Latest Odisha News

BREAKING NEWS

ନିଟ୍ ପେପର ଲିକ୍: ଏନଟିଏରେ ଆସିବ ବ୍ୟାପକ ସଂସ୍କାର; ଶିକ୍ଷାମନ୍ତ୍ରୀ ଦେବେ କି ଇସ୍ତଫା?

ନୂଆଦିଲ୍ଲୀ: ଜାତୀୟସ୍ତରରେ ଚହଳ ପକାଇଥିବା ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ଏକ ବଡ଼ ଘଟଣାକ୍ରମ ଦେଖିବାକୁ ମିଳିଛି। ଦିଲ୍ଲୀର ଜନ୍ତରମନ୍ତରଠାରେ ଛାତ୍ର ସଙ୍ଗଠନ ‘ସିଜେପି’ ଏବଂ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନ ଶେଷରେ ସରକାରଙ୍କୁ ବାଧ୍ୟ କରିଛି ଆଲୋଚନା ଟେବୁଲକୁ ଆସିବାକୁ। ଦୁଇଟି ପ୍ରମୁଖ ଦାବି ପୂରଣ ହେବା ପରେ ୱାଙ୍ଗଚୁକ୍ ନିଜର ଆମରଣ ଅନଶନ ଭାଙ୍ଗିଛନ୍ତି ସତ, କିନ୍ତୁ ଏବେ ଏକ ବଡ଼ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ’ଣ ସତରେ ନିଜ ପଦରୁ ଇସ୍ତଫା ଦେବେ?

ଦୀର୍ଘ ଦିନ ଅନଶନରେ ବସିଥିବା ସୋନମ ୱାଙ୍ଗଚୁକ୍ ଶେଷରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ସୁପ୍ ପିଇ ନିଜର ଧର୍ମଘଟର ଅନ୍ତ ଘଟାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆନ୍ଦୋଳନକାରୀ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ଆଲୋଚନା ଫଳପ୍ରଦ ହୋଇଛି ଏବଂ ଛାତ୍ରମାନଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଦାବିକୁ ସରକାର ଗ୍ରହଣ କରିନେଇଛନ୍ତି।

ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀମାନଙ୍କୁ ଖସିଯିବାକୁ ଦିଆଯିବ ନାହିଁ। ସେମାନଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଏକ ‘ଫାଷ୍ଟଟ୍ରାକ୍ କୋର୍ଟ’ ଗଠନ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। ଏହାସହ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସିର କାର୍ଯ୍ୟଶୈଳୀରେ ବ୍ୟାପକ ସଂସ୍କାର ଅଣାଯିବ ବୋଲି ପ୍ରତିଶ୍ରୁତି ମିଳିଛି, ଯାହାଫଳରେ ଆଗାମୀ ଦିନରେ ଏଭଳି ଦୁର୍ନୀତିକୁ ସମ୍ପୂର୍ଣ୍ଣ ରୂପେ ରୋକାଯାଇପାରିବ।

ସରକାର ଫାଷ୍ଟଟ୍ରାକ୍ କୋର୍ଟ ଗଠନ ଓ ଏନଟିଏ ସଂସ୍କାର ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ମାନି ନେଇଥିଲେ ମଧ୍ୟ, ସବୁଠାରୁ ବଡ଼ ଦାବି ଉପରେ ଏବେ ବି ସସ୍‌ପେନ୍ସ ଲାଗି ରହିଛି। ଆନ୍ଦୋଳନକାରୀମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ । ଅନ୍ୟପଟେ, ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ଆଉ କିଛି ସମୟ ମାଗିଥିବା ଜଣାପଡ଼ିଛି।

ଏହି ବୁଝାମଣା ପରେ ଦିଲ୍ଲୀ ରାଜରାସ୍ତାରୁ ଆନ୍ଦୋଳନର ନିଆଁ ସାମାନ୍ୟ ଶାନ୍ତ ପଡ଼ିଥିଲେ ହେଁ ରାଜନୈତିକ ବାତାବରଣ ସମ୍ପୂର୍ଣ୍ଣ ଉଷ୍ମ ରହିଛି। ତେଣୁ ଆଗାମୀ ଦିନରେ ସରକାର କି ପଦକ୍ଷେପ ନେଉଛନ୍ତି ଏବଂ ଶିକ୍ଷାମନ୍ତ୍ରୀଙ୍କ ଭାଗ୍ୟ କେଉଁ ଆଡ଼କୁ ଯାଉଛି, ତାହା ଉପରେ ଏବେ ସାରା ଦେଶବାସୀଙ୍କ ନଜର ରହିଛି।

Leave A Reply

Your email address will not be published.