Latest Odisha News

BREAKING NEWS

ଜାଗର ଉପଲକ୍ଷେ ଆରଡ଼ି ଆଖଣ୍ଡଳମଣିପୀଠ ଚଳଚଞ୍ଚଳ; ରାତି ୪ଟାରେ ଉଠିବ ମହାଦୀପ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିଠାରେ ଥିବା ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାତି ପାହିଲେ ଆରଡ଼ି ପୀଠରେ ଶିବରାତ୍ରୀ ଉତ୍ସବ, ତେଣୁ ଓଡ଼ିଶାର ଏହି ପ୍ରସିଦ୍ଧ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି ।

ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିର ପ୍ରଶାସନ ପକ୍ଷରୁ ଜଣାପଡ଼ିଛି ଯେ, ରାତି ୪ଟାରେ ମହାଦେବଙ୍କ ମହାଦୀପ ଉଠିବ ।

ଜନଶ୍ରୁତି ରହିଛି ଯେ, ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ଏହି ଶିବଲିଙ୍ଗ ପାତାଳି, ଅର୍ଥାତ୍ ପାତାଳରୁ ସ୍ୱୟଂ ଆବିର୍ଭାବ ହୋଇଛନ୍ତି । ବାବାମଣିଙ୍କ ସ୍ୱପ୍ନାଦେଶରେ ହିଁ ଏଠାରେ ସମସ୍ତ ରୀତିନୀତି ଶିବରାତ୍ରୀ ଉତ୍ସବ ପାଳିତ ହୋଇଥାଏ । ଅଧ ରାତିରେ ବାବାଙ୍କ ସୁନାବେଶ ଦେଖିଲେ ଦାମ୍ପତ୍ୟ ଜୀବନ ମଧୁମୟ ହୋଇ ଉଠିଥାଏ ବୋଲି କଥିତ ରହିଛି । ଆରଡ଼ି ପୀଠରେ ପ୍ରତିବର୍ଷ ପରି ଭୋର୍ ସମୟରେ ମହାଦୀପ ଦର୍ଶନ କରି ବ୍ରତଧାରୀମାନେ ସେମାନଙ୍କ ବ୍ରତ ଭଙ୍ଗ କରିବେ । ଚଳିତ ବର୍ଷ ରାତି ୪ଟାରେ ମହାଦୀପ ଉଠିବାର ସମୟ ଧାର୍ଯ୍ୟ ହୋଇଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।

ଆରଡ଼ି ପୀଠର ପ୍ରସିଦ୍ଧ ଘର୍ଷଣ ଭୋଗ:

ବାବାମଣିଙ୍କ ନିକଟରେ ପ୍ରତିଦିନ ଘର୍ଷଣ ଭୋଗ ଅର୍ପଣ କରାଯାଇଥାଏ । ଏଠାରେ ରାଜକନିକାର ରାଜାଙ୍କ ଦ୍ୱାରା ଶିବରାତ୍ରୀ ଦିନ ସ୍ୱତନ୍ତ୍ର ଭାବେ ଘର୍ଷଣ ଭୋଗ ମହାଦେବଙ୍କୁ ଅର୍ପଣ କରାଯାଇଥାଏ । ଏହି ଘର୍ଷଣ ଭୋଗ ଅତ୍ୟନ୍ତ ସୁସ୍ୱାଦୁ ଏବଂ ଏଥିରେ ବିଭିନ୍ନ ପ୍ରକାର ଫଳମୂଳ ସହିତ ବିଭିନ୍ନ ପଦାର୍ଥ ମିଶ୍ରଣ ହୋଇଥାଏ । ଏହି ଘର୍ଷଣରେ କ୍ଷୀର, ଗୁଡ଼, ମହୁ, କଦଳୀ, ଦହି, ଛେନା, ଲହୁଣୀ ଏବଂ ବିଭିନ୍ନ ପ୍ରକାର ଫଳମୂଳ ମିଶ୍ରଣ କରାଯାଇଥାଏ ।

ଭଦ୍ରକ ସହର ପଟରୁ ସ୍ଥଳପଥରେ ଏବଂ ଚାନ୍ଦବାଲି ପଟରୁ ନଦୀପଥରେ ଶ୍ରଦ୍ଧାଳୁମାନେ ହଜାର ହଜାର ସଂଖ୍ୟାରେ ଶିବରାତ୍ରୀ ଦିନ ଏହି ପୀଠରେ ସମାଗମ ହୋଇଥାଆନ୍ତି । ତେବେ ପ୍ରଶାସନ ପକ୍ଷରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିବରାତ୍ରୀ ସନ୍ଧ୍ୟା ବେଳଠାରୁ ନଦୀଘାଟ ବନ୍ଦ ରଖାଯିବ ବୋଲି ଜଣାପଡ଼ିଛି ।

ଇତିମଧ୍ୟରେ ସେବାୟତ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିବରାତ୍ରୀ ଦିନ ଓଡ଼ିଶାର ଏହି ପ୍ରସିଦ୍ଧ ପୀଠକୁ ଲକ୍ଷାଧିକ ଭକ୍ତମାନେ ଆସୁଥିବାରୁ ଜିଲ୍ଲା ପ୍ରଶାସନ ସହିତ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଦିନବେଳା ଭକ୍ତମାନେ ଯେପରି ଶାନ୍ତି ଓ ଶୃଙ୍ଖଳାର ସହିିତ ଠାକୁରଙ୍କ ଦର୍ଶନ କରିପାରିବେ ସେଥିପ୍ରତି ପ୍ରଶାସନ ଯତ୍ନବାନ ରହିଛନ୍ତି ।

ଏହି ପବିତ୍ର ଦିନରେ ଭୋଳାଶଙ୍କର ମହାଦେବ ଶିବ ଏଠାରେ ଦିଗମ୍ବର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।

ଆରଡ଼ି ପୀଠକୁ ଶିବରାତ୍ରୀ ବ୍ୟତୀତ ଦୈନିକ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ଏହି ପୁରାତନ ଶୈବପୀଠର ସୌନ୍ଦର୍ଯ୍ୟକରଣ ଏବଂ ବିକାଶ ନିମନ୍ତେ ସେବାୟତ ଗୋଷ୍ଠୀ ତଥା ସ୍ଥାନୀୟ ବୁଦ୍ଧୀଜୀବୀମାନେ ଦାବି କରିଛନ୍ତି ।

ସେବାୟତମାନଙ୍କ କହିବା କଥା ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବଙ୍କ ଉଦ୍ୟମ ଯୋଗୁଁ ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର ଏବଂ ତାରିଣୀପୀଠର ଅନେକ ଉନ୍ନତି ସମ୍ଭବ ହୋଇପାରିଛି ।

ତେଣୁ ଉଚ୍ଚସ୍ତରରେ ଏହି ପ୍ରସିଦ୍ଧ ମନ୍ଦିର ପ୍ରତି ସରକାର ଦୃଷ୍ଟି ଦେଲେ ନିଶ୍ଚିତ ରୂପେ ମନ୍ଦିରର ବିକାଶ ହୋଇପାରନ୍ତା ଏବଂ ବାହାର ରାଜ୍ୟର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରନ୍ତା ।

Leave A Reply

Your email address will not be published.