Latest Odisha News

BREAKING NEWS

ବନ୍ୟା ଆଶଙ୍କା, ଉଛୁଳୁଛି ଦକ୍ଷିଣ ଓ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀ

ଭୁବନେଶ୍ୱର: ବାତ୍ୟା ତିତଲି ପ୍ରଭାବରେ ସମଗ୍ର ରାଜ୍ୟରେ ପ୍ରବଳ ଲଗାଣ ବୃଷ୍ଟିପାତ ହେବା ଯୋଗୁଁ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ରାଜ୍ୟର ଗଞ୍ଜାମ, ଗଜପତି, ବାଲେଶ୍ୱର ଓ କଟକ ଜିଲ୍ଲାରେ ଏହି ବନ୍ୟା ପରିସ୍ଥିତି ଉପୁଜିଛି । ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଛତ୍ରପୁର ସହରର କେତେକ ତଳିଆ ଅଞ୍ଚଳକୁ ବର୍ଷାଜଳ ପ୍ରବେଶ କରିଛି । ପୁରୁଷୋତ୍ତମପୁର କଲେଜ ରାସ୍ତା ଉପରେ ପ୍ରାୟ ୬ ଫୁଟ ଉଚ୍ଚତାରେ ବର୍ଷାଜଳ ଚାଲୁଥିବାର ସୂଚନା ମିଳିଛି । ଏହାଫଳରେ ପୁରୁଷୋତ୍ତମପୁର ଓ ବ୍ରହ୍ମପୁର ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ହୋଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି ।

ସେହିପରି ଭଞ୍ଜନଗର ବ୍ଳକରେ ବର୍ଷାଜଳ ଅନେକ ବାସଗୃହ ମଧ୍ୟରେ ପ୍ରବେଶ କରିଥିବାର ଖବର ମିଳିଛି । ଏହି ବ୍ଲକର ବାଉଁଶଲୁଣ୍ଡି, ଗମ୍ମାପଲ୍ଲୀ ଏବଂ ଗମୁଣ୍ଡି ପଞ୍ଚାୟତର ଅନେକ ଗ୍ରାମରେ ଲୋହାରଖଣ୍ଡି ଓ ବଡ଼ନଦୀର ବର୍ଷାଜଳ ପ୍ରବେଶ କରିଛି ।

ମିଳିଥିବା ସୂଚନାନୁଯାୟୀ ଲୋହାରଖଣ୍ଡି ଓ ବଡ଼ନଦୀର ଜଳସ୍ତର ବିପଦ ସଙ୍କେତର ଉପରେ ରହିଛି । ଏହି ଦୁଇ ନଦୀର ଜଳସ୍ତର ଯଥାକ୍ରମେ ୭୨.୮୭ ଓ ୧୦୨.୫୫ ମିଟର ଉପରେ ରହିଥିବାର ଖବର ହସ୍ତଗତ ହୋଇଛି ।

ପ୍ରବଳ ବର୍ଷା ଯୋଗୁଁ ଶେରଗଡ଼ ଓ ଲାଠିପଦା ରାସ୍ତାର ଗୋଟିଏ ପାଖ ରାସ୍ତା ସମ୍ପୂର୍ଣ୍ଣ ଧୋଇ ଯାଇଛି । ଅନ୍ୟଏକ ଘଟଣାରେ ଜୋରଉ ନଈ ଉପରେ ଥିବା ପୋଲଟି କ୍ଷତିଗ୍ରସ୍ତ ହୋଇଛି ।

ଗଜପତି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ଏଠାରେ ରହିଥିବା ମହେନ୍ଦ୍ରତନୟା ନଦୀର ଜଳ ପାରଳାଖେମୁଣ୍ଡି ଓ ଆନ୍ଧ୍ରପ୍ରଦେଶର ଯୋଗାଯୋଗ ବିଚ୍ଛିନ୍ନ କରିଦେଇଛି ।

କନ୍ଧମାଳ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜି ବାଲିଗୁଡ଼ା ଓ ବାକିଞ୍ଜିଆ ରାସ୍ତାକୁ ଯୋଗାଯୋଗ କରୁଥିବା ପ୍ରମୁଖ ବ୍ରିଜ୍ ସମ୍ପୂର୍ଣ୍ଣ ଧୋଇଯାଇଛି । ଶାଲୁଙ୍କି ନଦୀର ଜଳପତ୍ତନ ବିିପଦ ସଙ୍କେତ ଉପରେ ଚାଲିଛି ।

ନୟାଗଡ଼ ଜିଲ୍ଲାରେ ଲଣ୍ଡାପଡୁ ଏବଂ ଓଡ଼ଗାଁ ବ୍ଲକର ୨ ଜଣ ଯୁବକ ବନ୍ୟାଜଳରେ ଭାସିଯାଇଛନ୍ତି ।

ବାଲେଶ୍ୱର ଜିଲ୍ଲାରେ ସାରାରାତି ବର୍ଷା ହେବା ଫଳରେ ଜିଲ୍ଲାର ଜଳକା ନଦୀର ଜଳପତ୍ତନ ୫.୫ ବିପଦ ସଙ୍କେତ ଉପରେ ରହି ୫.୮ ମିଟରରେ ଉପରେ ପ୍ରବାହିତ ହେଉଛି ।

ଅନ୍ୟପକ୍ଷରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ମୁକ୍ତାପଶି ନିକଟରେ ରାସ୍ତାରେ ପ୍ରକାଣ୍ଡ ଗଛ ଭାଙ୍ଗିଯିବାରୁ ରାସ୍ତା ଅବରୋଧ ହୋଇ ୫୩ ନଂ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଟାଙ୍ଗି ଓ ଚିଲିକା ବ୍ଲକରେ ବର୍ଷାଜଳ ଅନେକ ଗ୍ରାମକୁ ପ୍ରଭାବିତ କରିଛି ।

 

ଜଟଣୀରେ ବର୍ଷଜଳ ପ୍ରବାହିତ ହେବାଯୋଗୁଁ ପୁରୀ ଓ ପିପିଲିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ।

କଟକ ଜିଲ୍ଲା ତିଗିରିଆ ଥାନା ଏବଂ ଆଠଗଡ଼ ସବ-ଡ଼ିଭିଜନ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ଗୋଟିଏ ପରିବାରର ୩ଜଣ ବ୍ୟକ୍ତି ମୁଣ୍ଡଳୀ ପାହାଡ଼ରୁ ଅତଡ଼ା ଖସିବା ଯୋଗୁଁ ଆହତ ହୋଇଛନ୍ତି ।

ଇତିମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ଜାରି କରିଛନ୍ତି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – କଟକ, ଖୋର୍ଦ୍ଧା, ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଏବଂ ଦେଓଗଡ଼ ଜିଲ୍ଲା ।

Leave A Reply

Your email address will not be published.