Latest Odisha News

ମହାରାଷ୍ଟ୍ରରେ କାହାର ମାଷ୍ଟ୍ରରଷ୍ଟ୍ରୋକ୍?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବଢିଲାଣି ନିର୍ବାଚନୀ ପାରଦ । ମତଦାନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ଭୋଟରଙ୍କ ଭରସା ଜିତିବାକୁ ଉଦ୍ୟମ ଚଳାଇଛନ୍ତି ନେତା । ମହାରାଷ୍ଟ୍ରରେ ମୁକାବିଲା ମୁଖ୍ୟତଃ ମହାୟୁତି ଓ ମହାବିକାଶ ଅଘାଡି ମଧ୍ୟରେ ହେଉଛି । ଉଭୟ ମେଣ୍ଟ ଘୋଷଣାପତ୍ରରେ ସବୁ ବର୍ଗର ଭୋଟରଙ୍କୁ ମନାଇବାକୁ ଉଦ୍ୟମ କରିଛନ୍ତି । ତେବେ ଫୋକସରେ ରହିଛନ୍ତି ମହିଳା ଓ ଚାଷୀ । ତେବେ ପ୍ରଶ୍ନ ଉଠୁଛି, କାହା ଘୋଷଣାରେ କେତେ ଦମ୍? କେଉଁ ମାନିଫେଷ୍ଟୋ ପ୍ରମାଣିତ ହେବ ମାଷ୍ଟ୍ରରଷ୍ଟ୍ରୋକ୍? କିଏ ଜିତିବ ଭୋଟରଙ୍କ ମନ?

କାହିଁକି ମହିଳାଙ୍କୁ ଫୋକସ୍?

ଉଭୟ ମହାୟୁତି ଓ ମହାବିକାଶ ଅଘାଡ଼ି ନିଜ ଘୋଷଣା ପତ୍ରରେ ମହିଳାଙ୍କୁ ଫୋକସ୍ କରିଛନ୍ତି । ମହାରାଷ୍ଟ୍ରରେ ରହିଛନ୍ତି ୪କୋଟିରୁ ଅଧିକ ମହିଳା ଭୋଟର । ବିଜେପି ଲାଡକି ବହିନ ଯୋଜନାରେ ମହିଳାଙ୍କୁ ଦିଆଯାଉଥିବା ସହାୟତାକୁ ୧୫ଶହରୁ ବଢାଇ ୨୧ଶହ ଟଙ୍କା କରିବାକୁ ଘୋଷଣା କରିଛି ତ ଏମଭିଏ ମହାଲକ୍ଷ୍ମୀ ଯୋଜନାରେ ମହିଳାଙ୍କୁ ମାସିକ ୩ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି । ବିଜେପି ମହାରାଷ୍ଟ୍ରରେ ୨୫ହଜାର ମହିଳାଙ୍କୁ ପୋଲିସରେ ଭର୍ତ୍ତି କରିବାକୁ କହିଛି ତ ଏମଭିଏ ମାଗଣା ବସ ସେବା ଯୋଗାଇବାକୁ କହିଛି । ଏଥିସହ ଏମଭିଏ ମହିଳାଙ୍କୁ ପ୍ରତିମାସରେ ଋତୁସ୍ରାବ ପାଇଁ ଦୁଇ ଦିନଛୁଟି ଓ ୯ରୁ ୧୬ବର୍ଷର ଯୁବତୀଙ୍କୁ ମାଗଣା ସର୍ଭାଇକଲ କ୍ୟାନସର ଟିକା ଲଗାଇବାକୁ ଘୋଷଣା କରିଛି । ବିଜେପି ପ୍ରତି ପରିବାରକୁ ବାର୍ଷିକ ୩ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଦେବାକୁ କହିଛି ତ ଏମଭିଏ ବର୍ଷକୁ ୬ଟି ସିଲିଣ୍ଡର ଗୋଟି ପିଛା ୫ଶହ ଟଙ୍କାରେ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି । ଉଭୟ ମେଣ୍ଟ ମହିଳା ଭୋଟ୍ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରୁଛନ୍ତି ।

