Latest Odisha News

BREAKING NEWS

ବିନା ବିଜୁଳିର ଫ୍ରିଜ୍, ମାଟିରେ ତିଆରି ଫ୍ରିଜ୍ କରି ଚର୍ଚ୍ଚାରେ ମନସୁଖ, ଫ୍ୟାକ୍ଟ୍ରି ମାଧ୍ୟମରେ ଅନେକଙ୍କୁ ରୋଜଗାର 

ଗୁଜୁରାଟ: ଅନେକଙ୍କ ସଉକ ଅଧିକ ପଇସା ଖର୍ଚ୍ଚ କରି ବ୍ରାଣ୍ଡେଡ୍ ବ୍ରାଣ୍ଡେଡ୍ ଜିନିଷ କିଣିବା । ଆଉ କିଛି ଲୋକଙ୍କ ପସନ୍ଦ ଶସ୍ତା ସୁନ୍ଦର ମଜବୁତ ଜିନିଷ । ଏଭଳି କିଛି ଶସ୍ତା ସୁନ୍ଦର ମଜବୁତ ଜିନିଷ ତିଆରି କରି ଚର୍ଚ୍ଚାରେ ରହିଛନ୍ତି ଗୁଜୁରାଟ ରାଜକୋଟ ନିବାସୀ ମନସୁଖ ଭାଇ ପ୍ରଜାପତି । 

ମନସୁଖ ତିଆରି କରିଛନ୍ତି ମାଟିରେ ତିଆରି ଫ୍ରିଜ୍ । ଯାହା ଚାଲୁଛି ବିନା ଇଲେକ୍ଟ୍ରିରେ । ଫ୍ରିଜଟି ଦେଖିବାକୁ ଆପଣଙ୍କୁ ମହଙ୍ଗା ଲାଗୁଥିବ । ହେଲେ ଜାଣିଲେ ଖୁସି ହେବେ, ଏହା ଖୁବ୍ ଶସ୍ତା । ମାଟିର ଏହି ଯାଦୁଗରଙ୍କ କମାଲ୍ ଏତିକିରେ ସରିନାହିଁ । ମନସୁଖ ମାଟିରେ ଫିଲଟର, ମାଟିର ତାୱା, ମାଟିର କୁକର, ମାଟିର ପାଣି ବୋତଲ ତିଆରି କରି ବଜାରକୁ ଛାଡୁଛନ୍ତି । 

ମନସୁଖଙ୍କ ପିଲାବେଳୁ ହିଁ ଗୋଟିଏ ସଉକ ଥିଲା ମାଟିର ଜିନିଷ ସହ ଖେଳିବା । ବଢୁଥିବା ସମୟ ସହିତ ମନସୁଖ ଅନୁଭବ କରିଥିଲେ, ମାର୍କେଟରେ ପ୍ଳାଷ୍ଟିକ ବଦଳରେ ଯଦି ମାଟି ତିଆରି ଜିନିଷ ବିକ୍ରି ହୁଅନ୍ତା ଲୋକେ ଆହୁରି ଶସ୍ତାରେ ଜିନିଷ ପାଇପାରନ୍ତେ । ମନସୁଖ ମାଟିର ମହକକୁ ଘର ଘରକୁ ପହଞ୍ଚାଇବାକୁ ନିଷ୍ପତ୍ତି ନିଅନ୍ତି । ଆଉ ଆର୍ଥିକ ସମସ୍ୟା ସତ୍ତ୍ବେ ୩୦ ହଜାର ଟଙ୍କାର ଧାର ଆଣି ଆରମ୍ଭ କରନ୍ତି ନିଜ ବ୍ୟବସାୟ । ଏକ ଫାାକ୍ଟ୍ରି ଖୋଲି ମନସୁଖ ନିର୍ମାଣ କଲେ ମାଟିର ତାୱା ତିଆରି ମେସିନ । ଆଉ ସେଥିରୁ ମାଟି ତାୱା ତିଆରି କରି ସାଇକେଲରେ ଘର ଘର ଯାଇ ବିକ୍ରି କଲେ । 

