ନିକୋସିଆ: ଉତ୍ତର ସାଇପ୍ରସ ଉପକୂଳରେ ରବିବାର ଏକ ବଡ଼ ଧରଣର ନୌ-ଦୁର୍ଘଟଣା ଘଟିଛି। କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶ ଅନ୍ତର୍ଗତ ତାସୁକୁ ବନ୍ଦର ଅଭିମୁଖେ ଯାଉଥିବା ଏକ କାଟାମାରାନ-ଶୈଳୀର ଯାତ୍ରୀବାହୀ ଜାହାଜ ବା ଫେରି ମଝି ସମୁଦ୍ରରେ ଓଲଟି ପଡ଼ିଛି । ଏହି ଭୟାବହ ଦୁର୍ଘଟଣାରେ ଅତିକମରେ ୭ ଜଣ ଯାତ୍ରୀଙ୍କର ସଲିଳ ସମାଧି ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୩ ଜଣ ନିଖୋଜ ଥିବା ସୂଚନା ମିଳିଛି । ଉତ୍ତର ସାଇପ୍ରସର ପ୍ରଧାନମନ୍ତ୍ରୀ ଉନାଲ ଉଷ୍ଟେଲ ଏହି ବିୟୋଗାନ୍ତକ ଘଟଣାର ସ୍ପଷ୍ଟୀକରଣ ଦେଇଛନ୍ତି ।
ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଜାହାଜରେ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୨୬୭ ଜଣ ଯାତ୍ରୀ ସବାର ଥିଲେ । ରବିବାର ମଧ୍ୟାହ୍ନ ପ୍ରାୟ ୧୨.୩୦ ମିନିଟରେ ଜାହାଜଟି ବନ୍ଦର ଛାଡ଼ିବାର କିଛି କିଲୋମିଟର ଦୂର ଯିବା ପରେ ହଠାତ୍ ଏହା ଭିତରକୁ ପାଣି ପଶିବା ଆରମ୍ଭ ହୋଇଥିଲା । ସ୍ଥିତି ବିଗିଡ଼ିବାରୁ କ୍ୟାପଟେନ ତୁରନ୍ତ ତଟରକ୍ଷୀ ବାହିନୀକୁ ଜରୁରୀକାଳୀନ ସୂଚନା ଦେଇଥିଲେ । କିନ୍ତୁ ଦେଖୁ ଦେଖୁ ଜାହାଜଟି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା । ଖବର ପାଇବା କ୍ଷଣି ଉତ୍ତର ସାଇପ୍ରସ ତଟରକ୍ଷୀ ବାହିନୀ, ତୁର୍କୀ ନୌସେନା, ଉଦ୍ଧାରକାରୀ ହେଲିକପ୍ଟର ଏବଂ କିଛି ସ୍ଥାନୀୟ ଡଙ୍ଗା ସାହାଯ୍ୟରେ ଘଟଣାସ୍ଥଳରେ ବ୍ୟାପକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଉଷ୍ଟେଲଙ୍କ ସଦ୍ୟତମ ସୂଚନା ଅନୁଯାୟୀ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଏହି ଅପରେସନରେ ବର୍ତ୍ତମାନ ସୁଦ୍ଧା ୨୩୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଉଦ୍ଧାର ହୋଇଥିବା ଯାତ୍ରୀମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ କାଇରେନିଆ ବନ୍ଦରରେ ଆମ୍ବୁଲାନ୍ସ ମୁତୟନ କରାଯିବା ସହ ସମସ୍ତ ସ୍ଥାନୀୟ ଡାକ୍ତରଖାନାକୁ ହାଇ ଆଲର୍ଟରେ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସୋସିଆଲ ମିଡିଆରେ ପ୍ରସାରିତ ଦୃଶ୍ୟରେ ପାଣିରେ ଓଲଟି ପଡ଼ିଥିବା ଜାହାଜର କମଳା ରଙ୍ଗର ତଳ ଭାଗ ଉପରେ ଏବଂ ସମୁଦ୍ରରେ ଲାଇଫ୍ ଜ୍ୟାକେଟ୍ ପିନ୍ଧି ବହୁ ଲୋକ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ପାଗ ଅନୁକୂଳ ଥିବାରୁ ଉଦ୍ଧାର କାର୍ଯ୍ୟ କିଛି ମାତ୍ରାରେ ସହଜ ହୋଇପାରିଛି ।
ପରିବହନ ମନ୍ତ୍ରୀ ଏରହାନ ଅରିକଲି କହିଛନ୍ତି ଯେ, ହଠାତ୍ ଜାହାଜରେ କିପରି ଏବଂ କେଉଁ କାରଣରୁ ପାଣି ପଶିଲା ତାହା ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରାଥମିକ ରିପୋର୍ଟ ଅନୁସାରେ ୮୯ ଜଣ ନିଖୋଜ ଥିବା କୁହାଯାଉଥିଲେ ମଧ୍ୟ ପରେ ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛି ଯେ ୨୩ ଜଣ ନିଖୋଜ ଅଛନ୍ତି। ଅନ୍ୟପକ୍ଷରେ, ଉଦ୍ଧାରକାରୀ ଦଳ ନିଖୋଜ ଥିବା ଅବଶିଷ୍ଟ ଯାତ୍ରୀଙ୍କୁ ଖୋଜିବା ପାଇଁ ରାତି ଦିନ ଏକ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

