Mahanadi Water Dispute:ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାନଦୀ ବୈଠକ;ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବୈଠକରେ ଦେବେ ଯୋଗ
ନୂଆଦିଲ୍ଲୀ:ମହାନଦୀ ଜଳ ବିବାଦ ସମାଧାନ ନେଇ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି । ଅକ୍ଟୋବର ୧ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ହେବ । ଏନେଇ ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ୱର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ସୂଚନାଥାଉକି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ଓଡ଼ିଶା ଗସ୍ତ ସରିବାର ୧୦ ଦିନ ପରେ ପୁଣି ଥରେ ଏକାଠି ହେବେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ୱର ୨୦ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଓଡ଼ିଶା ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଆଲୋଚନା କରିଥିଲେ । ଛତିଶଗଡ଼ ସିଏମ୍ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, “ମହାନଦୀ ଜଳ ନେଇ ବିବାଦ ନାହିଁ କିମ୍ବା ସମସ୍ୟା ନାହିଁ । ଶୀଘ୍ର ଏହି ସମସ୍ୟାର ସମାଧାନ ହେବ । ଦୁଇ ରାଜ୍ୟରେ ବିଜେପି ଏବଂ କେନ୍ଦ୍ରରେ ବିଜେପି ସରକାର ଅଛି ତେଣୁ କୌଣସି ବିବାଦୀୟ ସ୍ଥିତି ନାହିଁ । ମହାନଦୀକୁ ନେଇ ଦୁଇ ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀମାନେ ଦିଲ୍ଲୀରେ ଆଲୋଚନା କରିସାରିଛୁ । ସେଠାରେ ଆମେ ଦୁଇ ମୁଖ୍ୟମନ୍ତ୍ରୀ ସିଡବ୍ଲୁସିକୁ ସହମତି ଦେଇ ଦେଇଛୁ, ଦୁଇ ରାଜ୍ୟ ପାଇଁ ଯାହା ହିତକର ହେବ ମାନିବୁ ।
ଏଜି ପୀତାମ୍ୱର କହିଛନ୍ତି, ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ସେଣ୍ଟ୍ରାଲ୍ ୱାଟର୍ କମିଶନର ସଚିବ ମହାନଦୀ ଟ୍ରିବ୍ୟୁନାଲକୁ ବିଗତ ଦୁଇଟି ବୈଠକର ବିବରଣୀ ପ୍ରଦାନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ମିଟିଂ ହେବ । ମହାନଦୀ ଜଳ ବିବାଦକୁ ନେଇ ଆପୋସ ବୁଝାମଣାରେ ସମାଧାନର ବାଟ ବାହାରୁଛି ।
ସେ ଆହୁରି କହିଛନ୍ତି, “ଆମେ ମୂଳରୁ କହିଆସୁଥିଲୁ, ତାହା ସଂପୂର୍ଣ୍ଣ ହେବକୁ ଯାଉଛି । ଖୁବଶୀଘ୍ର ଆପଣମାନେ ସୁସମ୍ବାଦ ପାଇବେ ।”

