Latest Odisha News

BREAKING NEWS

ମହଙ୍ଗା ପଡିଲା ସରକାରୀ ଜମି ବିକା, ବନ୍ଧା ହେଲା ଜମି ମାଫିଆ !

ଅନୁଗୁଳ: ଶିଳ୍ପ ସମୃଦ୍ଧ ସହର ତାଳଚେରରେ ନିତିଦିନ ସାମ୍ନାକୁ ଆସୁଛି ଅଭିନବ ଠକେଇ ମାମଲା । ମାତିଛନ୍ତି ଭଦ୍ରମୁଖା ଠକ । କେତେବେଳେ ଚାକିରୀ ତ ପୁଣି କେତେବେଳେ ଜାଗା କିଣାବିକା ନାଁରେ ହେଉଛି ବଡ ଧରଣର ଠକେଇ । ଶିକାର ସାଜୁଛନ୍ତି ସରଳ ଲୋକ । ଏପରିକି ଠକମାନଙ୍କ ନାଲି ଆଖିକୁ ଡରି ଅନେକ ଲୋକ ଥାନା ମାଟି ମାଡିବାକୁ ବି ଭୟ କରୁଛନ୍ତି ।

ତାଳଚେର ବାସିନ୍ଦା କବିତା ରଣା । ସ୍ୱଳ୍ପ ଗଚ୍ଛିତ ପୁଂଜିରେ ନିଜର ଗୋଟିଏ ଘର କରିବେ ବୋଲି ସ୍ୱପ୍ନ ଦେଖିଥିଲେ । ଭାବିଥିଲେ ସପରିବାର ଏକାଠି ରହିବେ । ଏଥିପାଇଁ କିଛି ବର୍ଷ ପୂର୍ବେ ଶ୍ରୀମନ୍ତ ବେହେରା ନାମକ ଜଣେ ମଧ୍ୟସ୍ଥି ସହ ପରିଚିତ ହୋଇ ଜାଗା କିଣିବାକୁ ମନସ୍ଥ କରିଥିଲେ । ପର୍ଯ୍ୟାୟ କ୍ରମେ ଶିଶିର ଚନ୍ଦ୍ର ବାରିକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଜାଗା କିଣିବା ନେଇ କବିତାଙ୍କର କଥାବାର୍ତ୍ତା ହୋଇଥିଲା ।

କଥାବାର୍ତ୍ତା ଅନୁଯାୟୀ ୨୦୧୮, ଅଗଷ୍ଟ ୮ ତାରିଖରେ ମାଜିଷ୍ଟ୍ରେଟଙ୍କ ନିକଟରେ ଶିଶିର ଚନ୍ଦ୍ର ବାରିକ ଓ ତାଙ୍କ ବାପାଙ୍କ ଉପସ୍ଥିତିରେ କବିତା ଏକ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ । ପରେ ଚେକ୍ ଆକାରରେ ଶିଶିରଙ୍କୁ ୩ ଲକ୍ଷ ଟଙ୍କା ଓ ନଗଦ ୨୦ ହଜାର ଟଙ୍କା ଦେଇଥିଲେ । ସେହିଭଳି ମଧ୍ୟସ୍ଥି ଶ୍ରୀମନ୍ତ ମଧ୍ୟ କବିତାଙ୍କଠାରୁ ୧ ଲକ୍ଷ ଟଙ୍କା ନେଇଥିଲେ । ସେ ସମୟରେ ଜାଗା ବାବଦକୁ କବିତା ସର୍ବମୋଟ୍ ୪ ଲକ୍ଷ ୨୦ ହଜାର ଟଙ୍କା ଦୁଇଜଣଙ୍କୁ ଦେଇଥିଲେ ।

ତେବେ କିଛି ଦିନ ପରେ ଶିଶିରଙ୍କ ସହ ଚୁକ୍ତି ହୋଇଥିବା ଜମି ସରକାରଙ୍କର ବୋଲି ଜାଣିବା ପରେ କବିତାଙ୍କ ହୋସ୍ ଉଡିଯାଇଥିଲା । ସବୁ ଘଟଣା ଜାଣି କବିତା ଶିଶିରଙ୍କୁ ନିଜ ଟଙ୍କା ଫେରସ୍ତ ମାଗିଥିଲେ । ହେଲେ ଟଙ୍କା ବଦଳରେ  କବିତାଙ୍କୁ ଓ ତାଙ୍କ ପୁଅକୁ ମିଳିଥିଲା ହତ୍ୟା ଧମକ । ବାଧ୍ୟ ହୋଇ କବିତା ଗତବର୍ଷ ମେ’ ମାସ ୬ତାରିଖରେ ତାଳଚେର ଥାନାରେ ଏତଲା ଦେଇଥିଲେ ।

ଶେଷରେ ଗିରଫ ହୋଇଛି ଶିଶିର ଚନ୍ଦ୍ର ବାରିକ । ମିଳିଥବା ସୂଚନା ଅନୁଯାୟୀ ୨୦୧୮ରେ ଜମି ପାଇଁ ଚୁକ୍ତିନାମା ସ୍ୱାକ୍ଷର ସମୟରେ ଶିଶିର ନିଜ ବାପା ନୁହେଁ ବରଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନିଜ ବାପା ଭାବେ ଦର୍ଶାଇଥିଲା । ତେବେ ତାଳଚେର ଅଂଚଳରେ କେବଳ ଗୋଟିଏ ନୁହେଁ ବରଂ ଏମିତି ଅନେକ କବିତା ଅଛନ୍ତି, ଯାହାଙ୍କୁ ଶିଶିର ଭଳି ଅନେକ ଠକ ବିଭିନ୍ନ ଉପାୟରେ ଠକିଚାଲିଛନ୍ତି । ହେଲେ ବିଭିନ୍ନ ଧମକର ଭୟ ତଳେ ଏଭଳି ଅନେକ ଘଟଣା ଲୁଚି ରହିଛି ।

Leave A Reply

Your email address will not be published.