ଏହି ବ୍ୟବସାୟରୁ ଅଳ୍ପ ବହୁତ ରୋଜଗାର କଲା ପରେ ମନସୁଖ ଚିନ୍ତା କଲେ ମାଟିର ଆହୁରି ଜିନିଷ ନିର୍ମାଣ କରିବାକୁ । ପରେ ମନସୁଖଙ୍କ ନୂଆ ପ୍ରଡକ୍ଟ ଆସିଲା ମାଟିର ଫିଲଟର୍ । ଏହାର ଚାହିଦା ବଢିବା ପରେ, ମନସୁଖଙ୍କ ମୁଣ୍ଡକୁ ଆସିଥିଲା ମାଟିର ଫ୍ରିଜ୍ । ସେ ଏଭଳି ଏକ ଫ୍ରିଜ୍ ତିଆରି କଲେ ଯାହାକୁ ସହଜରେ ଗରିବ ଲୋକ ବ୍ୟବହାର କରିପାରିବେ । ପ୍ରାକୃତିକ ଭାବେ ଖାଦ୍ୟ ପଦାର୍ଥକୁ ଥଣ୍ଡା ରଖି ହେଉଥିବା ଏହି ଫ୍ରିଜର ମନସୁଖ ନାଁ ଦେଲେ ମିଟ୍ଟି କୁଲ୍ । 

ମିଟ୍ଟିକୁଲର ଖାସ କଥା ହେଉଛି ଏହା ବିନା ବିଜୁଳିରେ ଚାଲୁଛି । ଫ୍ରିଜର ଉପରି ଭାଗରେ ପାଣି ରହିପାରୁଥିବା ଏକ ଟାଙ୍କି କରାଯାଇଛି । ଏଠି ପାଣି ରଖିବା ପରେ ବାହାର ପବନ ବାଜି ଏହା ଭିତରେ କୁଲିଂ ସିଷ୍ଟମ୍ କାମ କରୁଛି । ଯାହାଦ୍ବାରା ଜିନିଷ ଗୁଡିକ ଥଣ୍ଡା ଓ ସୁରକ୍ଷିତ ରହୁଛି । ଏହି ଫ୍ରିଜରେ ପାଞ୍ଚ ଦିନ ପର୍ଯ୍ୟନ୍ତ ପନିପରିବା ଫ୍ରେସ୍ ହୋଇ ରହିପାରିବ । ମିଟ୍ଟି କୁଲର ଖାସ୍ କଥା ଏହାର ଦାମ । ଏହି ଫ୍ରିଜ୍ ପାଇଁ ଆପଣଙ୍କୁ ମାତ୍ର ୩ ହାଜର ଟଙ୍କା ଖର୍ଚ୍ଚ କରିବାକୁ ପଡିବ । 

କେବଳ ସେତିକି ନୁହେଁ, ମାଟିର ତାୱା, ମାଟିର କୁକର, ମାଟି ପାଣି ବୋତଲ ସହ ଆହୁରି ଘରକରଣା ଜିନିଷ ବି ମନସୁଖଙ୍କ ଫ୍ୟାକ୍ଟ୍ରିରେ ତିଆରି ହୁଏ । ମନସୁଖଙ୍କ ଦ୍ବାରା ତିଆରି ଜିନିଷ ଡିମାଣ୍ଡ କେବଳ ଭାରତରେ ରହିଛି ତାହା ନୁହେଁ । ଆମେରିକା, ଜାପାନ, ଦୁବାଇରେ ବି ଏହାର ଖୁବ ଚାହିଦା । ନିଜ ଫ୍ୟାକ୍ଟ୍ରି ମାଧ୍ୟମରେ ମନସୁଖ ଅନେକଙ୍କୁ ରୋଜଗାର ବି ଦେଇପାରିଛନ୍ତି ।

ମାଟି ଦ୍ବାରା କିଛି ନିଆରା କରି ଦେଖାଇ ଥିବାରୁ ଏବେ ସବୁଠି ମନସୁଖଙ୍କ ପ୍ରଶଂସା । ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦ୍ବାରା ଗ୍ରାମୀଣର ଭାରତ ପ୍ରକୃତ ବୈଜ୍ଞାନିକ ଉପାଧି ପାଇଛନ୍ତି ମନସୁଖ । ଏହାଛଡା ଅନେକ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବି ସେ ପୁରସ୍କୃତ । 

Leave A Reply

Your email address will not be published.