ଅନ୍ନଦାତାଙ୍କ ପାଇଁ ବଡ଼ ପ୍ରତିଶ୍ରୁତି

କେବଳ ମହିଳା ନୁହଁନ୍ତି ମହାରାଷ୍ଟ୍ରରେ ଚାଷୀ ବି ରହିଛନ୍ତି ଫୋକସରେ । ଉଭୟ ମେଣ୍ଟ ଚାଷୀ ଋଣ ଛାଡ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ବିଜେପି ଋଣ ଛାଡ ସାଙ୍ଗକୁ ସମ୍ମାନ ରାଶିକୁ ୧୨ହଜାରରୁ ବଢାଇ ୧୫ହଜାର କରିବାକୁ କହିଛି ତ ଏମଭିଏ ୩ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ ସହ ନିୟମିତ ଋଣ ଶୁଝିଲେ ଚାଷୀଙ୍କୁ ୫୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁସ ଘୋଷଣା କରିଛି । ସେହିପରି ଘୋଷଣାପତ୍ରରେ ଯୁବବର୍ଗ ଓ ନିଯୁକ୍ତିକୁ ଗୁରୁତ୍ବ ଦିଆଯାଇଛି । ବିଜେପି ୧୦ଲକ୍ଷ ଛାତ୍ରଙ୍କୁ ୧୦ହଜାର ଟଙ୍କା ମାସିକ ଦେବା ସହ ୨୫ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ କହିଛି । ମହାବିକାଶ ଅଘାଡି ରାଜ୍ୟରେ ଖାଲି ଥିବା ଅଢେଇ ଲକ୍ଷ ପଦ ପୂରଣ କରିବା ସହ ଡିପ୍ଲୋମାଧାରୀ ବେକାରଙ୍କୁ ମାସକୁ ୪ହଜାର ଟଙ୍କା ଦେବାକୁ ଘୋଷଣାପତ୍ରରେ କହିଛି ।

ଭୋଟ୍ ପାଇଁ ପ୍ରତିଶ୍ରୁତିର ପାହାଡ଼

ମାଗଣା ଚିକିତ୍ସା ଓ ବୀମା ବି ଘୋଷଣାପତ୍ରରେ ସ୍ଥାନ ପାଇଛି । ଆୟୁଷ୍ମାନ ଯୋଜନା ଓ ମହାତ୍ମା ଫୁଲେ ଜନସ୍ବାସ୍ଥ୍ୟ ଯୋଜନାରେ ସମସ୍ତଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଇଛି ବିଜେପି । ସେପଟେ ୨୫ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ସହ ମାଗଣା ଔଷଧ ଦେବାକୁ କହିଛି ଏମଭିଏ । ଜାତିଗତ ଜନଗଣନା ଓ ୫୦ପ୍ରତିଶତ ସଂରକ୍ଷଣ ସୀମା ହଟାଇବାକୁ ଏମଭିଏ ପ୍ରତିଶ୍ରୁତି ଦେଇଛି ତ ଧର୍ମାନ୍ତରଣ ବିରୋଧରେ ଶକ୍ତ ଆଇନ ଆଣିବାକୁ ବିଜେପି କହିଛି ।

୨୦୧୯ରେ ନିର୍ବାଚନରେ କଂଗ୍ରେସ ଏନସିପି ମେଣ୍ଟ ଥିଲା ତ ଶିବସେନା, ବିଜେପି ସହ ଥିଲା । ଦେଖିବାକୁ ଗଲେ ଗତ ୫ବର୍ଷ ମଧ୍ୟରେ ସମସ୍ତ ଦଳ ମହାରାଷ୍ଟ୍ରରେ କ୍ଷମତାରେ ରହିଛନ୍ତି । ହେଲେ ପ୍ରଶ୍ନ, କେତେ ପୂରଣ ହୋଇଛି ୫ବର୍ଷ ତଳେ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ? ସତ ହେଉଛି କିଛି ପ୍ରତିଶ୍ରୁତି ଉଭୟ ମେଣ୍ଟ ପୂରଣ କରିଛନ୍ତି ତ ଅନେକ କେବଳ ଘୋଷଣାରେ ରହିଯାଇଛି । ଏହା ପଛରେ କରୋନା ସଂକଟ, ରାଜନୈତିକ ହଟଚମଟ ଓ କ୍ଷମତା ପରିବର୍ତ୍ତନ ଭଳି କାରଣ ରହିପାରେ । ତେବେ ଏଥର ଶିବସେନା ଓ ଏନସିପି ଭଳି ଦଳ ବିଭାଜନ ହୋଇଥିବା ବେଳେ କ୍ଷମତାର ରୋଚକ ଲଢେଇ ଦେଖିବାକୁ ମିଳିବ ।

Comments are closed.