ବରଗଡ: ବରଗଡ ଜିଲ୍ଲା ବିଜେପୁର ବ୍ଲକ ସମଲାଇପଦର ନର୍ସରୀରେ ଥିବା ଏକ କୂଅ ଭିତରୁ ଜଣେ ବ୍ୟକ୍ତିଙ୍କୁ ୪ ଦିନ ପରେ ଉଦ୍ଧାର କରାଯାଇଛି । ଯୁବକଙ୍କୁ ୫ ଜଣ ବ୍ୟକ୍ତି ମାଡ ମାରିବା ପରେ ସେ ଅଚେତ ହେବା ପରେ ତାଙ୍କୁ ମୃତ ଭାବି ଉକ୍ତ ପରିତ୍ୟକ୍ତ କୂଅରେ ଫୋପାଡି ଚାଲିଯାଇଥିଲେ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ତେବେ କୂଅରେ ଅଳ୍ପ ପାଣିଥିଲା । ଏହା ଭିତରେ ସେ ଚାରି ଦିନ ଧରି ଭୋକ ଓ ଉପବାସରେ ପଡ଼ିରହିଥିଲେ । ତେବେ କେହି ତାଙ୍କୁ ଦେଖି ବଞ୍ଚାଇବ ବୋଲି ଆଶାରେ ଜୀବନ ସହ ସଂଘର୍ଷ କରୁଥିଲେ । ଯୁବକ ଜଣକ ହେଲେ ପଦ୍ମପୁର ଉପଖଣ୍ଡ ପୁରେନା ଗାଁର ତୁଳସୀରାମ ବରିହା ।
ଆଜି ସମଲାଇପଦର ଗାଁର ଜଣେ ବ୍ୟକ୍ତି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ କୂଅରେ ପଡ଼ି ଥିବା ବ୍ୟକ୍ତିଙ୍କ ପାଟି ଶୁଣି ଗାଁରେ ଜଣାଇଥିଲେ । ପରେ ଗ୍ରାମବାସୀ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତୁଳସୀରାମଙ୍କୁ ଉଦ୍ଧାର କରି ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଗତ ୩ ଦିନ ହେଲା ତାଙ୍କ ନାମରେ ପଦ୍ମପୁର ଥାନାରେ ନିଖୋଜ ଥିବା ଏତଲା ଦିଆ ଯାଇଥିଲା ବୋଲି ପ୍ରାଥମିକ ସୂଚନାରୁ ଜଣାଯାଇଛି । ପୋଲିସ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଯାଞ୍ଚ କରୁଛି ।