ପୁରୀ:ଆଜି ଜଗତର ନାଥ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ସରିଲା ପହଣ୍ଡି ବିଜେ। ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି ।ଭାବ ଓ ଭକ୍ତିରେ ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନ । ଘଣ୍ଟ, ଘଣ୍ଟା, ମୃଦଙ୍ଗ ତାଳରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଛି। ସେବାୟତମାନଙ୍କ କାନ୍ଧରେ ପ୍ରଭୁ ସୁଦର୍ଶନ ମା ସୁଭଦ୍ରାଙ୍କ ରଥ ଦର୍ପଦଳନ ଉପରେ ବିଜେ କରିଛନ୍ତି। ସୁଦର୍ଶନଙ୍କ ପରେ ବଡ଼ ଠାକୁର ବଳଭଦ୍ର ଧାଡ଼ି ପହଣ୍ଡିରେ ଆସି ତାଳଧ୍ଵଜ ରଥରେ ବିରାଜମାନ କରିଛନ୍ତି। ତାଙ୍କ ପରେ ହଳଦୀମୁହିଁ ଦେବୀ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ରଥାରୂଢ ହୋଇଛନ୍ତି। ଶେଷରେ କାଳିଆ ସାଆନ୍ତେ ଗହଳି ଲଗାଇ ଝୁଲିଝୁଲି ରଥାରୂଢ ହୋଇଛନ୍ତି।

ପବିତ୍ର ରଥଯାତ୍ରାର ସବୁଠାରୁ ପ୍ରତୀକ୍ଷିତ ଓ ଭାବପୂର୍ଣ୍ଣ ମୁହୂର୍ତ୍ତ ହେଉଛି ବିଶ୍ୱବ୍ରହ୍ମାଣ୍ଡର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଓ ରଥାରୂଢ଼ ହେବା । କିନ୍ତୁ ସେହି ମନୁଆଁ ଠାକୁର ଜଗନ୍ନାଥ ମହାପ୍ରଭୁ ବିନା ଟାହିଆରେ ସିଂହଦ୍ଵାରରୁ ବାହାରି ରଥାରୂଢ ହୋଇଛନ୍ତି। ମହାପ୍ରଭୁଙ୍କ ଏହି ଦିବ୍ୟ ଲୀଳାର ସାନିଧ୍ୟ ଗ୍ରହଣ କରୁଛନ୍ତି କୋଟି କୋଟି ଭକ୍ତ ।
ସୂଚନାଥାଉକି, ପହଣ୍ଡି ବିଜେ ସମୟରେ ସାତପାହାଚ ଠାରେ ଟାହିଆ ଖସିପଡିବାରୁ ବିଳମ୍ବ ହୋଇଥିଲା ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି । ପରିଶେଷରେ ବିନା ଟାହିଆରେ ନନ୍ଦିଘୋଷରେ ବିରଜମାନ ହେଲେ ଜଗତର ନାଥ । ଏହାପରେ ଗଜପତି ମହାରାଜ ଆସି ତିନି ରଥରେ ଛେରାପହଁରା କରିବେ । ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ ।
ଏପଟେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି । ସାରା ଶ୍ରୀକ୍ଷେତ୍ର ସିସିଟିଭି ନଜରରେ ରହିଛି ।
ସେହିପରି ବର୍ଷାକୁ ଖାତିର ନକରି ମହାପ୍ରଭୁଙ୍କ ବଡ଼ଜାତ ଦେଖିବାକୁ ଧାଇଁ ଆସିଛନ୍ତି ଭକ୍ତ। ବର୍ଷା ଯୋଗୁଁ ବଡ଼ ଦାଣ୍ଡକୁ ଘୋଡ଼େଇଛି ଭକ୍ତଙ୍କ ମାଳମାଳ ଛତା, ଯାହାର ଦୃଶ୍ୟ ବେଶ ମନୋରମ ରହିଛି ।