଏ । ୧୩ ଦିନ ଶେଷର ଦିନକୁ ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି କୁହାଯାଏ । ଏହି ପର୍ବରେ ମିଶିଥିବା ଭକ୍ତଙ୍କୁ ଦଣ୍ଡୁଆ ବା ଭୋକ୍ତା କୁହାଯାଏ । ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିବାରୁ ଏହାକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଟରେ ମିଶିବାଦ୍ୱାରା ମା’କାଳୀଙ୍କ କୃପାରୁ ପାପ ଓ ଦୁଖ ଦୂର ହୋଇ ମାନବ ଶାନ୍ତି ଓ ଧନ ପ୍ରାପ୍ତ ହୁଏ ବୋଲି ବିଶ୍ୱାସକରି ଓଡ଼ିଶାବାସୀ ଏହି ପର୍ବକୁ ପାଳନ କରନ୍ତି । ଦଣ୍ଡନାଚରେ ୧୩ଜଣ ମୁଖ୍ୟଭୋକ୍ତା ଥାଆନ୍ତି । ଏହି ୧୩ଜଣ ତେର ବର୍ଷ ପାଇଁ ଅଂଶଗ୍ରହଣ କରିବାକୁ ବାଧ୍ୟ । ସେମାନଙ୍କ ମଧ୍ୟରେ ଜଣେ ପାଟଭୋକ୍ତା ଥାଆନ୍ତି । ଭୋକ୍ତାମାନଙ୍କ ପାଇଁ କଠିନ ଆଚରଣ, ନିଷ୍ଠା ଏବଂ ତ୍ୟାଗର ବିଧିବିଧାନ ରହିଛି । ଭୋକ୍ତାମାନେ ଯେଉଁ ୧୬ପ୍ରକାର ଦଣ୍ଡ ପରମ୍ପରା ଅନୁସାରେ ଗ୍ରହଣ କରନ୍ତି ସେଗୁଡ଼ିକ ହେଲା: ଆହାର, ଉଜାଗର (ନିଦ୍ରା), ମୈଥୁନ ତ୍ୟାଗ, ଗୃହତ୍ୟାଗ, ପଦଗମନ, ଶ୍ମଶାନ, ନୃତ୍ୟ, ଧୂଳି, ପାଣି, ଅଗ୍ନି, ଗୃହଦଣ୍ଡ, ଅଙ୍ଗବଳୀ, ମେରୁପଟା (କଣ୍ଟା ଫୋଡ଼ିବା), ଶୁଦ୍ଧିକ୍ରିୟା, କୁଳଭୋଜି, ଅଗ୍ନି ପରିକ୍ଷା (ଅଗ୍ନିରେ ଚାଲିବା) ।

ଲିଆ, ପଣା ତଥା ମୁଗସିଝା ଏମାନଙ୍କର ଖାଦ୍ୟ । ଭୋକ୍ତାମାନେ ଶିବ, ପାର୍ବତୀ, କାଳୀ, କଳସ, ବେତ, ଛତ୍ର, ବାନା, ଆଲଟ, ଚାମର, ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ଧରି ଗାଁକୁ ଗାଁ ବୁଲନ୍ତି । ମାନସିକ କରିଥିବା ବ୍ୟକ୍ତି ସେମାନଙ୍କୁ ନିମନ୍ତ୍ରଣ କରନ୍ତି । ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ଯଜମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରି ପାଣିଦଣ୍ଡ, ଧୂଳି ଦଣ୍ଡ, ବଜ୍ର ଦଣ୍ଡ, ଅଗ୍ନି ଦଣ୍ଡ, ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି । ପ୍ରଚଣ୍ଡ ଖରାରେ ତତଲା ବାଲି ଉପରେ ଗଡ଼ି, ପିରାମିଡ଼ କରି ଭୋକ୍ତାମାନେ ପାଣିଦଣ୍ଡ ନୃତ୍ୟ ପରିବେଷଣ କରନ୍ତି । ଶିବ ପାର୍ବତୀ, ଯୋଗିଯୋଗିଆଣୀ, କେଳା କେଳୁଣୀ, ଶବର ଶବରୁଣୀ, ହାଡ଼ି ହାଡ଼ିଆଣୀ, ଚଢ଼େୟା ଚଢ଼େୟାଣୀ, ବୀଣାକାର ଇତ୍ୟାଦି ସୁଆଙ୍ଗ ଦର୍ଶକମାନଙ୍କୁ ଆକୃଷ୍ଟ କରେ । ସୁଆଙ୍ଗବେଳେ ଚରିତ୍ରକୁ ଚାହିଁ ବେଶ ପୋଷାକ ପିନ୍ଧିଥାନ୍ତି ।

