Latest Odisha News

ମଣିପୁରରେ ପୁଣି ହିଂସା: ଗତ ୨୪ ଘଣ୍ଟାରେ ୨ ଜଣଙ୍କୁ ହତ୍ୟା, ୯ ଗିରଫ

ଇମ୍ଫାଲ: ଗତ କିଛି ଦିନ ହେବ ଶାନ୍ତ ଥିଲା ମଣିପୁର। କିନ୍ତୁ ଏବେ ପୁଣିଥରେ ରାଜ୍ୟରୁ ହିଂସା ଖବର ସାମ୍ନାକୁ ଆସିଛି। ପୂର୍ବ ଇମ୍ଫାଲର ସାଓମ୍ବାଙ୍ଗ ଅଞ୍ଚଳରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ୫ ଜଣ ମହିଳାଙ୍କ ସମେତ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ମୃତ ମହିଳା ଜଣଙ୍କ ନାଗା ସମ୍ପ୍ରଦାୟର କୁହାଯାଉଛି। ଏହା ବ୍ୟତୀତ ଅନ୍ୟ ଏକ ଘଟଣାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି।

ରିପୋର୍ଟ ଅନୁଯାୟୀ, ପ୍ରଥମ ଘଟଣା ଜୁଲାଇ ୧୫ ତାରିଖରେ ମହିଳା ଜଣଙ୍କୁ ତାଙ୍କ ଘର ଭିତରେ ପଶି ମୁଣ୍ଡରେ ଗୁଳି କରାଯିବା ସହ ହତ୍ୟାକାରୀମାନେ ମହିଳାଙ୍କ ଚେହେରାକୁ ପଥରରେ ଛେଚିଦେଇଛନ୍ତି। ମହିଳା ଜଣଙ୍କ ଲୁସି ମାରିମ ବୋଲି ଜଣାପଡିଛି। ଏହି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଥିବା ମଣିପୁର ପୋଲିସ ନିଶ୍ଚିତ କରିଛି। ଏଥିସହିତ ପୋଲିସ ଏହି ମାମଲାରେ ୨ ଟି ଅସ୍ତ୍ରଶସ୍ତ୍ର, ୫ ଟି ଗୁଳି ଏବଂ ଗୋଟିଏ କାର ଜବତ କରିଛି।

କୁହାଯାଉଛି ଯେ ମହିଳା ମାନସିକ ସ୍ତରରେ ଅସୁସ୍ଥ ଥିଲେ। ଇଣ୍ଡିଜିନସ ଟ୍ରାଇଭାଲ ଲଡର୍ସ ଫୋରମ(ଆଇଟିଏଲଏଫ୍) ଏକ ବୟାନରେ କହିଛି ଯେ ଲୁସି ଏକ ବିରଳ ମାନସିକ ରୋଗ ସ୍କିଜୋଫ୍ରେନିଆରେ ପୀଡିତ ଥିଲେ। ସେପଟେ ଏହି ହତ୍ୟାକାଣ୍ଡକୁ ନିନ୍ଦା କରି ଦର୍ଶାଯାଇଛି ଯେ ମଣିପୁରର ରାଜଧାନୀରେ ଆଇନ ଶୃଙ୍ଖଳା ଉପରେ ରାଜ୍ୟ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ।

ଲୁସିଙ୍କ ହତ୍ୟାକୁ ବିରୋଧ କରିବା ପାଇଁ ମଣିପୁରର ନାଗା ଜନବହୁଳ ଅଞ୍ଚଳରେ ୟୁନାଇଟେଡ୍ ନାଗା ପରିଷଦ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। କମ୍ୟୁନିଟି ଅଲ୍ ଆଦିବାସୀ ଏକତା ୭୨ ଘଣ୍ଟା ପାଇଁ ଇମ୍ଫାଲର ଲାଇଫ୍ ଲାଇନ୍ ଭାବରେ ପରିଗଣିତ ଜାତୀୟ ରାଜପଥ ବନ୍ଦ କରିବାକୁ ଘୋଷଣା କରିଛି। ସୂଚନା ଥାଉକି ଏହି ଉପାୟରେ ହତ୍ୟାକାଣ୍ଡ କରିବା ଏହା ଦ୍ୱିତୀୟ ମାମଲା। ଏହାପୂର୍ବରୁ ଜୁଲାଇ ୬ ରେ ମାନସିକ ରୋଗଗ୍ରସ୍ତ ମହିଳାଙ୍କୁ ଡୋଙ୍ଗଗାଇଚିଙ୍ଗରେ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା।

ଅନ୍ୟ ଏକ ଘଟଣାରେ, ରବିବାର ୪୦ ରୁ ୫୦ ଉଗ୍ରବାଦୀମାନେ କାଙ୍ଗପୋକି ପାହାଡ ଜିଲ୍ଲାର କୁକି ଗ୍ରାମ ଉପରେ ଆକ୍ରମଣ କରି ଜଙ୍ଗଖୋଲିନ ହାକିପ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ସୂଚନା ମୁତାବକ, ସେନା ବାହିନୀ ସେଠାରେ ପହଞ୍ଚି ରାସ୍ତା ବ୍ଲକିଂ କରିଥିଲେ। ଏହି ସମୟରେ ସୁରକ୍ଷା ବାହିନୀ ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ଯେଉଁଥିରେ ବହୁ ସଂଖ୍ୟାରେ ମହିଳା ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଉଗ୍ରବାଦୀମାନେ ଖସିଯିବାରେ ସଫଳ ହୋଇଥିଲେ।

Leave A Reply

Your email address will not be published.