Latest Odisha News

BREAKING NEWS

ଆକାଶରେ ଲଙ୍କା ଚାଷ

ମହାକାଶରେ ଫଳିବ ଲଙ୍କା । ଯଦି ସବୁ କିଛି ଯୋଜନା ମୁତାବକ ହୁଏ ତେବେ ଆସନ୍ତା ନଭେମ୍ବର ବେଳକୁ ଅନ୍ତର୍ଜାତୀୟ ସ୍ପେସ୍ ସେଂଟରରେ ଆମେରିକା ମହାକାଶଚାରୀମାନେ ଲଙ୍କା ପଳାଇବାରେ ସଫଳ ହେବେ । ଏନେଇ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଘୋଷଣା କରିଛି । ଯେଉଁ ଲଙ୍କାଗଛ ବେଶୀ ଉଚ୍ଚ ବଢୁନଥିବ ଏବଂ ମହାକାଶଯାନର ନିୟନ୍ତ୍ରିତ କକ୍ଷରେ ଅଧିକ ଅମଳକ୍ଷମ ହୋଇଥିବ, ସେହି ଜାତିଆ ଲଙ୍କା ଚାଷ କରାଯିବ ବୋଲି ନାସାର ଉଦ୍ଭିଦ ବିଜ୍ଞାନୀ ରେ-ହ୍ୱିଲର କହିଛନ୍ତି ।

ମହାକାଶ ଗବେଷଣା କେନ୍ଦ୍ରରେ ମାସ ମାସ ଧରି କାମ କରୁଥିବା ମହାକାଶଚାରୀମାନେ ସାଧାରଣତଃ ସୁଗନ୍ଧିତ ଏବଂ ମସଲାଦାର ଖାଇବା ପସନ୍ଦ କରନ୍ତି । ତେଣୁ ରାଗୁଆ ଲଙ୍କା ଏହି ଇଚ୍ଛା ପୂରଣ କରିଦେବ । ଏହାସହ ଲଙ୍କାରେ ପ୍ରଚୁର ପରିମାଣର ଭିଟାମିନ୍-ସି ଥାଏ, ଯାହା ମହାକାଶ ଖାଦ୍ୟର ଏକ ଜରୁରୀ ଉପାଦାନ ।

ବେଶ ଉଚ୍ଚ ପାହାଡିଆ ଅଂଚଳରେ ବଢୁଥିବା ଏସପାନୋଲା ଲଙ୍କା ପ୍ରଜାତିକୁ ମହାକାଶରେ ଚାଷ ପାଇଁ ବଛାଯାଇଛି । କାରଣ ଏହା ଖୁବ କମ ଦିନରେ ଫଳ ଦିଏ ।

୧୯୮୨ରେ ପ୍ରଥମେ ସୋଭିଏଟ୍ ରୁଷର ସାଲ୍ୟୁଟ-୭ ମହାକାଶଯାନ ଭିତରେ ସଫଳତାର ସହ ଗଛ ବଢାଇଥିଲେ । ୨୦୦୩ମସିହାରୁ ରୁଷୀୟ ମହାକାଶଚାରୀମାନେ ମହାକାଶ ଯାନ ଭିତରେ ଚାଷ କରୁଛନ୍ତି । ୨୦୧୫ ମସିହାରେ ଆମେରିକୀୟ ମହାକାଶଚାରୀମାନେ ପ୍ରଥମେ ମହାକାଶରେ ଉତ୍ପାଦିତ ଲେଟ୍ୟୁସ ସାଲାଡ ପତ୍ର ଖାଇଥିଲେ । ରୁଷୀୟ ମହାକାଶଚାରୀମାନେ ମହାକାଶ ଗବେଷଣା କେନ୍ଦ୍ରରେ ଅନେକ ରକମର ଚାଷ କରୁଛନ୍ତିି, ଯେମିତିକି ଲେଟ୍ୟୁସ, ମୂଳା, ଚାଇନିଜ୍ ବନ୍ଧାକୋବି । ଏସବୁ ସାଧାରଣତଃ ଫଳଜାତୀୟ ନୁହେଁ । ଏବେ ଆମେରିକୀୟ ମହକାଶଚାରୀମାନେ ଫଳ ଜାତୀୟ ଗଛ ଚାଷ କରିବାରେ ପ୍ରଥମ ହେବେ ।

ମକାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥିବାରୁ ଗଛର ଚେର ସବୁ ତଳକୁ ବଢିବା ମୁସ୍କିଲ । ଏଥିପାଇଁ ଗଛ ବଢିବାକୁ ମହାକାଶ ଯାନରେ ସ୍ୱତନ୍ତ୍ର ଆଲୋକ ବ୍ୟବସ୍ଥା ସହ ବିଭିନ୍ନ ଟେକନିକ୍ ବ୍ୟବହାର କରାଯାଏ ।

ମଙ୍ଗଳକୁ ମଣିିଷ ପଠାଇବା ପାଇଁ ନାସା ଯୋଜନା କରୁଛି । ତେଣୁ ଏହି ଲମ୍ବା ଯାତ୍ରା ସମୟରେ ଖାଇବା ପାଇଁ ଏତେ ପରିମାଣର ସବୁଜ ଖାଦ୍ୟ ପୃଥିବୀରୁ ପଠାଇବା ସହଜ ନୁହେଁ । ମଙ୍ଗଳକୁ ଯିବା ଲାଗି ରକେଟ ତିଆରି କରିହେବ କିନ୍ତୁ ଏହା ଭିତରେ ଖାଦ୍ୟ ନଥିଲେ ସବୁ ଯୋଜନା ଫେଲ ମାରିବ । ତେଣୁ ମହାକାଶରେ କିଭଳି ବିଭିନ୍ନ ପରିବା ପତ୍ର ଚାଷ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦେବା ଜରୁରୀ ହୋଇ ପଡିଛି ।

Leave A Reply

Your email address will not be published.