ପୌରାଣିକ, କୃଷିଭିତ୍ତିକ ଏବଂ ସାଧାରଣ ଜୀବନ ଦର୍ଶନର ପ୍ରଭାବ ଦଣ୍ଡନାଟ ସୁଆଙ୍ଗରେ ଦେଖିବାକୁ ମିଳିଥାଏ । ଏଥିରେ ଅତି ସରଳ ଗ୍ରାମୀଣ ଭାଷା ବ୍ୟବହାର କରାଯାଇଥାଏ । ବିଷୁବ ସଂକ୍ରାନ୍ତି ଦିନ ଦଣ୍ଡନାଚ ଶେଷ ହୁଏ । ଏହି ଶେଷଦିନକୁ ମେରୁ ପୂଜା କୁହାଯାଏ । ପ୍ରଜ୍ଜ୍ୱଳିତ ଅଗ୍ନି ଉପରେ ମେରୁ ଖୁଣ୍ଟରେ ଝୁଲି ପାଟଭୋକ୍ତା ଭକ୍ତମାନଙ୍କ ପାଇଁ ଶାରିରୀକ କଷ୍ଟ ଗ୍ରହଣ କରନ୍ତି । ଘଣ୍ଟ, ଝାଞ୍ଜ ଓ ଢୋଲ ଇତ୍ୟାଦି ବାଦ୍ୟଯନ୍ତ୍ର ବାଜୁଥିବା ବେଳେ ଭୋକ୍ତାମାନଙ୍କ କଳାରୁଦ୍ରମଣିକି ଭଜ ହେ ଧ୍ୱନି ଶ୍ରଦ୍ଧାଳୁଙ୍କ ମନରେ ଭୟ ମିଶ୍ରିତ ଭକ୍ତି ଭାବ ସୃଷ୍ଟି କରିଥାଏ । ଏହାର ପରଦିନ କୁଳଭୋଜି ହୁଏ, ସମସ୍ତେ ଏକାଠି ବସି ଖାଆନ୍ତି ଓ ନିଜ ନିଜର ଶୁଦ୍ଧିକ୍ରିୟା କରି ଭୋକ୍ତାମାନେ ଘରକୁ ପ୍ରତ୍ୟାବର୍ତ୍ତନ କରନ୍ତି ।

ମହାବିଷୁବ ସଂକ୍ରାନ୍ତି ଦିନ ଶ୍ରୀରାମ ଭକ୍ତ ଶ୍ରୀହନୁମାନଙ୍କ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ । ଶାସ୍ତ୍ର ପୁରାଣରେ ବ୍ରହ୍ମା, ବିଷ୍ଣୁ ଓ ଇନ୍ଦ୍ରାଦି ଦେବତାମାନଙ୍କ ଦ୍ୱାରା ବରପ୍ରାପ୍ତ ହୋଇ ସାକ୍ଷାତ ଶିବ ଏକାଦଶ ରୁଦ୍ର ଅବତାର ଭାବେ ଜନ୍ମଗ୍ରହଣ କରିଥିଲେ । ମହାଦେବ ଶିବ ଏକାଦଶ ରୁଦ୍ର ଅବତାର ହନୁମାନଙ୍କ ସ୍ୱରୂପରେ ଜନ୍ମ ଗ୍ରହଣ କରିଛନ୍ତି । ବାନର ରାଜା କେଶରୀ ଓ ମାତା ଅଞ୍ଜନାଙ୍କ ଗର୍ଭରୁ ଶ୍ରୀହନୁମାନ ଜନ୍ମ ଗ୍ରହଣ କରିଥିଲେ । ତେବେ ଶିବ ପୁରାଣରେ ବର୍ଣ୍ଣିତ ରହିଛି ଯେ, ବାନର ରାଜା କେଶରୀ ଓ ଅଞ୍ଜନା ମନୁଷ୍ୟ ରୂପ ଧାରଣ କରି ସୁମେରୁ ଶୃଙ୍ଗ ଉପରେ ଭ୍ରମଣ କରୁଥିଲେ । ସପ୍ତର୍ଷିମାନେ ଅଞ୍ଜନାଙ୍କ ଶ୍ରବଣେନ୍ଦ୍ରିୟ ଦେଇ ଶିବଙ୍କ ଅଂଶକୁ ଗର୍ଭାଶୟରେ ପ୍ରବିଷ୍ଟ କରାଇଥିଲେ । ସେଥିରୁ ପରମ ତେଜସ୍ୱୀ କପୀଶ୍ୱର ଉତ୍ପତ୍ତି ହୋଇଥିଲେ । ମଙ୍ଗଳବାର ଦିନ ଅଞ୍ଜନାଙ୍କ ଗର୍ଭରୁ ଭଗବାନ ଶିବ ଶଙ୍କର ମେଖଳା, କୌପିନ ଓ ଯଜେ୍ଞାପବୀତ ଧାରଣ ପୂର୍ବକ କର୍ଣ୍ଣରେ କୁଣ୍ଡଳ ଯୁକ୍ତ ହୋଇ ରକ୍ତବର୍ଣ୍ଣ ମୁଖ ବିଶିଷ୍ଟ ଲାଙ୍ଗୁଳଯୁକ୍ତ ହୋଇ ବାନର ରୂପରେ ଅବତାର ଗ୍ରହଣ କରିଥିଲେ ।

ଭକ୍ତଶ୍ରେଷ୍ଠ ଏକମାତ୍ର ରକ୍ଷକ, ଭକ୍ତରାଜ ଶ୍ରୀରାମ ଦୂତ ଶ୍ରୀହନୁମାନଙ୍କ ଉପାସନା ଓ ଆରାଧନା ଭକ୍ତିଭାବନାର ସହିତ କଲେ ଚମତ୍କାର କାର୍ଯ୍ୟ ସିଦ୍ଧି ହୋଇଥାଏ । ଶ୍ରୀରାମ ଭକ୍ତ ଶ୍ରୀହନୁମାନଙ୍କ ଦୈନିକ ଚାଳିଶା ପାଠ କରିବା ପୂର୍ବକ ହନୁମାନ ଜୟନ୍ତୀ ଦିନ ପୂଜାର୍ଚ୍ଚନା କଲେ ଅସାଧ୍ୟ ସାଧନ ହେବାର ବିଶ୍ୱାସ ରହିଛି…!!!

 ଅଧ୍ୟକ୍ଷ , ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ-୪
ଦୂରଭାଷ : ୯୪୩୭୭ ୪୦୨୮୦
Email : Laxmansahoo9040@gmail.com

Comments are closed.