Latest Odisha News

BREAKING NEWS

କବିତା: ଫେରିଲା ଶୀତ

ଶିଵ ସୁନ୍ଦର ପାଣିଗ୍ରାହୀ

ଦେଖ ପ୍ରିୟତମା ପଶ୍ଚିମ ଦିଗକୁ ,
ଅରୁଣ ଗଲାଣି ବୁଡି ।
ନୀଡମୁହାଁ ହୋଇ ବିହଙ୍ଗ ଦଳଏ
ଫେରି ଆସୁଛନ୍ତି ଉଡି ।
ଦାଣ୍ଡରେ ଦେଖ ଯେ ଗୋଧୂଳିର ବାସ,
ଗୋମାତା ଆସେ ବାହୁଡ଼ି ।
ଉତ୍ତରାପବନ ଥିରିଥିରି ବହେ,
ଖଣ୍ଡିମେଘ ନିଏତଡି ।
ବଗିଚାରେ ଦେଖ ପୁଣି ଫୁଟିଲାଣି ,
ରଙ୍ଗ ବେରଂଗର କଢୀ ।

ସୁନେଲି ରଙ୍ଗର ଧାନକ୍ଷେତ କି’ବା
ଫସଲ ଦେବ ଅଜାଡି ??
ଆକାଶକୁ ଦେଖ ନିର୍ମଳ ଦିଶୁଛି,
ଛାୟାପଥ ଅଛି ପଡି ।
ଧୀରେଧୀରେ ଆସେ ନିଶାକର ଦେଖ,
ପୂରୁବ ଦିଗରେ ମାଡି ।

ଫେରି ଆସୁଅଛି ଶୀତର ଲହରୀ,
ମେଘ ଯାଇଅଛି ଛାଡ଼ି ।
ପୁଣି ଫେରୁଅଛି ତୁଷାର ସହିତ
ଧୂସର ଘନ କୁହୁଡି ।।।

(କ୍ୱାର୍ଟର ନଂ – ଏନ୍ ଡି – ୦୫/୦୮, ଜେ କେ ପୁର, ରାୟଗଡ଼ ମୋ – ୮୦୧୮୮୩୮୩୭୮)

Leave A Reply

Your email address will not be published.