Latest Odisha News

BREAKING NEWS

ଶରଦ ପାଓ୍ୱାରଙ୍କ ଘର ଉପରକୁ ଆକ୍ରମଣ, ୧୦୫ ଜଣ ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ (ଏମ୍ଏସ୍ଆରଟିସି)ର ଶତାଧିକ କର୍ମଚାରୀ ଧର୍ମଘଟରେ ବସିଛନ୍ତି । ଏହି ସମୟରେ ଆଜି ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପାଓ୍ୱାରଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କ ବିରୋଧରେ ନାରାବାଜି କରିଥିଲେ। ପରେ ପାଓ୍ୱାରଙ୍କ ଘର ଉପରକୁ ଆନ୍ଦୋଳନକାରୀ ପଥର ଫିଙ୍ଗିବା ସହିତ ଚପଲ ମାଡ କରିଥିବା ସୂଚନା ରହିଛି।

ଏହାପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇ ପୁଲିସ କମିସନର ସଞ୍ଜୟ ପାଣ୍ଡେଙ୍କ ସହ କଥା ହୋଇ ପାଓ୍ୱାରଙ୍କ ସୁରକ୍ଷା ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିସହ ଏହି ମାମଲାରେ ପୁଲିସ ୧୦୫ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବା ସହ ସମସ୍ତଙ୍କୁ ଗିରଫ କରିଛି ।

ଏମ୍ଏସ୍ଆରଟିସିର ହଜାର ହଜାର କର୍ମଚାରୀ ରାଜ୍ୟ ସରକାରଙ୍କ ସହିତ ନିଗମର ମିଶ୍ରଣ ଦାବିରେ ଗତ 2021 ନଭେମ୍ବରରୁ ଆନ୍ଦୋଳନରେ ବସିଛନ୍ତି, ଅନୀଲ ପରବ ମେଣ୍ଟ ସରକାରରେ ପରିବହନ ମନ୍ତ୍ରୀ ରହିଛନ୍ତି । ଯିଏକି ଏନସିପିର ନେତା ।

ପାଓ୍ବାରଙ୍କ ଝିଅ ତଥା ଲୋକସଭା ସାଂସଦ ସୁପ୍ରିୟା ସୁଲେ ଘର ବାହାରେ ବିକ୍ଷୋଭକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଏବଂ କହିଥିଲେ ଯେ ସେ ସେମାନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ଘର ଭିତରେ ତାଙ୍କ ବାପା ତଥା ଶରଦ ପାଓ୍ୱାର ଉପସ୍ଥିତ ଥିବାରୁ ବିକ୍ଷୋଭକାରୀଙ୍କୁ ଢେଲା ପଥର ମାଡ ନକରିବାକୁ ଅନୁରୋଧ କରିଥିଲେ। ଏଥିପାଇଁ ସହଯୋଗ କରିବାକୁ ସୁଲେ ନିବେଦନ କରିଥିଲେ।

ଏନସିପି ନେତା ତଥା ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲ୍ଲୀପ ବାଲସେ ପାଟିଲ କହିଛନ୍ତି ଯେ କର୍ମଚାରୀମାନେ ଆଇନକୁ ହାତକୁ ନେବା ଉଚିତ୍ ନୁହେଁ, ସେ କହିଛନ୍ତି, ବିରୋଧ ପ୍ରଦର୍ଶନ ଯେଉଁ ମୋଡ଼ ନେଇଛି ତାହା ଠିକ୍ ନୁହେଁ ।  ଶରଦ ପାଓ୍ୱାରଙ୍କ ବାସଭବନ ବାହାରେ ବିକ୍ଷୋଭ ଅନାବଶ୍ୟକ ଥିଲା ବୋଲେ ସେ କହିଛନ୍ତି । କାହା ନାଁ ନନେଇ ସେ କହିଛନ୍ତି, ଏହି ବିକ୍ଷୋଭକାରୀଙ୍କୁ କିଏ ଉସୁକାଉଛି ତାହା ସେ ଭଲ ଭାବେ ଜାଣିଛନ୍ତି । ସରକାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ।

Leave A Reply

Your email address will not be published.