Latest Odisha News

BREAKING NEWS

‘ମନ୍ କି ବାତ’ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କମଳା କହିଲେ ‘ବିକ୍ରି ନହେଲେ ମୋଦିଙ୍କୁ ପଠେଇବି’

ଭୁବନେଶ୍ୱର: ଜରି ଲୁଚେଇ ଆଣୁଥିଲେ, ହାତରେ ସାଦରେ ବୁଣୁଥିଲେ । ପ୍ଲାଷ୍ଟିକ ଆବର୍ଜନାରୁ ସୃଷ୍ଟି କରୁଥିଲେ ସର୍ଜନା । ‘ମନ୍ କି ବାତ’ରେ କେନ୍ଦ୍ରାପଡ଼ାର କମଳା ମହରଣାଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖଇରାବାଦ ଅଞ୍ଚଳର କମଳା ମହାରଣା ବର୍ଜ୍ୟବସ୍ତୁରୁ ଘରକରଣା ସାମଗ୍ରୀ ପ୍ରସ୍ତୁତ କରି ପରିବେଶ ସୁରକ୍ଷା କରିବା ସହ ନିଜ ଏବଂ ଅନେକ ମହିଳାଙ୍କ ପାଇଁ ରୋଜଗାର ସୃଷ୍ଟି କରି ପାରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିବା ପରେ ଏବେ ଦେଶରେ ଲୋକପ୍ରିୟ କମଳା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କମଳା କହିଛନ୍ତି, ଆଜି ପରିଶ୍ରମର ସବୁ ମୂଲ୍ୟ ମୁଁ ପାଇଛି । ବହୁତ ଖୁସି ଅଛି । କହିଛନ୍ତି, ପ୍ରଥମେ ଜରି ଗୋଟାଇ ଆଣିବାକୁ ଲାଜ ଲାଗୁଥିଲା । ଗୋଡ଼ରେ ଜରିକୁ ଗଡ଼େଇବା ପରେ ଲୋକ ନଥିବା ବେଳେ ସେ ଉଠାଇ ଆଣୁଥିଲେ ଘରକୁ । ଆଉ ସେଥିରେ ବିଭିନ୍ନ ଘରକରଣା ସାମଗ୍ରୀ ଯଥା ମୋବାଇଲ୍ ଷ୍ଟାଣ୍ଡ, ପେନ ଷ୍ଟାଣ୍ଡ, ଫୁଲ ଭଳି ସାମଗ୍ରୀ ବୁଣୁଥିଲେ ।

ପ୍ଲାଷ୍ଟିକ ଆବର୍ଜନାରୁ ସର୍ଜନା ସୃଷ୍ଟି କରୁଥିବା କମଳା ଏବେ ବେଶ୍ ଖୁସି । କମଳାଙ୍କ ସାଥ୍ ଦେଇଛି ଧାନପତି ସ୍ୱୟଂ ସହାୟକ ଗୋଷ୍ଠୀ । ଏବେ ଖାଲି କମଳା ନୁହଁନ୍ତି ଗାଁରେ ପ୍ରାୟ ମହିଳା ଏବେ ଏହି କାର୍ଯ୍ୟରେ ବ୍ୟସ୍ତ । ବାହାରେ ପଡ଼ୁଥିବା କ୍ଷୀର ପଲିଥିନରେ ଘରକରଣା ସାମଗ୍ରୀ ତିଆରି କରୁଛନ୍ତି । ଆଗରୁ କମଳା ଯେଉଁ ଜରି ଲୁଚେଇ ଆଣୁଥିଲେ, ଏବେ ସମସ୍ତଙ୍କ ସାମ୍ନାରେ ଆଣିବେ ବୋଲି କହିଛନ୍ତି ।

ତେବେ ଜରି ନିର୍ମିତ ସାମଗ୍ରୀ ବିଶେଷ ବିକ୍ରି ହେଉ ନାହିଁ । କମଳା ଏନେଇ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସେମାନେ କିଛି ଶୁଣୁ ନଥିବା କହିଛନ୍ତି । ଯଦି ବିକ୍ରି ନହେବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଠେଇବେ ବୋଲି କହିଛନ୍ତି କମଳା ମହାରଣା ।

Leave A Reply

Your email address will not be published.