ଭୁବନେଶ୍ୱର: ମାରାତ୍ମକ କର୍କଟ ବା କ୍ୟାନସର ରୋଗର ଚିକିତ୍ସା ପ୍ରକ୍ରିୟା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ। ତେବେ ଏହି କଠିନ ସମୟରେ ରୋଗୀଙ୍କୁ କେବଳ ଔଷଧ ନୁହେଁ, ବରଂ ସଠିକ୍ ଏବଂ ପୁଷ୍ଟିକର ଖାଦ୍ୟ ମଧ୍ୟ ବଞ୍ଚିବାର ନୂଆ ଆଶା ଯୋଗାଇଥାଏ। ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କ୍ୟାନସର ଚିକିତ୍ସା ଓ ଆରୋଗ୍ୟ ହାର ବୃଦ୍ଧି କରିବାରେ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ (ନ୍ୟୁଟ୍ରିସନ୍) ପ୍ରମୁଖ ଭୂମିକା ଗ୍ରହଣ କରୁଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର ଆକଳନ ଅନୁସାରେ, ସମଗ୍ର ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୨ କୋଟି ନୂଆ କ୍ୟାନସର ରୋଗୀ ଚିହ୍ନଟ ହେଉଥିବା ବେଳେ ପ୍ରାୟ ୧ କୋଟି ଲୋକ ଏହି ରୋଗରେ ପ୍ରାଣ ହରାଉଛନ୍ତି । ପୂର୍ବରୁ ଚିକିତ୍ସା ବିଜ୍ଞାନ କେବଳ ଟ୍ୟୁମର ନଷ୍ଟ କରିବା ଉପରେ ଗୁରୁତ୍ୱ ଦେଉଥିଲା ଏବଂ ରୋଗୀର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉନଥିଲା । କିନ୍ତୁ ବର୍ତ୍ତମାନ ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ, ସଠିକ୍ ଖାଦ୍ୟ ରୋଗୀର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଚିକିତ୍ସା ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରିଥାଏ ।
କ୍ୟାନସର ଚିହ୍ନଟ ହେବା ମାତ୍ରେ ରୋଗୀମାନେ ଅନେକ ସମୟରେ ମାନସିକ ଚାପ ଯୋଗୁଁ ଖାଇବା ପିଇବା କମାଇ ଦିଅନ୍ତି, ଯାହାଦ୍ୱାରା ଶରୀର ଦୁର୍ବଳ ହୋଇଯାଏ । ତେଣୁ ଚିକିତ୍ସା ଆରମ୍ଭ ପୂର୍ବରୁ ରୋଗୀଙ୍କୁ ପନିପରିବା, ଡାଲି ଜାତୀୟ ଖାଦ୍ୟ, ଅଣ୍ଡା ଏବଂ ମାଛ ଭଳି ପ୍ରୋଟିନ୍ ଯୁକ୍ତ ସୁଷମ ଆହାର ଦେବା ଉଚିତ୍। କେମୋଥେରାପି, ରେଡିଏସନ୍ ବା ଅସ୍ତ୍ରୋପଚାର ଭଳି କଠିନ ଚିକିତ୍ସା ସମୟରେ ରୋଗୀଙ୍କ ପାଟିକୁ ସ୍ୱାଦ ବାରିହୁଏ ନାହିଁ, ବାନ୍ତି ଲାଗେ ଏବଂ ଭୋକ କମିଯାଏ। ଏଭଳି ପରିସ୍ଥିତିରେ ବିଶେଷଜ୍ଞମାନେ ରୋଗୀଙ୍କୁ ଏକାବେଳକେ ଅଧିକ ଖାଦ୍ୟ ନଦେଇ, ଅଳ୍ପ ଅଳ୍ପ କରି ବାରମ୍ବାର ଖାଇବାକୁ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ଓ ପ୍ରୋଟିନ୍ ନେବା ନିହାତି ଆବଶ୍ୟକ ।
ଚିକିତ୍ସା ଶେଷ ହେବା ପରେ ମଧ୍ୟ ରୋଗୀଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ରହିଥାଏ । ଏହି ଆରୋଗ୍ୟ ପର୍ଯ୍ୟାୟରେ ରୋଗୀଙ୍କୁ ଅଧିକ ଫାଇବର ଓ ହେଲଦି ଫ୍ୟାଟ୍ ଥିବା ଉଦ୍ଭିଦଜାତ ଖାଦ୍ୟ ଖାଇବାକୁ ଦିଆଯିବା ଦରକାର । ବିଶେଷକରି ଅତ୍ୟଧିକ ପ୍ରୋସେସଡ୍ ଖାଦ୍ୟ ଏବଂ ମିଠା ଜାତୀୟ ଦ୍ରବ୍ୟଠାରୁ ଦୂରେଇ ରହିବା ଉଚିତ୍ । ପ୍ରତ୍ୟେକ ରୋଗୀଙ୍କ ଶରୀରର ଆବଶ୍ୟକତା ଭିନ୍ନ ଥିବାରୁ, ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଭିଜ୍ଞ ଅଙ୍କୋଲୋଜି ଡାଏଟିସିଆନଙ୍କ ପରାମର୍ଶ ନେଇ ଏକ ନିର୍ଦ୍ଦିଷ୍ଟ ଡାଏଟ୍ ପ୍ଲାନ୍ ପ୍ରସ୍ତୁତ କରିବା ସବୁଠାରୁ ବୁଦ୍ଧିମାନର କାମ ବୋଲି ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି।

