ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏଗ୍ରିଷ୍ଟେକ୍ ଆଇଡି (Agristack ID) ନଥିଲେ ମଧ୍ୟ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ। ଚାଷୀମାନେ ଯେପରି ଧାନ ବିକ୍ରି କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ସରକାର ଏହି ସହଜ ବ୍ୟବସ୍ଥା କରିଛନ୍ତି।
ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟେକ୍ ଆଇଡି ପ୍ରସ୍ତୁତ ହୋଇପାରି ନାହିଁ, ସେମାନେ ନିଜର ପୁରୁଣା ଚାଷୀ ଆଇଡି କିମ୍ବା ଆଧାର କାର୍ଡ ମାଧ୍ୟମରେ ଧାନ ବିକ୍ରି କରିପାରିବେ। ଏଗ୍ରିଷ୍ଟେକ୍ ପୋର୍ଟାଲରେ ଡାଟା ମ୍ୟାଚ୍ ନହେବା କାରଣରୁ ଅନେକ ପ୍ରକୃତ ଚାଷୀ ପଞ୍ଜୀକରଣରୁ ବାଦ୍ ପଡ଼ିବାର ଆଶଙ୍କା ଥିଲା। ଏହି ନିଷ୍ପତ୍ତି ଦ୍ୱାରା ସେମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।
ସମସ୍ତ ଯୋଗ୍ୟ ଚାଷୀ ଯେପରି ସରକାରୀ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇପାରିବେ, ସେଥିପାଇଁ ସମବାୟ ସମିତି (PACS) ଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏଗ୍ରିଷ୍ଟେକ୍ ପଞ୍ଜୀକରଣ କରିଥିଲେ ଚାଷୀଙ୍କୁ ମିଳିବ ଅନେକ ସୁବିଧା । କୃଷି ଋଣ ନେବା ସହ ବିହନ ଓ ସାର କିଣିବା ହେବ ଅଧିକ ସହଜ । ତେଣୁ ଧାନ ବିକ୍ରି ପାଇଁ ଏଗ୍ରିଷ୍ଟେକ୍ ବାଧ୍ୟତାମୂଳକ ନଥିଲେ ମଧ୍ୟ ଅନ୍ୟାନ୍ୟ କୃଷି ସୁବିଧା ପାଇବାକୁ ଚାଷୀମାନେ ପଞ୍ଜୀକରଣ କରାଇନେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।
