Latest Odisha News

ମାଲକାନଗିରି: କର୍ମଚାରୀଙ୍କ ସହ ୪ଟି ଲଞ୍ଚକୁ ଛାଡ଼ିଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭୀମାନ ଅଞ୍ଚଳରେ ଦୁଇଦିନ ପୂର୍ବରୁ ଅଟକ ରଖିଥିବା ୪ଟି ଲଞ୍ଚକୁ ଶୁକ୍ରବାର ଦିନ ଛାଡ଼ିଦେଇଛନ୍ତି ।

ମାଓବାଦୀମାନେ ପଣସପୁଟରୁ ୨ଟି ଏବଂ ସିନ୍ଧିପୁଟରୁ ୨ଟି ଲଞ୍ଚ ନେଇଯାଇ ଅଟକ ରଖିଥିଲେ । ଏହି ୪ଟି ଲଞ୍ଚ ଗୁଡ଼ିକରେ ୧୨ ଜଣ କର୍ମଚାରୀ ମଧ୍ୟ ରହିଥିଲେ । ଲୋକସଭା ଏବଂ ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଥିଲା । ତେବେ ନିର୍ବାଚନ କାର୍ଯ୍ୟ ତଥା ପୋଲିଂ ବୁଥକୁ ଲୋକମାନେ ନଯାଇପାରିବେ ବୋଲି ଏଭଳି କାର୍ଯ୍ୟ କରିଥିଲେ ମାଓବାଦୀ ।

ଅଟକ ରଖିଥିବା ଲଞ୍ଚ ଗୁଡ଼ିକ ମଧ୍ୟରୁ ପ୍ରଥମେ ଗୋଟିଏ ଲଞ୍ଚ ସହିତ ୩ ଜଣ କର୍ମଚାରୀଙ୍କୁ ମାଓବାଦୀମାନେ ଛାଡ଼ିଥିଲେ । ପରେ ଅବଶିଷ୍ଟ ୩ଟି ଲଞ୍ଚ ଏବଂ ୯ଜଣ ଷ୍ଟାଫଙ୍କୁ ଛାଡ଼ିଦେଇଛନ୍ତି ।

ଏହି ଲଞ୍ଚ୍ ଗୁଡ଼ିକରେ ନିର୍ବାଚନ ବିରୋଧରେ ଉଲ୍ଲେଖ ରହିଥିବା କିଛି ପୋଷ୍ଟର୍ ମରାଯାଇଥିବାର ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କୁ ନିର୍ବାଚନ ବର୍ଜନ କରିବାକୁ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି ଏହି ପୋଷ୍ଟର ମାଧ୍ୟମରେ ।

Leave A Reply

Your email address will not be published.