ଗୁଟଖା ବ୍ୟବସାୟ ବନ୍ଦ ହେବ;ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟର ମୌଳିକ କର୍ତ୍ତବ୍ୟ
କଟକ:ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ ।ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଗୁଟଖା ବ୍ୟବସାୟ ନିଷେଧ ନେଇ ରାଜ୍ୟ ସରକାର ଗତ ଜାନୁଆରୀ ୨୧ ତାରିଖରେ ଜାରି କରିଥିବା ବିଜ୍ଞପ୍ତିକୁ କାଏମ ରଖିଛନ୍ତି ହାଇକୋର୍ଟ। ସରକାରୀ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ମାମଲାଗୁଡ଼ିକୁ କୋର୍ଟ ଖାରଜ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଆଇନ ସମ୍ମତ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟର ମୌଳିକ କର୍ତ୍ତବ୍ୟ ବୋଲି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।
ବ୍ୟବସାୟିକ ସ୍ୱାର୍ଥ ଅପେକ୍ଷା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଜୀବନର ଅଧିକାର ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ଗତ ଜାନୁଆରୀରେ ପ୍ରକାଶିତ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଗୋପାଳ ଆରୋମେଟିକ ସମେତ ୪ଟି ସଂସ୍ଥା ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା ।ଜାନୁଆରୀ ୨୧ରେ ପ୍ରକାଶିତ ସରକାରୀ ବିଜ୍ଞପ୍ତି ମୁତାବକ ଜାରି ଟବାକୋ’କୁ ଖାଦ୍ୟ ପରିସରଭୁକ୍ତ କରାଯାଇଛି । କିନ୍ତୁ ଚିୱିଙ୍ଗ୍ ଟବାକୋ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ ପରିସର ଭିତରେ ଆସୁନାହିଁ । ଏହା କୋଟପା ଭିତରେ ଆସୁଛି ଓ ଏହା କେନ୍ଦ୍ରୀୟ ଆଇନ ଦ୍ବାରା ପରିଚାଳିତ । ରାଜ୍ୟ ସରକାର ଏହି ଚିୱିଙ୍ଗ୍ ଟବାକୋକୁ ଫୁଡ୍ ସେଫ୍ଟି ଏବଂ ଷ୍ଟାଣ୍ଡାର୍ଡ ଆଇନ ଆଧାରରେ ଖାଦ୍ୟ ବୋଲି ଦର୍ଶାଇଛନ୍ତି । ତେଣୁ ଏହି ଚିୱିଙ୍ଗ୍ ଟବାକୋ ଖାଦ୍ୟ ଉତ୍ପାଦ ମଧ୍ଯରେ ଆସୁ ନ ଥିବାରୁ ଏହି ବିଜ୍ଞପ୍ତିକୁ ରଦ୍ଦ ପାଇଁ ଆବେଦନକାରୀ ମାମଲାରେ ଦର୍ଶାଇଥିଲେ ।
ମାମଲାର ପ୍ରାରମ୍ଭିକ ଶୁଣାଣି କରି ସରକାରୀ ବିଜ୍ଞପ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । କିନ୍ତୁ ଚୂଡାନ୍ତ ରାୟ ପ୍ରକାଶ ପାଇବା ପରେ ଜଣାପଡିଛି କି, ସମସ୍ତ ଆବେଦନ ଖାରଜ ହୋଇଛି ।
ଚଳିତବର୍ଷ ଜାନୁଆରୀ ୨୧ର ପ୍ରକାଶିତ ବିଜ୍ଞପ୍ତି ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରିୟ ନିଷେଧ ଓ ପ୍ରତିବନ୍ଧକ) ନିୟମାବଳୀ, ୨୦୧୧ ଓ ଏଫଏସଏସଏ କାର୍ଯ୍ୟକାରିତା ପାଇଁ ଲାଗୁ ହେବ। ଏପରି ବିଜ୍ଞପ୍ତି ପରେ ଜିଏସଟି କର୍ତ୍ତୃପକ୍ଷଙ୍କ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ ଗୁଡ଼ିକ ଆଇନ ଅନୁଯାୟୀ ସ୍ୱତନ୍ତ୍ର ଭାବେ ବିଚାର କରାଯିବ।

