Latest Odisha News

ସ୍ତ୍ରୀକୁ ହତ୍ୟାକରି ସ୍ୱାମୀ ଖେଳୁଥିଲା ଭିଡିଓ ଗେମ୍

ରାଜସ୍ଥାନ: ବିଶ୍ୱାସରେ ବିଷ ଦେଇଥିଲା ସ୍ୱାମୀ । ସାତଜନ୍ମ ପାଇଁ ସୁରକ୍ଷା ଦେବା ବଦଳରେ ଅତି ନିର୍ମମ ଭାବେ ସ୍ତ୍ରୀକୁ ହତ୍ୟା କରିଥିଲା । ହେଲେ ହତ୍ୟାକାଣ୍ଡ ପଛର କାରଣଠୁ ଅଧିକ ହତ୍ୟା ପରେ ସ୍ୱାମୀର ଆଚରଣ ପୋଲିସକୁ ତାଜୁବ କରିଥିଲା । କାହିଁକି ନା ସ୍ତ୍ରୀର ରକ୍ତ ଜୁଡୁବୁଡୁ ଶରୀର ନିକଟରେ ବସି ସ୍ୱାମୀ ଖେଳୁଥିଲା ଭିଡିଓ ଗେମ୍ ।

ମିଳିଥିବା ରିପୋର୍ଟ ଅନୁଯାୟୀ ସୋମବାର ପାରିବାରିକ କଳହକୁ ନେଇ ଅଭିଯୁକ୍ତ ବିକ୍ରମ ସିଂ ନିଜ ସ୍ତ୍ରୀ ଶିବ କୁଅଁରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ରାଜସ୍ଥାନର ବିଜେଏସ୍ କଲୋନୀରେ ହତ୍ୟାକାଣ୍ଡ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚିଥିଲା । ତେବେ ମୃତ ଶିବଙ୍କ ନିକଟରେ ବିକ୍ରମ ବସି ଭିଡିଓ ଗେମ୍ ଖେଳୁଥିବା ଦେଖି ପୋଲିସର ଅକଲ୍ ଗୁଡୁମ୍ ହୋଇଯାଇଥିଲା ।

ତଦନ୍ତରୁ ଜଣାପଡିଛି ଅଭିଯୁକ୍ତ ବିକ୍ରମ ଘରେ ବେକାର ବସୁଥିଲାବେଳେ ଶିବ ସିଲେଇ କାମ କରି ଘରର ଗୁଜୁରାଣ ମେଣ୍ଟାଇଥାନ୍ତି । ତେବେ ଏ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ନିତିଦିନ କଳିଝଗଡା ବି ଲାଗି ରହୁଥିଲା । ରବିବାର ରାତିରେ ବି ଦୁହିଁଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ହେଲେ ନିଜ ଉପରେ ନିୟନ୍ତ୍ରଣ ହରାଇ ବିକ୍ରମ ଦୁଇଟି କଇଁଚରେ ଶିବଙ୍କ ପେଟକୁ ବାରମ୍ବାର ଭୁଷି ଲହୁଲୁହାଣ କରିଥିଲା ।

ତେବେ ମାମଲା ଏତିକିରେ ଶାନ୍ତ ପଡିନଥିଲା । ନିଜ କ୍ରୋଧକୁ ନିୟନ୍ତ୍ରଣ କରିବା ଲାଗି ଅଭିଯୁକ୍ତ ବିକ୍ରମ ମୃତ ସ୍ତ୍ରୀ ପାଖରେ ବସି ଭିଡିଓ ଗେମ୍ ଖେଳିଥିଲା । ଏହି ଘଟଣା ପରେ ବିକ୍ରମ ଓ ଶିବଙ୍କ ଦୁଇଦୁଇଟି ସନ୍ତାନଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଅନ୍ୟପଟେ ଅଭିଯୁକ୍ତ ବିକ୍ରମକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.